ଆଖି ଦେଖାଇବାକୁ ଯାଇଥିବା ନାବାଳିକାଙ୍କୁ କାନ ଡ୍ରପ ପକାଇବାକୁ ଲେଖିଥିଲେ ଡାକ୍ତର: ଏବେ ଆଖି ନଷ୍ଟ ହେବା ଉପରେ ମାନବାଧିକାର କମିଶନ ଦେଲେ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ବର: ଡାକ୍ତରଙ୍କ ଭୁଲ୍‌ ଟ୍ରିଟ୍‌ମେଣ୍ଟ ପାଇଁ ଆଖି ହରାଇବାକୁ ପଡ଼ିଥିବା ନୟାଗଡ଼ର ନାବାଳିକାଙ୍କ ପରିବାର ଏବେ ନ୍ୟାୟ ପାଇଁ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି । ପୂର୍ବରୁ ଏନେଇ ନୟାଗଡ଼ ସିଡିଏମଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ୟ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଥିଲେ ମଧ୍ୟ କେହି ଏଥି ପ୍ରତି ଗୁରୁତ୍ବ ଦେଇନଥିବା ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ପରିବାର ।
କିଛି ଦିନ ତଳେ ଝିଅ ଆଖିରେ ସମସ୍ୟା ଦେଖାଯିବାରୁ ପରିବାର ଲୋକ ତାଙ୍କୁ ନୟାଗଡ଼ ଜିଲ୍ଲା ଦଶପଲା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ଆଖି ଡ୍ରପ୍‌ ବଦଳରେ କାନ ପାଇଁ ଡ୍ରପ୍‌ ଲେଖି ଦେଇଥିଲେ । ଯାହାକୁ ବ୍ୟବହାର କରିବା ପରେ ଝିଅଟିର ଆଖି ନଷ୍ଟ ହେବାକୁ ବସିଛି ।
ଗରିବ ପରିବାର ହୋଇଥିବାରୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏଭଳି ପରିସ୍ଥିତିରେ ନ୍ୟାୟ ପାଇଁ ପୀଡ଼ିତାଙ୍କ ପରିବାର ଏବେ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି । ଘଟଣାର ଗୁରୁତ୍ବ ଦେଖି ମାନବାଧିକାର ଏଥିରେ ହସ୍ତକ୍ଷେପ କରିବା ସହ ୩ଦିନ ଭିତରେ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇ ଘଟଣାର ଯାଂଚ କରିବାକୁ ନିର୍ଦେଶ ଦେଇଛନ୍ତି ।
ଏଥି ସହ ପୀଡ଼ିତାଙ୍କୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇଦେବାକୁ ନେଇ କ’ଣ ପଦକ୍ଷେପ ନିଆଯାଇଛି ୭ଦିନ ଭିତରେ ତା’ର ରିପୋର୍ଟ ଦେବାକୁ କହିଛନ୍ତି ।