ଅମିତାଭଙ୍କୁ ଦାଦାସାହେବ ଫାଲ୍କେ

ନୂଆଦିଲ୍ଲୀ: ୧୯୬୯ରେ ‘ସାତ୍ ହିନ୍ଦୁସ୍ତାନୀ’ ଜରିଆରେ ବଡ ପରଦାକୁ ଏଣ୍ଟି୍ର କରିଥିଲେ ବଲିଉଡର ମହାନାୟକ ଅମିତାଭ ବଚ୍ଚନ । ୫୦ ବର୍ଷ ପରେ ସେ ଏବେ ବି ବଲିଉଡରେ ବେଶ୍ ସକ୍ରିୟ ରହି ତାଙ୍କ ନିଖୁଣ ଅଭିନୟରେ ଦର୍ଶକଙ୍କ ହୃଦୟ ଜିତି ପାରିଛନ୍ତି । ୭୬ ବର୍ଷରେ ପଦାର୍ପଣ କରିଥିବା ଅମିତାଭ ଅନେକ ପୁରସ୍କାର ଓ ପ୍ରଶଂସା ସାଉଁଟି ଥିଲା ବେଳେ ଆଜି ଆଉ ଏକ ସମ୍ମାନ ତାଙ୍କ ସହ ଯୋଡ଼ି ହୋଇଯାଇଛି । ଚଳିତବର୍ଷ (୨୦୧୯) ପାଇଁ ତାଙ୍କୁ ବଲିଉଡର ସର୍ବଶ୍ରେÂ ସମ୍ମାନ ଦାଦାସାହେବ ଫାଲ୍କେ ପୁରସ୍କାର ଲାଗି ମନୋନୀତ କରାଯାଇଛି । ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଏହି ସୂଚନା ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଜାବଡେକର ଟୁଇଟରରେ ଲେଖିଛନ୍ତି ଯେ ଦୁଇ ପିଢ଼ି ଧରି ମନୋରଞ୍ଜନ କରିବା ସହ ବହୁ କଳାକାରଙ୍କୁ ପ୍ରେରଣା ଦେଇଆସିଥିବା ଲିଜେଣ୍ଡ ଅମିତାଭ ବଚ୍ଚନଙ୍କୁ ସର୍ବସମ୍ମତିକ୍ରମେ ଦାଦାସାହେବ ଫାଲ୍କେ ପୁରସ୍କାର ପାଇଁ ଚୟନ କରାଯାଇଛି । ସମଗ୍ର ଦେଶ ଓ ଅନ୍ତର୍ଜାତୀୟ ସମୁଦାୟ ଏହାକୁ ନେଇ ବେଶ୍ ଖୁସି । ଏଭଳି ପୁରସ୍କାର ପାଇବାକୁ ଯାଉଥିବା ଅମିତାଭଙ୍କୁ ମଧ୍ୟ ଜାବଡେକର ଅଭିନନ୍ଦନ ଜଣାଇଛନ୍ତି । ସେହିଭଳି କେବଳ ବଲିଉଡ ନୁହେଁ, ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ମିଳିବାରେ ଲାଗିଛି ।
ସିନେମା ଜଗତକୁ ଉଲ୍ଲେଖନୀୟ ଅବଦାନ ପାଇଁ ୧୯୬୯ ମସିହାରୁ ଦାଦାସାହେବ ଫାଲ୍କେ ପୁରସ୍କାର ପ୍ରଦାନ କରାଯାଉଛି । ଗତବର୍ଷ ବିନୋଦ ଖାନ୍ନାଙ୍କୁ ମରଣୋତ୍ତର ଭାବେ ଏହି ପୁରସ୍କାର ମିଳିଥିଲା । ପୁରସ୍କାର ସ୍ୱରୂପ ଏକ ସ୍ୱର୍ଣ୍ଣ କମଳ, ମେଡାଲ, ଶାଲ୍ ଓ ୧୦ ଲକ୍ଷ ନଗଦ ଟଙ୍କା ପ୍ରଦାନ କରାଯାଇଥାଏ ।
ସୂଚନାଯୋଗ୍ୟ, ବଲିଉଡର ‘ଆଙ୍ଗ୍ରି ୟଙ୍ଗ୍ ମ୍ୟାନ୍’ ଭାବେ ପରିଚିତ ଅମିତାଭଙ୍କୁ ପୂର୍ବରୁ ଶ୍ରେÂ ଅଭିନେତା ଭାବେ ୪ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି । ଏଥିସହ ଭାରତ ସରକାର ତାଙ୍କୁ ୧୯୮୪ରେ ପଦ୍ମଶ୍ରୀ, ୨୦୦୧ରେ ପଦ୍ମଭୂଷଣ ଏବଂ ୨୦୧୫ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି । ଚଳିତବର୍ଷ ଲୋକସଭା ନିର୍ବାଚନ ପାଇଁ ଏହି ପୁରସ୍କାର ଘୋଷଣାରେ ବିଳମ୍ବ ହୋଇଛି । ଚଳତ ବର୍ଷ ନିର୍ବାଚନ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣାରେ ମଧ୍ୟ ବିଳମ୍ବ ହୋଇଥିଲା ।