ଓଡ଼ିଶାକୁ ଘଷିହୋଇ ଯିବ ‘ବୁଲ୍‌ବୁଲ୍‌’: ସ୍ଥିତି ସମୀକ୍ଷା କଲା ପିଏମ୍‌ଓ, ଶନିବାର ୯ ଜିଲ୍ଲାରେ ସ୍କୁଲ, କଲେଜ ଛୁଟି, ୯ ଜିଲ୍ଲାକୁ ପଠାଗଲା ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଟିମ୍‌

ଭୁବନେଶ୍ୱର: ବାତ୍ୟା ‘ବୁଲ୍‌ବୁଲ୍‌’ ସିଧା ଓଡ଼ିଶାରେ ମାଡ଼ ହେବନି । ହେଲେ ଓଡ଼ିଶା ଉପକୂଳ କଡ଼େ କଡ଼େ ଘଷି ହୋଇ ଯାଇପାରେ । ପାରାଦୀପ ଓ ପୁରୀ ପାଖ ଦେଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ସୀମା ଆଡ଼କୁ ପଳାଇବ । ‘ବୁଲ୍‌ବୁଲ୍‌’ର ସିଧା ପ୍ରକୋପରୁ ଓଡ଼ିଶା ବର୍ତ୍ତିଯିବ । ତଥାପି ରାଜ୍ୟରେ ବର୍ଷା, ପବନ ଆଶଙ୍କା ରହିଛି ।ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବ । କେତେକ ଜାଗାରେ ପ୍ରବଳ ବର୍ଷା ହୋଇପାରେ । ଶୁକ୍ରବାର ସନ୍ଧ୍ୟାରୁ ବର୍ଷା ଓ ପବନ ବଢ଼ିବ । ଶନିବାର ଏହା ପ୍ରକୋପ ଅଧିକ ହେବ । ଘଣ୍ଟା ପ୍ରତି ୭୦ରୁ ୯୦ କିଲୋମିଟର ବେଗରେ ପବନ ବହିପାରେ ।
ଭାରତୀୟ ପାଣିପାଗ କେନ୍ଦ୍ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟା ‘ବୁଲ୍‌ବୁଲ୍‌’ ଆଜି ସନ୍ଧ୍ୟାରେ ଭୀଷଣ ବାତ୍ୟା (ସିଭିୟର ସାଇକ୍ଲୋନ) ରୂପ ନେଇଛି । ଏହା ଅତି ଭୀଷଣ ବାତ୍ୟା (ଭେରି ସିଭିୟର ସାଇକ୍ଲୋନ୍‌) ହୋଇପାରେ । ଆଜି ରାତିରେ ‘ବୁଲ୍‌ବୁଲ୍‌’ ପାରାଦୀପଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୪୭୦ କିଲୋମିଟର ଦୂରରେ ଥିଲା । ଘଣ୍ଟା ପ୍ରତି ୧୬ କିମି ବେଗରେ ଆଗକୁ ବଢ଼ୁଥିଲା । ପ୍ରଥମେ ଉତ୍ତର-ଉତ୍ତର ପଶ୍ଚିମ ଓ ପରେ ଉତ୍ତର ଦିଗରେ ଚାଲିବ । ୯ ତାରିଖ ସକାଳୁ ଦିଗ ବଦଳାଇ ଉତ୍ତର-ପୂର୍ବ ଦିଗରେ ମୁହାଁଇବ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ।
ଅନୁମାନ କରାଯାଉଛି, ବାତ୍ୟା ୧୦ ତାରିଖ ସନ୍ଧ୍ୟା ସୁଦ୍ଧା ବାଂଲାଦେଶ ଓ ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଛୁଇଁପାରେ । ସେତେବେଳକୁ ‘ବୁଲ୍‌ବୁଲ୍‌’ ତୀବ୍ରତା ବହୁ ମାତ୍ରାରେ କମି ଯାଇଥିବ । ଏପରିକି ସ୍ଥଳଭାଗ ନ ଛୁଇଁ ଏହା ସମୁଦ୍ର ଭିତରେ ଦୁର୍ବଳ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ଶୁକ୍ରବାର ଉତ୍ତର ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁରରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଶନିବାର ଉତ୍ତର ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ଏସବୁ ଜିଲ୍ଲାରେ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି ହୋଇଛି । କଟକ, ଯାଜପୁର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ । ତେଣୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୦ ତାରିଖରୁ ବର୍ଷା ପ୍ରକୋପ କମିବ ।
ଆଇଏମଡି କହିଛି, ଉପକୂଳ ଓଡ଼ିଶାରେ ଶୁକ୍ରବାର ସକାଳୁ ପବନ ବହିବ । ଅପରାହ୍ନ ସୁଦ୍ଧା ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକରେ ୪୫-୫୫ କିମି ବେଗରେ ପବନ ବହିପାରେ । ପବନର ଧକ୍କା ୬୫ କିମି ପର୍ୟ୍ୟନ୍ତ ଛୁଇଁପାରେ । ୯ ତାରିଖ (ଶନିବାର) ପବନ ଆହୁରି ବଢ଼ିବ । ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକରେ ୭୦-୮୦ କିମି ବେଗରେ ପବନ ବହିପାରେ । ମଝିରେ ମଝିରେ ଘଣ୍ଟା ପ୍ରତି ୯୦ କିମି ବେଗରେ ଧକ୍କା ମାରିପାରେ ପବନ । ପୁରୀ, ଗଞ୍ଜାମ, ଯାଜପୁର ଜିଲ୍ଲାରେ ଆସନ୍ତା ଦୁଇଦିନ ୪୦-୫୦ କିମି ବେଗରେ ପବନ ବହିପାରେ । ପବନର ଧକ୍କା ଘଣ୍ଟା ପ୍ରତି ୬୦ କିମି ପର୍ୟ୍ୟନ୍ତ ପହଞ୍ଚିପାରେ । ୧୦ ତାରିଖରୁ ପବନ କମିବ ।
ବିଦେଶୀ ପାଣିପାଗ ସଂସ୍ଥା ଜଏଣ୍ଟ ଟାଇଫୁନ୍‌ ସେଣ୍ଟରର ପୂର୍ବାନୁମାନକୁ ଆଧାର କରି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ‘ବୁଲ୍‌ବୁଲ୍‌’ ଓଡ଼ିଶା ଉପକୂଳ ପାଖ ଦେଇ ଯିବାବେଳେ ଏହାର ବାହ୍ୟ ମଣ୍ଡଳ ପାରାଦୀପ ଓ ପୁରୀ ପାଖରେ ଘଷି ହୋଇଯିବ । ୮ ତାରିଖ ସନ୍ଧ୍ୟାରୁ ରାଜ୍ୟରେ ବର୍ଷା ହେବ । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହୋଇପାରେ ।
୯ ତାରିଖ ସକାଳେ ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱରରେ ହାଲୁକାରୁ ମଧ୍ୟମ ବର୍ଷା ହେବ । କେତେକ ଜାଗାରେ ପ୍ରବଳ ବର୍ଷା ହେବ । ସମୁଦ୍ର ତଟରୁ ୧୫ କିମି ଭିତରେ ମୁଖ୍ୟତଃ ବର୍ଷା ଅଧିକ ରହିବ । ୪୦ରୁ ୫୦ କିମି ବେଗରେ ପବନ ବହିପାରେ ।
ସେ କହିଛନ୍ତି, ୯ ତାରିଖ ସକାଳେ ବାତ୍ୟା ଓଡ଼ିଶାର ସବୁଠୁ ନିକଟରେ ଥିବା ଅନୁମାନ କରାଯାଉଛି । ପାରାଦୀପଠାରୁ ପ୍ରାୟ ୯୫-୧୦୦ କିମି ଦୂରରେ ରହିପାରେ ‘ବୁଲ୍‌ବୁଲ୍‌’ । ଏହାର ବାହ୍ୟମଣ୍ଡଳ ଉପକୂଳରେ ଘଷି ହୋଇ ଯାଉଥିବାରୁ ଶନିବାର ସକାଳୁ ସନ୍ଧ୍ୟା ପର୍ୟ୍ୟନ୍ତ ଓଡ଼ିଶାରେ ବାତ୍ୟା ପ୍ରଭାବ ଅନୁଭୂତ ହେବ ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିର୍ଭସିଟିର ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ହେଲା, ବାତ୍ୟା ପୁରୀ ପାଖ ଦେଇ ସମୁଦ୍ରରେ ଯିବ । ଏହା ପ୍ରଭାବରେ ୮ରୁ ୧୦ ତାରିଖ ପର୍ୟ୍ୟନ୍ତ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ କଟକରେ ପ୍ରବଳ ବର୍ଷା ସମ୍ଭାବନା ଅଛି । କେତେକ ଜାଗାରେ ଅତି ପ୍ରବଳ ବର୍ଷା ହୋଇପାରେ । ୧୧ରେ ମଧ୍ୟ ବର୍ଷା ସମ୍ଭାବନା ଅଛି । ବାତ୍ୟା ପ୍ରଭାବରେ ଆସନ୍ତାକାଲି ରାତିରୁ ପବନ ବଢ଼ିବ । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକରେ ସର୍ବାଧିକ ୭୫ରୁ ୧୦୦ କିମି ବେଗରେ ପବନ ବହିପାରେ ।
ବାତ୍ୟା ପ୍ରଭାବ ଯୋଗୁ ଆସନ୍ତାକାଲିଠାରୁ ସମୁଦ୍ର ଅଶାନ୍ତ ରହିବ । ୯ ଓ ୧୦ ତାରିଖରେ ସମୁଦ୍ର ଆହୁରି ଅଶାନ୍ତ ହେବ । ପୁରୀରୁ ଚାନ୍ଦବାଲି ପର୍ୟ୍ୟନ୍ତ ସମୁଦ୍ରରେ ଉଚ୍ଚ ଜୁଆର ଉଠିପାରେ । ଏଥିପାଇଁ ସମସ୍ତ ବନ୍ଦରରେ ଦୁଇ ନମ୍ବର ବିପଦ ସଙ୍କେତ ଜାରି ହୋଇଛି । ସମୁଦ୍ରରେ ମାଛ ଧରା ବାରଣ କରାଯାଇଛି । ସମୁଦ୍ର ଭିତରକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ମନା କରାଯାଇଛି ।
ପାଣିପାଗ ବିଭାଗ ସତର୍କ କରାଇ ଦେଇଛି, ବର୍ଷା ଓ ପବନରେ ଚାଳ ଛପର ଓ କଚ୍ଚା ଘର ଭାଙ୍ଗିଯିବ । ବିଜୁଳି ସେବା ଆଂଶିକ ପ୍ରଭାବିତ ହୋଇପାରେ । ରାସ୍ତାଘାଟ କ୍ଷତିଗ୍ରସ୍ତ ହେବା ସମ୍ଭାବନା ଅଛି । ଗଛ ଉପୁଡ଼ିବା ସହ ବହୁ ଗଛର ଡାଳ ଭାଙ୍ଗିପାରେ । କଦଳୀ ଓ ଅମୃତ ଭଣ୍ଡା ଗଛ ବେଶି ନଷ୍ଟ ହେବା ଆଶଙ୍କା ଅଛି । ଉପକୂଳ ଅଞ୍ଚଳରେ ଫସଲ ନଷ୍ଟ ହେବା ଆଶଙ୍କା ଦେଖା ଦେଇଛି ।