ରାଜ୍ୟସ୍ତରୀୟ ବେଞ୍ଚପ୍ରେସ ଖେଳାଳି ଘାସିରାମ

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ଘାସିରାମ ଟାକ୍ରି(୩୦) । ଶ୍ରୀକାନ୍ତ ନାଁରେ ପରିଚିତ । ଘର ବୈପାରିଗୁଡା ବ୍ଲକ କୋଲାର ପଞ୍ଚାୟତ ଗନିପୁଟରେ । ଏବେ ଜୟପୁରର ଡଙ୍ଗାଗୁଡା ରଥ କଲୋନିରେ ରହୁଛନ୍ତି । ଗାଁରେ ବଢିଛନ୍ତି । ହେଲେ ରାଜ୍ୟସ୍ତରୀୟ ବେଞ୍ଚପ୍ରେସ୍ ପ୍ରତିଯୋଗିତାରେ ଭାଗ ନେଇ କୋରାପୁଟ ଜିଲ୍ଲା ଲାଗି ଗୌରବ ଆଣିଛନ୍ତି । ଏଭିତରେ ୩ଟି ସିଲଭର ସହ ଗୋଟିଏ ବ୍ରୋଞ୍ଜ ପଦକ ପାଇଛନ୍ତି । ଆଗାମୀ ଦିନରେ ଜାତୀୟସ୍ତରରେ ଖେଳି ଅଞ୍ଚଳର ସୁନାମ ଆଣିବେ ବୋଲି ଲକ୍ଷ୍ୟ ରଖିଛନ୍ତି ।
ଘାସିରାମ କହିଛନ୍ତି, ଗାଁରେ ଦଶମ ପର୍ଯ୍ୟନ୍ତ ପଢିଛନ୍ତି । ପିଲାବେଳୁ ଖେଳକୁଦରେ ଆଗ୍ରହ ଥିଲା । କାମ ଅନ୍ୱେଷଣରେ ୨୦୧୦ରେ ଜୟପୁର ଆସିଥିଲେ । ବ୍ୟାୟାମ କରିବାକୁ ଦଶହର ପଡିଆକୁ ଯାଉଥିଲେ । ସେଠାରେ ଥିବା ଜିମରେ ଅଭ୍ୟାସ କରୁଥିଲେ । ଏହା ତାଙ୍କୁ ନୂଆ ନୂଆ ଲାଗୁଥିଲା । କିନ୍ତୁ ଅନ୍ୟମାନଙ୍କୁ ଦେଖି ବ୍ରେଞ୍ଚପ୍ରେସ ଅଭ୍ୟାସ କରୁଥିଲେ । ଦିନକୁ ୨ରୁ ଅଢେଇ ଘଣ୍ଟା ଅଭ୍ୟାସ କରୁଥିଲେ । ଅନ୍ତରାଷ୍ଟ୍ରୀୟ ପଦକ ହାସଲକାରୀ ଖେଳାଳି ରମେଶ ଗରଡାଙ୍କ ନଜର ତାଙ୍କ ଉପରେ ପଡିଲା । ସେ ଏହା କିପରି ଅଭ୍ୟାସ କରାଯାଏ, ତାଲିମ ଦେଇଥିଲେ । ତାଙ୍କ ପରାମର୍ଶରେ ନିୟମିତ ଅଭ୍ୟାସ କରଥିଲେ । ୨୦୧୩ରେ ପ୍ରଥମେ ରାୟଗଡାରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ସୁଯୋଗ ମିଳିଥିଲା । ୯୩ କେଜି ବର୍ଗରେ ସେ ଭାଗ ନେଇଥିଲେ । ସେହି ପ୍ରତିଯୋଗିତାରେ ସଫଳ ହୋଇନଥିଲେ । କିନ୍ତୁ ଅନ୍ୟମାନଙ୍କୁ ଦେଖି ଅଧିକ ଉତ୍ସାହିତ ହୋଇଥିଲେ । ଯେମିତି ହେଲେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପଦକ ହାସଲ କରିବେ ବୋଲି ମନୋବଳ ଦୃଢ କରିଥିଲେ । ୨୦୧୪ରେ ଭୁବନେଶ୍ୱରରେ ଆୟୋଜିତ ପ୍ରତିଯୋଗିତାରେ ଭାଗନେଇ ସଫଳ ହୋଇଥିଲେ । ପ୍ରଥମଥର ଲାଗି ସିଲଭର ପଦକ ହାସଲ କରିଥିଲେ । ଏହା ପରେ ୨୦୧୭ରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟିରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବ୍ରୋଞ୍ଚ ପଦକ ପାଇଥିଲେ । ୨୦୧୯ରେ ପୁଣିଥରେ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗନେଇ ସିଲଭର ପଦକ ପାଇଥିଲେ । ସେ ଗତ ସପ୍ତାହରେ ଦଶହରା ପଡିଆରେ ବେଞ୍ଚପ୍ରେସ ଓ ଡେଡ୍ପ୍ରେସ ପ୍ରତିଯୋଗିତା ଆୟୋଜନ କରିଥିଲେ । ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଗାଁଲୋକେ ବହୁତ ଖୁସି ହୋଇଥିଲେ । ଚଇତି ପର୍ବ ପାଳନ କରିବାକୁ ଗତ ୯ ତାରିଖରେ ଗାଁକୁ ଯାଇଥିଲେ । ଗ୍ରାମବାସୀ ତାଙ୍କୁ ସମ୍ମାନିତ କରିଥିଲେ । ଯେତେ ପଦକ ପାଇଥିଲେ ମଧ୍ୟ ଗାଁ ଲୋକେ ଯେଉଁ ପ୍ରକାର ସମ୍ମାନିତ କଲେ ତାହା ପଦକରୁ ଅଧିକ ଥିଲା । ଏହା କେବେ ହେଲେ ଭୁଲିପାରିବି ନାହିଁ । ଗାଁରେ ଯୁବକମାନଙ୍କ ନିକଟରେ ଷ୍ଟାମିନା ରହିଛି । ସେମାନଙ୍କୁ ଯଦି ଠିକ୍ ଭାବେ ତାଲିମ ଦିଆଯାଇପାରିବ, ତେବେ ତାଙ୍କ ଭଳି ସେମାନେ ବି ଜାତୀୟସ୍ତରରେ ଟୁର୍ଣ୍ଣାମେଣ୍ଟ ଖେଳି କୋରାପୁଟ ଜିଲ୍ଲା ଲାଗି ସୁନାମ ଆଣିପାରିବେ । ସରକାରଙ୍କ ପକ୍ଷରୁ ପ୍ରତିପଞ୍ଚାୟତରେ ଜିମ୍ କରାଯିବା କଥା ବୋଲି କହିଛନ୍ତି ଘାସିରାମ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons