ବାଲିଯାତ୍ରାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ପାରାଦୀପ,(ବି.ବି.ନୁ୍ୟଜ୍): କଳିଙ୍ଗ ବାଲିଯାତ୍ରାକୁ ନେଇ ଆଜି ବିଜେଡି-ବିଜେପି ମୁହାଁମୁହିଁ ହୋଇଥିଲେ । ପାରାଦୀପ ପୌରପାଳିକା ସାମ୍ନା ଆଜି ରଣକ୍ଷେତ୍ର ପାଲଟିଥିଲା । ବିଜେପି ଓ ବିଜେଡି ଦଳର କର୍ମୀ ନିଜ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଯାଇ ଶତାଧିକ ସମର୍ଥକଙ୍କୁ ଏକଜୁଟ କରାଇଥିଲେ । ଏପରିକି ଆଗକୁ କିଛି ଅଘଟଣ ଘଟିବା ଆଶଙ୍କାରେ ଘଟଣାସ୍ଥଳରେ ୪ ପ୍ଲାଟୁନ୍ ପୁଲିସ ମଧ୍ୟ ମୁତୟନ ଥିଲେ । ଦିନ ୧୨ ଟା ବେଳକୁ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ । ଏପରିକି ପୁଲିସ ଉପସ୍ଥିତିରେ ଉଭୟ ଦଳର କର୍ମୀ ମାନେ ଠେଲାପେଲା ହୋଇଥିଲେ । ପରିସ୍ଥିତି ଏମିତି ହୋଇ ଥିଲା ଯେ ପୁଲିସ ସେମାନଙ୍କୁ ଆୟତ୍ତ କରିବାକୁ ଯାଇ ନାକେଦମ୍ ହୋଇଥିଲା । ଉଭୟ ପକ୍ଷରୁ ବୋତଲ ଓ ଇଟା ପଥର ମାଡ଼ ମଧ୍ୟ ହୋଇଥିଲା । ଯେଉଁଥିରେ ବିଜେପିର ଜଣେ କର୍ମୀଙ୍କ ଆଖିରେ ଗଭୀର ଆଘାତ ଲାଗିଥିଲା । ପରିସ୍ଥିତି ଅଣାୟତ୍ତ ହେବାକୁ ଯାଉଥିବା ଦେଖି ପୁଲିସ ବାଧ୍ୟ ହୋଇ ବିଜେଡି କର୍ମୀ ମାନଙ୍କୁ ଶୋଭାଯାତ୍ରାରେ ଯିବାକୁ ପରାମର୍ଶ ଦେଇଥିଲା । ବାଲିଯାତ୍ରାକୁ ନେଇ ଏତେ ଭୟଙ୍କର ବିରୋଧ କେବେ ହୋଇନଥିବା ବେଳେ ଏହାକୁ କେମିତି ସୁରୁଖୁରୁରେ ସମ୍ପାଦନ କରିବାକୁ ହେବ ସେ ନେଇ ଏବେ ବାଲିଯାତ୍ରା କମିଟି ଚିନ୍ତା ପ୍ରକଟ କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଛି ।
ପାରାଦୀପ ପୌରପାଳିକା ଆଗରେ ଗତ ୪ଦିନ ହେବ ବିଜେପି ପକ୍ଷରୁ ଧାରଣା ଦିଆଯାଉଛି । ଗତକାଲି ବିଜେପି ଏକ ଶୋଭାଯାତ୍ରା କରିବାକୁ ଚାହୁଁଥିବା ବେଳେ ବିଜେଡି ମଧ୍ୟ ନିଜର ମହା ପ୍ରଗତି ସମାବେଶ କରିବାକୁ ଆବେଦନ କରିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଜି ଦିନ ୧୦ଟାରୁ ୧୧ଟା ଭିତରେ ବିଜେପି ଏହାର ଶୋଭାଯାତ୍ରା କରି ଲୋକଙ୍କୁ ବାଲିଯାତ୍ରାରେ ଦୁର୍ନୀତି ବିରୋଧରେ ସଚେତନ କରାଇବ ବୋଲି ଘୋଷଣା କରିଥିଲା । ମାତ୍ର ସେହି ଏକା ସମୟରେ ସେହି ପୌର ପାଳିକା ଭବନ ସାମ୍ନାରେ ବିଜେଡି ମଧ୍ୟ ପ୍ରଗତି ସମାବେଶ କରିବ ବୋଲି ପୁଲିସ ପାଖରେ ଅନୁମତି ମାଗିଥିଲା ଯାହାକୁ ନେଇ ବିବାଦ ଦେଖାଦେଇଥିଲା । ଗତକାଲି ରାତି ୧୦ଟା ବେଳେ ପୁଲିସ ଜାଣିଶୁଣି ବିଜେଡିକୁ ଶୋଭାଯାତ୍ରା ପାଇଁ ଅନୁମତି ଦେଇଥିବା ଅଭିଯୋଗରେ ଅତିରିକ୍ତ ଏସ୍ପିଙ୍କୁ ଦାବିପତ୍ର ଦେଇଥିଲା । ଆଜି ସକାଳେ ମଧ୍ୟ ଏ ନେଇ ବିଜେପି ପକ୍ଷରୁ ଟ୍ରଷ୍ଟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ରଖାଯାଇଥିଲା । ବାଲିଯାତ୍ରାରେ ଟେଣ୍ଡର ପୂର୍ବରୁ ୫୦ରୁ ୮୦ ପ୍ରତିଶତ କାମ କିଭଳି ସରିଲା ସେ ନେଇ ଜିଲ୍ଲାପାଳ ଆନେ୍ଦାଳନସ୍ଥଳକୁ ଆସି ସ୍ପଷ୍ଟୀକରଣ ନ ରଖିବା ପର୍ଯ୍ୟନ୍ତ ବିଜେପି ଆନେ୍ଦାଳନ ଜାରି ରଖିବ ବୋଲି ସ୍ପଷ୍ଟ କରିଥିଲା । ଏହାପରେ ଦିନ ୧୧ଟା ବେଳକୁ ବିଜେଡିିର ଶତାଧିକ କର୍ମୀ ମାଇକ୍ ବଜାଇ ଶୋଭାଯାତ୍ରା ଆରମ୍ଭ କରିବେ ବୋଲି ଆସି ପହଞ୍ଚିଥିଲେ । ହେଲେ ବିଜେପି କର୍ମୀଙ୍କ ଶୋଭାଯାତ୍ରା ବାହାର କରିବାରେ ବିଳମ୍ବ ହେବାରୁ ପୁଲିସ ବିଜେଡି କର୍ମୀଙ୍କୁ ଟିକେ ବିଳମ୍ବରେ ଶୋଭାଯାତ୍ରା ବାହାର କରିବାକୁ ପରାମର୍ଶ ଦେଇଥିଲେ । ହେଲେ ଉଭୟ ପକ୍ଷ ମାଇକ୍ରେ ନିଜର ଗୋହି ଖୋଳାଖୋଳି ହୋଇଥିଲେ । ପରସ୍ଥିତି ଏମିତି ହୋଇଥିଲା ଯେ ଉଭୟ ଦଳ କର୍ମୀଙ୍କ ଭିତରେ ଧସ୍ତାଧସ୍ତି ହୋଇଥିଲା । ପାଣି ବୋତଲ ଓ ଇଟା ମାଡ଼ ହୋଇଥିଲା । ଏଥିରେ ବିଜେପିର କର୍ମୀ ବାଲିଝରାର ସହଦେବ ମଣ୍ଡଳଙ୍କ ଆଖିରେ ଗଭୀର ଆଘାତ ଲାଗିଥିଲା । ବିଜେଡି ଦଳର କର୍ମୀ ଲୋଭା ବେହେରା ମଧ୍ୟ ଆହତ ହୋଇଥିବା ବେଳେ ବିଜେଡିିର ପ୍ରଚାର ଗାଡ଼ିର କାଚ ଭାଙ୍ଗିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପାରାଦୀପ ଥାନା, ଅଭୟଚାନ୍ଦପୁର ଥାନା, ଲକ୍ ଥାନା, ମେରାଇନ୍ ଥାନା ଆଇଆଇସିଙ୍କ ସମେତ ଅତିରିକ୍ତ ଏସ୍ପି ଓ କୁଜଙ୍ଗ ତହସିଲଦାର ଉପସ୍ଥିତ ରହି ଘଟଣା ଉପରେ ନଜର ରଖିଥିଲେ । ପୁଲିସ ଉଭୟ ପକ୍ଷକୁ ବୁଝାଶୁୁଝା କରିବା ପରେ ବିଜେଡି କର୍ମୀ ମାନେ ଶୋଭାଯାତ୍ରାରେ ବାହାରିଥିଲେ । ଏପଟେ ବିଜେପି କର୍ମୀ ମାନେ ନେତା ସମ୍ପଦ ସ୍ୱାଇଁଙ୍କ ନେତୃତ୍ୱରେ ରାସ୍ତାରେ ବସି ପ୍ରତିବାଦ କରିଥିଲେ । ଧୀରେ ଧୀରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ତଥାପି ଆଜି ଉଭୟ ପକ୍ଷ ନେତାଙ୍କ ଆରୋପ ପ୍ରତ୍ୟାରୋପ ଦେଖିବାକୁ ସାଧାରଣ ଲୋକଙ୍କର ମଧ୍ୟ ଗହଳି ଲାଗିଥଲା । ଉଭୟ ପକ୍ଷ ନିଜ ନିଜ ଗୋହି ଖୋଳିବାକୁ ସବୁ ସୀମା ଟପିଯାଇଥିଲେ ।
ବାଲିଯାତ୍ରାକୁ ନେଇ ଚାଲିଥିବା ବିବାଦ ଚରମସୀମାରେ ପହଞ୍ଚିଥିବା ବେଳେ ଏବେ ଆଗାମୀ ବାଲିଯାତ୍ରାକୁ କିଭଳି ସଫଳ କରାଯିବ ସେନେଇ ଚିନ୍ତାରେ ପଡ଼ିଛନ୍ତି ଆୟୋଜକ କମିଟି । କମିଟିର ଅଧିକାଂଶ ସଦସ୍ୟ ଏବେ ଦଳୀୟ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବାରୁ କାର୍ଯ୍ୟକ୍ରମ ପାଇଁ ସମୟ ଦେଇ ପାରୁନଥିବା ଜଣାପଡ଼ିଛି । ଏପରିକି କମିଟିର ବିଭିନ୍ନ ପଦପଦବିରେ ଥିବା ପ୍ରଶାସନିକ ଅଧିକାରୀ ମାନେ ବାଲିଯାତ୍ରାକୁ କିଭଳି ସୁରୁଖୁରୁରେ କରିବେ ସେଥିପାଇଁ ଅଣ୍ଟା ଭିଡ଼ିଛନ୍ତି । ଏପରିିକି ବାଲିଯାତ୍ରା ଏକ ସାଂସ୍କୃତିକ ଯାତ୍ରା ହୋଇଥିବା ବେଳେ ଏହାକୁ ବଦନାମ କରିବାକୁ ଚେଷ୍ଟା କରାଯାଉଥିବାରୁ ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ପାରାଦୀପର ଗଣପର୍ବ ଭାବେ ବାଲିଯାତ୍ରାର ଯଥେଷ୍ଟ ଖ୍ୟାତି ରହିଥିବାରୁ ଏହାକୁ ବଦନାମ ନ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।