ଗିନିଜ୍ ରେକର୍ଡ ଲକ୍ଷ୍ୟ: ସ୍କେଟର୍ଙ୍କୁ ଶୁଭେଚ୍ଛା

ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଆସନ୍ତା ୧ରୁ ୩ ତାରିଖ ପର୍ଯ୍ୟନ୍ତ କର୍ଣ୍ଣାଟକର ବେଲଗାଁ ଠାରେ ଶିବଗଙ୍ଗା ରୋଲର୍ ସ୍କେଟିଂ କ୍ଲବ୍ ତରଫରୁ ଆୟୋଜିତ ହେବ ଗିନିଜ୍ ବିଶ୍ୱ ରେକର୍ଡ କାର୍ଯ୍ୟକ୍ରମ । ଲଗାତର ୪୮ ଘଣ୍ଟା କଙ୍ଗୋ ଲାଇନ୍ ସ୍କେଟିଂ କରି ନୂଆ ରେକର୍ଡ ସ୍ଥାପନ କରାଯିବ । ଏଥିରେ ଭାଗ ନେବେ ବ୍ରହ୍ମପୁରର ୨୪ ଜଣ ସ୍କେଟର୍ । ଏମାନେ ବୁଧବାର କର୍ଣ୍ଣାଟକ ଯାତ୍ରା କରିଛନ୍ତି । ତେବେ ଯାତ୍ରା ପୂର୍ବରୁ ଖେଳାଳିମାନଙ୍କୁ କାଳୁପାତ୍ର ସାହିସ୍ଥିତ ରାଧାକୃଷ୍ଣ ମନ୍ଦିରରେ ସମ୍ବର୍ଦ୍ଧିତ କରାଯାଇଛି । ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ କାହ୍ନୁଚରଣ ପାତ୍ର, ଜାତୀୟ ରୋଲ୍ବଲ୍ ରେଫେରି ସୁକାନ୍ତ ଦଳବେହେରା, କୋଚ୍ ବିଭୂତି ଜେନାଙ୍କ ସମେତ ଅଭିଭାବକ ଓ ଅନ୍ୟ ସ୍କେଟର୍ମାନେ ଉପସ୍ଥିତ ରହି ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଡିଏଭି ଜୋନାଲ୍ ସ୍କେଟିଂ ମିଟ୍ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଏ.ରାଜକୁମାର, ଋଷିଲ ଶାସମଲ ଏବଂ ବ୍ରୋଞ୍ଜ୍ ମେଡାଲ୍ ଜିତିଥିବା ଟି.ଗୋକୁଳ ପାତ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇ ଥିଲା ।