୫ -ଟି ସଚିବ ପାଣ୍ଡିଆନ ବଲାଙ୍ଗୀର ମେଡିକାଲରେ ପରିମଳ ବ୍ୟବସ୍ଥା ନେଇ ଅସନ୍ତୁଷ୍ଟ

ବଲାଙ୍ଗୀର:ରାଜ୍ୟ ସରକାରଙ୍କ ୫ -ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଆଜି ବଲାଙ୍ଗୀର ଗସ୍ତରେ ଆସି ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାକୁ କୁ ଯାଇ ବିଭିନ୍ନ ୱାର୍ଡ ବୁଲିବା ସହିତ ସ୍ଥିତି ପରଖି ଦେଖିଛନ୍ତି । ଡାକ୍ତରଖାନର ପରିମଳ ବ୍ୟବସ୍ଥା ନେଇ ସେ କିଛି ଅସନ୍ତୋଷ ପ୍ରକଟ କରିଥିବା ମଧ୍ୟ ଖବର ମିଳିଛି । ତେବେ, ପ୍ରଥମେ ଶ୍ରୀ ପାଣ୍ଡିଆନ ଡାକ୍ତରଖାନା ପରିସରରେ ଥିବା ମାତୃ ଓ ଶିଶୁ ବିଭାଗକୁ ପରିଦର୍ଶନରେ ଯାଇ ଶିଶୁ ୱାଡ ବୁଲି ଦେଖିଥିଲେ ଓ ସେଠାକାର ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ପରେ ସର୍ଜରୀ ୱାଡକୁ ମଧ୍ୟ ଯାଇ ରୋଗୀଙ୍କ ସହିତ ଆଲୋଚନା କରିଥିଲେ । ରୋଗୀମାନଙ୍କୁ ଦିଆଯାଉଥିବା ରନ୍ଧା ଖାଦ୍ୟର ମାନ ପଚାରି ବୁଝିବା ସହିତ ରୋଗୀମାନଙ୍କୁ ଠିକ ଭାବେ ମାଗଣା ଔଷଧ ପ୍ରଦାନ କରାଯାଉଛି କି ନାହିଁ ତାହା ବି ପଚାରି ବୁଝିଥିଲେ । ଖୁବ କମ ସମୟ ଧରି ଶ୍ରୀ ପାଣ୍ଡିଆନ ଡାକ୍ତରଖାନାରେ ରହିଥିବା ବେଳେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ନଦେଇ ସୋନପୁର ଅଭିମୁଖେ ଚାଲିଯାଇଥିଲେ ।