ପ୍ରଚଣ୍ଡ ଖରାରେ ସ୍କୁଲ ଆସିବେ:ପିଲାଙ୍କ ଜୀବନ ସହ ଖେଳ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ତତଲା କଡେ଼ଇରେ ଭାଜି ହେଉଛି ସାରା ଓଡ଼ିଶା । ସବୁଠି ପାରଦ ଉପରମୁହାଁ । ଏବେ ରାଜ୍ୟର ୧୬ରୁ ୧୭ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ସକାଳ ୮ଟା ବେଳକୁ ଘରୁ ବାହାରିଲେ ମୁହଁ ହାତ ପୋଡ଼ିଗଲା ଭଳି ଲାଗୁଛି । ପରିସ୍ଥିତି ଏମିତି ଯେ ବୟସ୍କମାନେ ଘରୁ ବାହାରିବାକୁ ଡରୁଛନ୍ତି । ଏପରି ସ୍ଥିତିରେ କୋମଳମତି ପିଲାମାନଙ୍କୁ କିନ୍ତୁ ସ୍କୁଲ ଯିବାକୁ ବାଧ୍ୟ କରିଛନ୍ତି ସରକାର । ଅନ୍ୟପଟେ ଅଧିକାଂଶ ସ୍କୁଲରେ ଖରାକୁ ପ୍ରତିହତ କରିବାକୁ ଆବଶ୍ୟକ ଭିତ୍ତିଭୂମି ବି ନାହିଁ । ଏଣୁ ପିଲାଙ୍କୁ କିପରି ସ୍କୁଲ ଛାଡ଼ିବେ ଅଭିଭାବକ ଚିନ୍ତାରେ । ଆଗକୁ ତାତି ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ପ୍ରଚଣ୍ଡ ତାତିରେ ଅଂଶୁଘାତ ପ୍ରତି ସତର୍କ ରହିବାକୁ ସରକାରଙ୍କ ପକ୍ଷରୁ ନିଦେ୍ର୍ଧଶାବଳୀ ଜାରି କରାଯାଉଥିଲାବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗରେ ଏହାର ବ୍ୟତିକ୍ରମ ଦେଖା ଦେଇଛି । ଯେଉଁ ସମୟରେ ଅସମ୍ଭାଳ ତାତି ହେଉଥିବ ସେହି ସମୟରେ ପିଲାଙ୍କୁ ସ୍କୁଲ ଯିବାକୁ ବାଧ୍ୟ କରିଛି ବିଭାଗ । ମେ ମାସରେ ପ୍ରଚଣ୍ଡ ତାତିରେ ଏଥର ପାଠପଢ଼ା ଜାରି ରଖିବାକୁ ବିଭାଗ ନିଷ୍ପତ୍ତି ନେଇଛି । ଖରାଛୁଟିକୁ କାଣ୍ଟଛାଣ୍ଟ କରାଯାଇଛି । ପ୍ରତିବର୍ଷ ଦେଢ଼ ମାସରୁ ଅଧିକ ସମୟ ଧରି ଗ୍ରୀଷ୍ମଛୁଟି ଦିଆଯାଉଥିବାବେଳେ ଚଳିତ ବର୍ଷ କିନ୍ତୁ ମାତ୍ର ୧୧ ଦିନ ଖରା ଛୁଟି ହେବ । ତାହା ପୁଣି ପ୍ରଚଣ୍ଡ ଖରା ହେଉଥିବା ମେ ମାସରେ ନୁହେଁ । ମୌସୁମୀ ବର୍ଷା ଆରମ୍ଭ ବେଳକୁ ଅର୍ଥାତ ଜୁନ୍ ୬ରୁ ୧୬ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଖରା ଛୁଟିରେ ଘରେ ରହିବେ । ଏନେଇ ଆଜି ଘୋଷଣା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।
କୋଭିଡ୍ ଯୋଗୁଁ ଦୀର୍ଘ ଦୁଇବର୍ଷ ହେବ ପିଲାଙ୍କ ପାଠପଢ଼ା ବ୍ୟାହତ ହୋଇଥିଲା । ତେଣୁ ପିଛିଲା ପାଠକୁ କିଭଳି ଭରଣା କରିହେବ ତାହା ଉପରେ ଗୁରୁତ୍ୱ ଦିଆଯାଇ ଖରାଛୁଟିକୁ କମାଯାଇଛି । ଏହି ସମୟରେ ପିଲମାନଙ୍କୁ ପୁରୁଣା ପାଠ ପଢ଼ାଯିବ । ଏହା ସହ ବିଭାଗ ସ୍କୁଲ ସମୟରେ ମଧ୍ୟ ପରିବର୍ତ୍ତନ କରିଛି । ଆସନ୍ତା ମେ ୧ରୁ ଜୁନ୍ ୫ ତାରିଖ ଯାଏ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ୍ ହେବ । ଆଉ ସେହି ସମୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ସ୍କୁଲରେ ଦିଆଯିବ । ସକାଳ ସମୟରେ ଚାଲିଥିବା ସ୍କୁଲ ଆଗାମୀ ନିଦେ୍ର୍ଧଶ ପର୍ଯ୍ୟନ୍ତ ଚାଲୁ ରହିବ ।
ମେ ମାସରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ । କରୋନା ପାଇଁ ପିଲାଙ୍କର ପାଠ୍ୟକ୍ରମରେ ୩୦ ପ୍ରତିଶତ କମ୍ କରାଯାଇଥିଲା । ଏବର୍ଷଠୁ କିନ୍ତୁ ପିଲାମାନେ ୧୦୦ ପ୍ରତିଶତ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିବେ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏହା ସହ ଚଳିତ ଶିକ୍ଷାବର୍ଷରୁ ନବମ ଓ ଦଶମ ଶ୍ରେଣୀରେ ପ୍ରାକ୍ଟିକାଲ୍ କ୍ଲାସ୍ କରାଯିବା ସହ ପ୍ରାକ୍ଟିକାଲ୍ ପରୀକ୍ଷା କରିବାକୁ ବିଚାରବିମର୍ଷ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।
ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି, ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଆସନ୍ତା ୨୦ ତାରିଖ ଭିତରେ ଶ୍ରେଣୀ ଉନ୍ନିତ କରାଯିବ । ଏହାପରେ ୨୦ରୁ ୩୦ ତାରିଖ ଭିତରେ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ନାମଲେଖା ଓ ପୁନଃ ନାମଲେଖା ପ୍ରକ୍ରିୟା ଚାଲିବ । ସେହିପରି ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆରମ୍ଭ ହୋଇଥିବା ନୂଆ ମୂଲ୍ୟାଙ୍କନ ନୀତି ଅନୁସାରେ ନବମ ଶ୍ରେଣୀ ଛାତ୍ରଛାତ୍ରୀ ସମ୍ମେଟିଭ୍ ଆସେସ୍ମେଣ୍ଟ-୨ (ସମାପ୍ତିସୂଚକ ଆକଳନ) ପରୀକ୍ଷା ଦେବେ । ଆସନ୍ତା ମେ ୧୦ ତାରିଖ ସୁଦ୍ଧା ନବମ ଶ୍ରେଣୀ ପିଲାଙ୍କ ସମ୍ମେଟିଭ-୨ ପରୀକ୍ଷା କରାଯାଇ ଫଳ ପ୍ରକାଶ କରାଯିବା ସହ ଛାତ୍ରଛାତ୍ରୀଙ୍କୁ ଦଶମ ଶ୍ରେଣୀକୁ ଉନ୍ନତି କରାଯିବ ।
କୋଭିଡ୍ ପାଇଁ ଛାତ୍ରଛାତ୍ରୀଙ୍କ ଶିକ୍ଷାଗ୍ରହଣରେ ହୋଇଥିବା କ୍ଷତି ଭରଣା ପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ଶୈକ୍ଷିକ ପୁନରୁଦ୍ଧାର ଯୋଜନା ପ୍ରସ୍ତୁତ କରାଯାଇଛି । ଏହା ମାଧ୍ୟମରେ ବର୍ତ୍ତମାନ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ସକାଳୁଆ ସ୍କୁଲରେ ପିଲାଙ୍କୁ ପୁରୁଣା ପାଠ ପଢ଼ାଇବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons