ଭାରତର ‘ଟୋକିଓ ଟିକେଟ୍’ ଆଶା ଉଜ୍ଜ୍ୱଳ: ମହିଳା ଦଳ ୫-୧ରେ ୟୁଏସ୍ଏକୁ ହରାଇଲା

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭାରତୀୟ ପୁରୁଷ ଓ ମହିଳା ଦଳ ପାଇଁ କଳିଙ୍ଗ ଷ୍ଟାଡିୟମ୍ ସୌଭାଗ୍ୟପୂର୍ଣ୍ଣ ସାବ୍ୟସ୍ତ ହୋଇଛି । ଏଠାରେ ଚାଲିଥିବା ଏଫ୍ଆଇଏଚ୍ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ଲେଗ୍ ମୁକାବିଲାରେ ଉଭୟ ଭାରତୀୟ ଦଳ ରୋମାଞ୍ଚକର ବିଜୟ ହାସଲ କରିଛନ୍ତି । ମହିଳା ଦଳ ପ୍ରଥମ ମୁକାବିଲାରେ ୟୁଏସ୍ଏକୁ ୫-୧ ଗୋଲ୍ରେ ପରାଜିତ କରିଥିଲା । ପୁରୁଷ ଦଳ ମଧ୍ୟ ବାଦ ଯାଇ ନଥିଲା । ଦର୍ଶକଙ୍କ ସମର୍ଥନରେ ମନୋବଳ ଏକଜୁଟ କରି ପୁରୁଷ ଦଳ ୪-୨ ଗୋଲ୍ରେ ରୁଷିଆକୁ ହରାଇଥିଲା ।

ଆସନ୍ତା କାଲି ଦ୍ୱିତୀୟ ଲେଗ୍ ମୁକାବିଲା ଖେଳାଯିବ । ଦୁଇ ଭାରତୀୟ ଦଳ ଅତି କମ୍ରେ ମ୍ୟାଚ୍ ଡ୍ର’ ରଖି ପାରିଲେ ଟୋକିଓ ଅଲିମ୍ପିକ୍କୁ ଯୋଗ୍ୟତା ଅର୍ଜନ କରିବେ । ଫର୍ମାଟ୍ ଅନୁଯାୟୀ ପ୍ରତ୍ୟେକ ମ୍ୟାଚ୍ରେ ବିଜୟୀ ଦଳକୁ ୩ ପଏଣ୍ଟ ପ୍ରଦାନ କରାଯିବ । ମ୍ୟାଚ୍ ଡ୍ର’ ରହିଲେ ଉଭୟ ଦଳ ୧ ପଏଣ୍ଟ ଲେଖାଏଁ ଭାଗ କରିବେ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଲେ ଗୋଲ୍ ବ୍ୟବଧାନକୁ ଗଣନା କରାଯିବ । ସର୍ବାଧିକ ଗୋଲ୍ ସ୍କୋର କରିଥିବା ଦଳ ଯୋଗ୍ୟତା ଅର୍ଜନ କରିବ । ଉଭୟ ଦଳର ଗୋଲ୍ ସମାନ ରହିଲେ ପେନାଲ୍ଟି ସୁଟ୍ ଆଉଟ୍ର ଆବଶ୍ୟକତା ପଡ଼ିବ । ଏଥିରେ ବିଜୟୀ ଦଳ ଅଲିମ୍ପିକ ଟିକେଟ୍ ହାସଲ କରିବ ।

ପ୍ରଥମ ମ୍ୟାଚ୍ରେ ଭାରତୀୟ ମହିଳା ଦଳ ୫-୧ ଗୋଲ୍ରେ ୟୁଏସ୍ଏକୁ ହରାଇଛି । ଆସନ୍ତାକାଲି ମ୍ୟାଚ୍ ଡ୍ର’ ରହିଲେ ଭାରତ ଯୋଗ୍ୟତା ଅର୍ଜନ କରିବ । ୟୁଏସ୍ଏ ଜିତିଲେ ଗୋଲ୍ ବ୍ୟବଧାନ ଦେଖାଯିବ । ୟୁଏସ୍ଏ ଅତି କମ୍ରେ ୫-୦ ଗୋଲ୍ରେ ଜିତିପାରିଲେ ସିଧା ସଳଖ ଯୋଗ୍ୟତା ଅର୍ଜନ କରିବ ଏବଂ ୪-୦ ଗୋଲ୍ରେ ଜିତିଲେ ସୁଟ୍ ଆଉଟ୍ ସହୟତା ନିଆଯିବ ।

ଠିକ୍ ସେହିପରି ପୁରୁଷ ଦଳ ୪-୨ ଗୋଲ୍ରେ ଜିତିଥିବାରୁ ଆସନ୍ତା କାଲି ଡ୍ର’ ରଖିପାରିଲେ ମଧ୍ୟ ଅଲିମ୍ପିକ୍ ଟିକେଟ୍ ହାତେଇବ । ଅପର ପକ୍ଷରେ ଅଲିମ୍ପିକ୍ ଟିକେଟ୍ ପାଇଁ ରୁଷିଆକୁ ଅତି କମ୍ରେ ୩-୦ ଗୋଲ୍ରେ ଜିତିବାକୁ ପଡ଼ିବ ।
ଆଜିର ପ୍ରଥମ ମ୍ୟାଚ୍ରେ ଭାରତୀୟ ମହିଳା ଦଳ ପ୍ରଭାବ ବିସ୍ତାର କରି ଖେଳିଥିଲା । ମ୍ୟାଚ୍ର ଦ୍ୱିତୀୟ କ୍ୱାର୍ଟର(୨୯ତମ ମିନିଟ୍)ରେ ଓଡ଼ିଆ ଖେଳାଳି ଲିଳିମା ମିଞ୍ଜ ଗୋଲ୍ ଖାତା ଖୋଲିଥିଲେ । ତୃତୀୟ ଓ ଚତୁର୍ଥ କ୍ୱାର୍ଟରରେ ଭାରତ ୨ଟି ଲେଖାଏଁ ଗୋଲ୍ ସ୍କୋର କରିଥିଲା । ଏଥିମଧ୍ୟରୁ ଗୁରଜୀତ କୌର ୪୨ ଓ ୫୧ତମ ମିନିଟ୍ରେ ୨ଟି ଗୋଲ୍ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ୪୦ତମ ମିନିଟ୍ରେ ଶର୍ମିଳା ଓ ୪୬ତମ ମିନିଟ୍ରେ ନବନୀତ କୌର ଅନ୍ୟ ୨ଟି ଗୋଲ୍ ସ୍କୋର କରିଥିଲେ ।

ପୁରୁଷ ବର୍ଗ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ରହିଥିଲା । ରୁଷିଆ ପ୍ରାରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା । ପଞ୍ଚମ ମିନିଟ୍ରେ ଭାରତକୁ ମିଳିଥିବା ପେନାଲ୍ଟି ଷ୍ଟେ୍ରାକ୍କୁ ହର୍ମନପ୍ରୀତ ସିଂହ ଗୋଲ୍ରେ ପରିଣତ କରି ଭାରତକୁ ଅଗ୍ରଣୀ କରାଇଥିଲେ । ୧୭ତମ ମିନିଟ୍ରେ ରୁଷିଆର ଆନେ୍ଦ୍ର କୁରାଏଭ ଗୋଲ୍ ପରିଶୋଧ କରି ଦେଇଥିଲେ । ୨୪ତମ ମିନିଟ୍ରେ ମନଦୀପ ଦଳ ପକ୍ଷରୁ ଦ୍ୱିତୀୟ ଗୋଲ୍ ସ୍କୋର କରିଥିଲେ । ୪୮ତମ ମିନିଟ୍ରେ ଏସ୍ଭି ସୁନିଲଙ୍କ ଗୋଲ୍ ବଳରେ ଭାରତ ୩-୧ ଗୋଲ୍ରେ ଆଗେଇଥିଲା । ୫୩ତମ ମିନିଟ୍ରେ ମନଦୀପଙ୍କ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍ ବଳରେ ଭାରତର ବିଜୟ ଏକ ପ୍ରକାର ନିଶ୍ଚିତ ହୋଇ ଯାଇଥିଲା । ମ୍ୟାଚ୍ର ଅନ୍ତିମ ମିନିଟ୍ରେ ରୁଷିଆ ପକ୍ଷରୁ ସେମେନ ମାଟ୍କୋସ୍କି ଚତୁର୍ଥ ଗୋଲ୍ ସ୍କୋର କରିଥିଲେ । ତୃତୀୟ କ୍ୱାର୍ଟରରେ ଭାରତ ଆଉ ୩ଟି ସୁଯୋଗ ସୃଷ୍ଟି କରିଥିଲେ ହେଁ ରୁଷିଆ ଗୋଲ୍ କିପର ଏହାକୁ ଅଟକାଇ ଦେଇଥିଲେ ।