ଇମ୍ରାନଙ୍କ ଭାଗ୍ୟ ପରୀକ୍ଷା

Get real time updates directly on you device, subscribe now.

ଇସଲାମାବାଦ: ପାକିସ୍ତାନର ରାଜନୀତି ପାଇଁ ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ ୯ ତାରିଖ ଏକ ବହୁତ ବଡ଼ ଦିନ ହେବାକୁ ଯାଉଛି । ଶନିବାର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାଗ୍ୟ ପରୀକ୍ଷା ହେବ । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ତାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ଭୋଟ୍ ଗ୍ରହଣ ଅନୁÂିତ ହେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ସଂସଦର କାର୍ଯ୍ୟକାଳ ସକାଳ ୧୧ଟାରେ ଆରମ୍ଭ ହେବାକୁ ଥିବାବେଳେ ୬ ସୂତ୍ରୀ ଏଜେଣ୍ଡାରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂକୁ ୪ ନମ୍ବର ସ୍ଥାନରେ ରଖାଯାଇଛି । ଯଦି ଇମ୍ରାନ୍ ଏହି ଭୋଟିଂରେ ପରାସ୍ତ ହୁଅନ୍ତି ତା’ ହେଲେ ବିରୋଧୀ ଦଳଙ୍କ ସରକାର ଗଠିତ ହେବ । ଶାହବାଜ୍ ସରିଫ୍ ଦେଶର ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ଏପରି ହେଲେ ଇମ୍ରାନ୍ଙ୍କ ପାଇଁ ବଡ଼ ସମସ୍ୟା ହୋଇପାରେ । ସଂସଦ ଭଙ୍ଗ କରିବା ଓ ଅନାସ୍ଥା ପ୍ରସ୍ତାବକୁ ଖାରଜ କରାଇବାର ଷଡ଼ଯନ୍ତ୍ର ଲାଗି ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଚାଲିପାରେ । ପାକିସ୍ତାନରେ ଦେଶଦ୍ରୋହୀଙ୍କୁ ଆଜୀବନ ଜେଲ୍ଦଣ୍ଡରୁ ଆରମ୍ଭ କରି ମୃତୁ୍ୟ ଦଣ୍ଡ ମିଳିବାର ବି ପ୍ରାବଧାନ ରହିଛି ।
ସେପଟେ ଇମ୍ରାନ୍ ସରକାରଙ୍କ ମନ୍ତ୍ରୀ ଶିରିନ୍ ମଜାରୀ ଟ୍ୱିଟ୍ କରି ସୁପ୍ରିମକୋର୍ଟ ଏହି ରାୟ ଦ୍ୱାରା ଆଇନ ଆଳରେ କ୍ଷମତା ପରିବର୍ତ୍ତନ କରିଥିବା ଅଭିଯୋଗ କରିଛନ୍ତି । ଏହାସବୁ ଆମେରିକାର ଷଡ଼ଯନ୍ତ୍ରର ଅଂଶବିଶେଷ ବୋଲି ସେ ଦର୍ଶାଇଛନ୍ତି । ଇତିମଧ୍ୟରେ ପିଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ ଇମ୍ରାନ୍ ଶୁକ୍ରବାର କହିଛନ୍ତି, ଦେଶର ଜନତା ମୋ ସହିତ ଅଛନ୍ତି । ମୁଁ ଦେଶ ପାଇଁ ପିତା ଭଳି ଏବଂ ଶେଷ ବଲ୍ ଯାଏ ଲଢ଼ିବି । ଇମ୍ରାନ୍ ଆଜି ମଧ୍ୟ ତାଙ୍କ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଥିଲେ । ସେଠାରେ ସେ ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ପଛରେ ବିଦେଶୀ ଷଡ଼ଯନ୍ତ୍ର ଦିଗ ସଂପର୍କରେ ତଦନ୍ତ କରିବା ଲାଗି ଏକ କମିଶନ ଗଠନ କରିଛନ୍ତି । ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ତାରିକ ଖାନ୍ ତା’ର ଅଧ୍ୟକ୍ଷତା କରିବେ । ଇମ୍ରାନ୍ଙ୍କ ସରକାରକୁ ଗାଦିଚୁ୍ୟତ କରିବା ଲାଗି ଏହି ଷଡ଼ଯନ୍ତ୍ର କେଉଁଠାରେ ରଚନା କରାଯାଇଥିଲା ଏବଂ ଏଥିରେ କିଏ ସ୍ଥାନୀୟ ଭାବେ ସାମିଲ ଆୟୋଗ ତାର ତଦନ୍ତ କରିବେ ।
ଅନ୍ୟପଟେ ବିରୋଧୀ ଦଳ ଇସ୍ଲାମାବାଦରେ ଏକ ରାଲି ବାହାର କରିବାକୁ ଯୋଜନା କରୁଛନ୍ତି । ଏହାପରେ ସେମାନଙ୍କର ନେତା ପାଳି କରି ମିଡିଆ ସହ ଆଲୋଚନା କରିବେ । ଏହି ରାଲିକୁ ନୱାଜ ସରିଫ୍ ଲଣ୍ଡନରୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ସମ୍ବୋଧନ କରିପାରନ୍ତି । ବିରୋଧୀ ମେଣ୍ଟର ମୁଖ୍ୟ ମୌଲାନା ଫଜଲ-ଉର-ରହମାନ୍ କହିଛନ୍ତି, ତାଙ୍କ ମେଣ୍ଟ ଦେଶର ଚାରିଟି ଯାକ ପ୍ରଦେଶରେ ଇମ୍ରାନ୍ ଖାନ୍ଙ୍କ ଦଳକୁ କ୍ଷମତାକୁ ଆସିବାକୁ ଦେବନାହିଁ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଗଣତନ୍ତ୍ରର ଜିତ୍ ଓ ତାନାଶାହିର ହାର୍ । ଆମେ ରହୁ ବା ନ ରହୁ ଦେଶରେ ଗଣତନ୍ତ୍ର ରହିବା ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି । ସୂଚନାଥାଉକି, ପାକ୍ ସଂସଦରେ ବହୁମତ ସାବ୍ୟସ୍ତ କରିବା ଲାଗି ୧୭୨ ଜଣ ସଦସ୍ୟଙ୍କର ସମର୍ଥନ ଆବଶ୍ୟକ । ବିରୋଧୀ ମେଣ୍ଟ ନିକଟରେ ଏହି ସଂଖ୍ୟକ ସଦସ୍ୟ ଥିବା ସେମାନେ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons