ଆନ୍ତର୍ଜାତିକ ବଜାରରେ ଓଡ଼ିଆ ପିଲା ହେବେ ପ୍ରଥମ ପସନ୍ଦ: ନବୀନ

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶାର ବୈଷୟିକ ଛାତ୍ରଛାତ୍ରୀଙ୍କୁ ଅଧିକ ଦକ୍ଷ କରାଯିବ । ସେହିଭଳି ଆଇଟିଆଇ ପିଲାମାନଙ୍କୁ ତାଲିମ ଦେଇ ତାଙ୍କୁ ପ୍ରତିଯୋଗିତାମୂଳକ ବଜାରରେ ସାମିଲ କରିବାକୁ ସମର୍ଥ କରାଯିବ । ଓଡ଼ିଶାର ଯୁବକ ଯୁବତୀଙ୍କ ଦକ୍ଷତା ଏମିତି ବିକାଶ କରାଯିବ ଯେ ବଡ଼ ଶିଳ୍ପସଂସ୍ଥା ଆଗ ଓଡ଼ିଆ ପିଲାଙ୍କୁ ଖୋଜିବେ । ବିଶ୍ୱ ବଜାରରେ ଓଡ଼ିଆ ମାନବ ସମ୍ବଳର ଚାହିଦା ଆକାଶଛୁଆଁ ରହିବ । ଏଥିପାଇଁ ରାଜ୍ୟ ସରକାର ଆଜି ୩ଟି ଟାଟା ଷ୍ଟ୍ରାଇଭ୍ ଓ ଟେକ ମହିନ୍ଦ୍ରା ସହ ୩ଟି ବୁଝାମଣା (ଏମଓୟୁ ) ସ୍ୱାକ୍ଷର କରିଛନ୍ତି ।
ଖାରବେଳ ଭବନଠାରେ ଅନୁÂିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଏମ୍ଓୟୁ ସ୍ୱାକ୍ଷର ହୋଇଥିଲା । ଓଡ଼ିଶା ବୈଷୟିକ ଶିକ୍ଷା ଓ ତାଲିମ ନିଦେ୍ର୍ଧଶାଳୟ ସହ ଟାଟା ଷ୍ଟ୍ରାଇଭର ଏମ୍ଓୟୁ ହୋଇଛି । ଏମ୍ଓୟୁ ଅନୁସାରେ ରାଜ୍ୟର ୪୯ ସରକାରୀ ଆଇଟିଆଇରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଟାଟା ଜୀବନ କୌଶଳ ସଂପର୍କରେ ତାଲିମ ପ୍ରଦାନ କରିବ । ଏହାଦ୍ୱାରା ଆଇଟିଆଇ ପିଲାମାନଙ୍କର ଦକ୍ଷତା ଆହୁରି ତୀକ୍ଷଣ ହେବା ସହ ସେମାନେ କର୍ମନିଯୁକ୍ତି ପାଇପାରିବେ । ଏପରିକି ଏହାଦ୍ୱାରା ଆନ୍ତର୍ଜାତିକ ନିଯୁକ୍ତି ମଧ୍ୟ ମିଳିବା ସହଜ ହେବ । ଓଡ଼ିଶା ବୈଷୟିକ ଶିକ୍ଷା ଓ ତାଲିମ ନିଦେ୍ର୍ଧଶକ ରେଘୁ ଜି ଏବଂ ଟାଟା ଷ୍ଟ୍ରାଇଭର ସିଇଓ ଅନିତା ରଂଜନ ଏମ୍ଓୟୁରେ ସ୍ୱାକ୍ଷର କରିଥିଲେ ।
ସେହିଭଳି ଟେକ୍ ମହିନ୍ଦ୍ରା ସହ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଓଡ଼ିଶା କଲେଜ ଅଫ ଇଂଜିନିୟରିଙ୍ଗ ଆଣ୍ଡ ଟେକନୋଲୋଜି (ସିଇଟି) ମଧ୍ୟରେ ଏକ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ମେସିନ ଲର୍ଣ୍ଣିଂ ଉପରେ ଏକ ସେଣ୍ଟର ଅଫ ଏକ୍ସଲେନ୍ସ ପ୍ରତିÂା କରାଯିବ । ବଜାରର ଚାହିଦା ଭିତ୍ତିରେ ମାନବ ସମ୍ବଳ ଚୟନ ପ୍ରତିଯୋଗିତାରେ ସଫଳ ହେବାକୁ ଏହା ଆମ ବୈଷୟିକ ପିଲାମାନଙ୍କୁ ସକ୍ଷମ କରିବାରେ ସହାୟତା କରିବ । ପ୍ରତିବର୍ଷ ଏହି ସେଣ୍ଟର ଅଫ ଏକ୍ସଲେନ୍ସିରେ ୩୦ଜଣ ଛାତ୍ରଛାତ୍ରୀ ବର୍ଷକ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନସ୍ ଓ ମେସିନ ଲର୍ଣ୍ଣିଂ ଉପରେ ତାଲିମ ପାଇପାରିବେ । ଏହି ଏମ୍ଓୟୁରେ ଟେକ ମହିନ୍ଦ୍ରାର ସିନିୟର ଭାଇସ ପ୍ରେସିଡେଣ୍ଟ ବିକେ ମିଶ୍ର, ସିଇଟି ଅଧ୍ୟକ୍ଷ ପିକେ ପାତ୍ର ଏବଂ ବିପିୟୁଟି ରେଜିଷ୍ଟ୍ରାର ଏଚଏସ ବେହେରା ସ୍ୱାକ୍ଷର କରିଥିଲେ ।
ସେହିଭଳି ଇଡ୍କୋ ଓ ଟେକ ମହିନ୍ଦ୍ରା ମଧ୍ୟରେ ମଧ୍ୟ ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଫର୍ଚୁ୍ୟନ ଟାୱାରରେ ଏକ ଆନ୍ତର୍ଜାତିକ ବିପିଓ ଖୋଲିବ । ଏଠାରୁ (ଫର୍ଚୁ୍ୟନ-୫୦୦) ଆନ୍ତର୍ଜାତିକ ଗ୍ରାହକମାନଙ୍କୁ ସେବା ଯୋଗାଇ ଦିଆଯିବ । ବିପିଓ କ୍ଷେତ୍ରରେ ଏହା ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହି ଏମ୍ଓୟୁରେ ଟେକ ମହିନ୍ଦ୍ରାର ସିନିୟର ଭାଇସ ପ୍ରେସିଡେଣ୍ଟ ବିକେ ମିଶ୍ର ଓ ଇଡକୋ ସିଜିଏମ୍ ବିକେ ଦାସ ଦସ୍ତଖତ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ଆନ୍ତର୍ଜାତିକସ୍ତରରେ ମାନବ ସମ୍ବଳ ଚୟନରେ ଓଡ଼ିଶା ସ୍ୱତନ୍ତ୍ର ବ୍ରାଣ୍ଡ ଭାବେ ଉଭା ହେଉ ଏହା ହିଁ ଆମର ଲକ୍ଷ୍ୟ । ନିକଟରେ ରଷିଆ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଆମ ପିଲାମାନେ ଉକ୍ରର୍ଷତା ପ୍ରଦର୍ଶନ କରିଛନ୍ତି । ଟାଟା ଷ୍ଟ୍ରାଇଭ୍ ଓ ଟେକ ମହିନ୍ଦ୍ରାର ସହଯୋଗରେ ଆଗାମୀ ଦିନରେ ଓଡ଼ିଆ ପିଲାମାନେ ନିଜ ଦକ୍ଷତାକୁ ଆହୁରି ପ୍ରତିପାଦିତ କରିପାରିବେ ।
ଏହି ଅବସରରେ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ବିଜେତା ଅଶ୍ୱଥ ନାରାୟଣଙ୍କୁ ମୁଖ୍ୟମନ୍ତ୍ରୀ ୧୦ ଲକ୍ଷର ପୁରସ୍କାର ପ୍ରଦାନ କରିଥିଲେ । ତାଙ୍କ ତାଲିମଦାତା (କୋଚ) ରଜତ ସାମନ୍ତରାୟଙ୍କୁ ମଧ୍ୟ ୫ ଲକ୍ଷର ପୁରସ୍କାର ମିଳିଥିଲା । ସିଭି ରମଣ ଇନଷ୍ଟିଚୁ୍ୟଟ୍ ଅଫ ଇଂଜିନିୟରିଂର ଚେୟାରମ୍ୟାନ୍ ସଂଜୀବ ରାଉତଙ୍କୁ ‘ୱାଟର ଟେକ୍ନୋଲୋଜି ସେଣ୍ଟର ଅଫ ଏକ୍ସଲେନ୍ସ’ ପ୍ରତିÂା ପାଇଁ ୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଅନ୍ୟ ସଚିବମାନେ ଉପସ୍ଥିତ ଥିଲେ ।