ଓଡ଼ିଶାକୁ ସ୍ୱତନ୍ତ୍ର ଶ୍ରେଣୀ ରାଜ୍ୟର ମାନ୍ୟତା ଦିଅ : ରାଜ୍ୟସଭାରେ ସସ୍ମିତଙ୍କ ଦାବି

Get real time updates directly on you device, subscribe now.

ନୂଆଦିଲ୍ଲୀ: ଓଡ଼ିଶାକୁ ସ୍ୱତନ୍ତ୍ର ଶ୍ରେଣୀ ରାଜ୍ୟର ପାହ୍ୟା ପ୍ରଦାନ କରିବାକୁ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର ବୁଧବାର ରାଜ୍ୟସଭାରେ ଦାବି କରିଛନ୍ତି । ଏହି ପ୍ରସଙ୍ଗକୁ ଗୃହରେ ଉଠାଇ ସେ କହିଛନ୍ତି, ଓଡ଼ିଶା ପ୍ରତିବର୍ଷ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ରାଜ୍ୟର ୮୦ ପ୍ରତିଶତ ଭୌଗୋଳିକ ଅଞ୍ଚଳ ଓ ୯୦ ପ୍ରତିଶତ ଲୋକ ଏହି ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ସ୍ୱତନ୍ତ୍ର ଶ୍ରେଣୀ ରାଜ୍ୟର ମାନ୍ୟତା ଦେବା ପାଇଁ ବାରମ୍ବାର ଦାବି କରିଆସୁଛନ୍ତି । କିନ୍ତୁ କେନ୍ଦ୍ର ସରକାର ଏହି ଦାବି ପ୍ରତି କର୍ଣ୍ଣପାତ କରୁନାହାନ୍ତି ।
ସସ୍ମିତ କହିଥିଲେ, ସ୍ୱତନ୍ତ୍ର ଶ୍ରେଣୀ ପାହ୍ୟା ସକାଶେ ଯେଉଁ ସର୍ତ୍ତାବଳୀ ରହିଛି ସେଗୁଡ଼ିକର ପୁନର୍ବିଚାର ଆବଶ୍ୟକ । ପୂର୍ବରୁ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ୯୦:୧୦ରେ କେନ୍ଦ୍ରୀୟ ପାଣ୍ଠି ପ୍ରଦାନ କରାଯାଉଥିଲା । କିନ୍ତୁ ଏହା ଏବେ ୬୦:୪୦ରେ ପରିବର୍ତ୍ତିତ ହୋଇଯାଇଛି । ଫଳରେ ଓଡ଼ିଶା ଉପରେ ଆର୍ଥିକ ବୋଝ ବହୁ ପରିମାଣରେ ବଢ଼ିଛି ବୋଲି ସେ ଉଲ୍ଲେଖ କରିଥିଲେ ।
ବର୍ତ୍ତମାନ ସ୍ୱତନ୍ତ୍ର ଶ୍ରେଣୀ ରାଜ୍ୟ ପାଇଁ ଯେଉଁ ସର୍ତ୍ତାବଳୀ ରହିଛି ତାହା ଅପରିବର୍ତ୍ତନୀୟ ନୁହେଁ ବୋଲି ସେ କହିଥିଲେ । ସମୟାନୁସାରେ ଏଥିରେ ସମ୍ବିଧାନର ଅନ୍ୟ ଆଇନ ଭଳି ସଂଶୋଧନ ହୋଇପାରିବ । ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନର ସର୍ତ୍ତାବଳୀରେ ପରିବର୍ତ୍ତନକୁ ସେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟର ମାନ୍ୟତା ଦେବା ପାଇଁ ଯେଉଁ ଦାବି ରହିଛି ତାହା ପୂରଣ ହେଲେ, ଓଡ଼ିଶାର ସାଢେ଼ ୪ କୋଟି ଲୋକ ଏଥିରୁ ଲାଭ ଉଠାଇବେ ବୋଲି ସସ୍ମିତ ଦାବି କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons