ଦିଲ୍ଲୀ ପ୍ରଦୂଷଣ ପ୍ରସଙ୍ଗ:କେନ୍ଦ୍ର-ରାଜ୍ୟକୁ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବାକୁ ନେଇ ସୁପ୍ରିମ୍କୋର୍ଟ ସୋମବାର ଉଭୟ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ଉପରେ ଭୀଷଣ ବର୍ଷିଛନ୍ତି । ଦିଲ୍ଲୀର ବାତାବରଣ ଏବେ ବଞ୍ଚିବା ପାଇଁ ଉପଯୁକ୍ତ ନୁହେଁ ଏବଂ ଏହା ବଞ୍ଚିବା ଅଧିକାରକୁ କ୍ଷୁଣ୍ଣ କରୁଛି ବୋଲି ସର୍ବୋଚ୍ଚ ଅଦାଲତ ଦର୍ଶାଇଛନ୍ତି ।
ସୁପ୍ରିମକୋର୍ଟ ଏଭଳି ବର୍ଷିବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟକୁ ଜବାବ ମାଗିଛନ୍ତି । ବାୟୁର ମାନରେ ସୁଧାର ଆଣିବା ଲାଗି କେଉଁ ପ୍ରକାର ପଦକ୍ଷେପ ନିଆଯାଇଛି, ତାହା ନେଇ ରିପୋର୍ଟ ଦେବାକୁ କୁହାଯାଇଛି । ଏହାବ୍ୟତୀତ ଅତ୍ୟଧିକ ନଡ଼ା (ଖୁଣ୍ଟା) ପୋଡ଼ାଯିବାକୁ କେନ୍ଦ୍ରକରି ସୁପ୍ରିମକୋର୍ଟ ପଞ୍ଜାବ ଓ ହରିଆଣା ସରକାରଙ୍କୁ ତାଗିଦ୍ କରିଛନ୍ତି । ପରବର୍ତ୍ତୀ ଶୁଣାଣି ବୁଧବାର ହେବ ବୋଲି ଜଣାପଡ଼ିଛି ।
ସୁପ୍ରିମ୍କୋର୍ଟ କହିଛନ୍ତି, ଦିଲ୍ଲୀରେ ଯେଉଁଭଳି ଭାବେ ପ୍ରଦୂଷଣ ବଢ଼ିଛି, ସେଥିରେ ବଞ୍ଚିବା ମୁସ୍କିଲ । ଏହାର ପ୍ରତିକାର ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେବା ଆବଶ୍ୟକ । ସହର ମଧ୍ୟରେ କୌଣସି ଗୋଟିଏ ଘର ବି ନିରାପଦ ନୁହେଁ । ଏହାପରେ ସୁପ୍ରିମକୋର୍ଟ ପଞ୍ଜାବ, ହରିଆଣା ଓ ଉତ୍ତର ପ୍ରଦେଶର ମୁଖ୍ୟ ଶାସନ ସଚିବଙ୍କୁ କୋର୍ଟରେ ହାଜର ହୋଇ ଜବାବ ଦେବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଏହାସହିତ ବିଶେଷଜ୍ଞଙ୍କ ପରାମର୍ଶ ନେଇ ତୁରନ୍ତ ପ୍ରତିକାର ବ୍ୟବସ୍ଥା କରିବା ଲାଗି କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ନିଦେ୍ର୍ଧଶ ଦିଆଯାଇଛି ।
ସୁପ୍ରିମ୍କୋର୍ଟ ଦିଲ୍ଲୀରେ ଲାଗୁ ହୋଇଥିବା ଯୁଗ୍ମ-ଅଯୁଗ୍ମ ସ୍କିମ୍ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏଭଳି ସ୍କିମ୍ କାର୍ଯ୍ୟକାରୀ କରିବା ପଛରେ ତର୍କ କ’ଣ ରହିଛି ବୋଲି ଅଦାଲତ ଜାଣିବାକୁ ଚାହିଁଛନ୍ତି । ଏଥିପାଇଁ ଶୁକ୍ରବାର ସୁଦ୍ଧା ଆବଶ୍ୟକ ତଥ୍ୟ ଓ ରେକର୍ଡ ପ୍ରସ୍ତୁତ କରି ଦାଖଲ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ବାୟୁ ପ୍ରଦୂଷଣ କମାଇବା ପାଇଁ ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଏହି ନିୟମ ଲାଗୁ କରିବା ପରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ କେତେ ମାତ୍ରାରେ କମିଛି ଏନେଇ ସବିଶେଷ ତଥ୍ୟ ଦେବାକୁ ଦିଲ୍ଲୀ ସରକାରଙ୍କୁ କୁହାଯାଇଛି ।
ଉଲ୍ଲେଖଯୋଗ୍ୟ, ପଞ୍ଜାବ, ହରିଆଣା ଏବଂ ଉତ୍ତରପ୍ରଦେଶ ଆଦି ରାଜ୍ୟରେ ନଡ଼ା ଜଳାଇ ବାୟୁ ପ୍ରଦୂଷଣ କରିବାର ମାତ୍ରା ସର୍ବାଧିକ ରହିଛି । ଏଣୁ ଏହାର ସମୀକ୍ଷା କରି ନଭେମ୍ବର ୬ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୋର୍ଟ ଏହି ରାଜ୍ୟମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଇତିମଧ୍ୟରେ ଏହି ରାଜ୍ୟମାନଙ୍କରେ ବିଦୁ୍ୟତ୍ କାଟ ନ କରିବାକୁ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ବିଦୁ୍ୟତ୍ କାଟ ନ କରାଗଲେ ଡିଜେଲ ଜେନେରେଟରର ବ୍ୟବହାର ବାବଦରେ ସୁନିଶ୍ଚିତ କରାଯାଇ ପାରିବ ବୋଲି କୋର୍ଟ କହିଛନ୍ତି ।