ସବୁ ରାଜ୍ୟକୁ ମୋଦିଙ୍କ ଆହ୍ୱାନ: ହାତ ମିଶାଇବା, ଅର୍ଥନୀତିକୁ ଆଗେଇନେବା

Get real time updates directly on you device, subscribe now.

ନୂଆଦିଲ୍ଲୀ: “ହାତ ମିଶାଇବା, ସଭିଏଁ ଏକାଠି ହେବା । ଦେଶର ସାମାଜିକ-ଅର୍ଥନୈତିକ ପ୍ରତିବନ୍ଧକକୁ ହଟାଇବା । ୨୦୨୪ ସୁଦ୍ଧା ଭାରତକୁ ୩୫୦ ଲକ୍ଷ କୋଟି ଟଙ୍କା (୫ ଲକ୍ଷ କୋଟି ଡଲାର) ଅର୍ଥନୀତିରେ ପରିଣତ କରିବା ।” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସବୁ ରାଜ୍ୟ ସରକାରଙ୍କୁ ଏଭଳି ଆହ୍ୱାନ ଦେଇଛନ୍ତି ।
ନୀତି ଆୟୋଗର ପଞ୍ଚମ ପରିଚାଳନା ପରିଷଦ ବୈଠକରେ ଉପସ୍ଥିତ ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୨୪ ସୁଦ୍ଧା ଭାରତକୁ ୩୫୦ ଲକ୍ଷ କୋଟି ଟଙ୍କାର ଅର୍ଥନୀତିରେ ପରିଣତ କରିବା ଆହ୍ୱାନମୂଳକ କିନ୍ତୁ ଏହା ଅସମ୍ଭବ ନୁହେଁ । ନିଶ୍ଚିତ ଭାବେ ଆମେ ଏହାକୁ ହାସଲ କରିପାରିବା । ଏଥିପାଇଁ ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ । ରାଜ୍ୟଗୁଡ଼ିକ ସେମାନଙ୍କ ସାମର୍ଥ୍ୟକୁ ଚିହ୍ନଟ କରନ୍ତୁ । ଜିଲ୍ଲା ସ୍ତରରୁ ମୋଟ୍ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ପାଇଁ କାମ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।
ମୋଦି ୨.୦ ସରକାରରେ ନୀତି ଆୟୋଗର ଏହି ପ୍ରଥମ ବୈଠକରେ ମୋଦି କହିଛନ୍ତି, ସବ୍କା ସାଥ୍, ସବ୍କା ବିକାଶ ଏବଂ ସବ୍କା ବିଶ୍ୱାସ ସ୍ୱପ୍ନକୁ ନୀତି ଆୟୋଗ ସାକାର କରିବ । ସେ କହିଛନ୍ତି, ଆୟ ତଥା ରୋଜଗାର ବଢ଼ାଇବାରେ ରପ୍ତାନି କ୍ଷେତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ । ରପ୍ତାନି ପ୍ରୋତ୍ସାହନ ଦିଗରେ ରାଜ୍ୟଗୁଡ଼ିକୁ ଯଥେଷ୍ଟ ଧ୍ୟାନ ଦେବାକୁ ପଡ଼ିବ । ନୂଆ ଜଳଶକ୍ତି ମନ୍ତ୍ରାଳୟ ଜଳସେଚନ କ୍ଷେତ୍ରରେ ସହାୟକ ହେବ । ଜଳ ସଂରକ୍ଷଣ ଏବଂ ପରିଚାଳନା କ୍ଷେତ୍ରରେ ରାଜ୍ୟଗୁଡ଼ିକ ୧୦୦ଧ ଉଦ୍ୟମ ଲଗାଇବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏବେ କୃଷି କ୍ଷେତ୍ର ସମସ୍ୟା ଦେଇ ଗତି କରୁଥିବା ବେଳେ ଏ କ୍ଷେତ୍ରରେ ଲୋଡ଼ା ଢାଞ୍ଚାଗତ ସଂସ୍କାର । ଏହା ହିଁ ଏ କ୍ଷେତ୍ରରେ ନିବେଶ ବଢ଼ାଇବ, ଲଜିଷ୍ଟିକ୍ସକୁ ମଜଭୁତ କରିବ ଏବଂ ଚାଷୀମାନଙ୍କୁ ବିପୁଳ ମାତ୍ରାରେ ବଜାର ସହାୟତା ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଚାଷୀମାନେ ଯେପରି ଲାଭ ପାଇବେ ସେଥିପାଇଁ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଦ୍ରୁତ ଗତିରେ ବିକାଶ କରିବା ଦରକାର । ଦେଶର ବିଭିନ୍ନ ପ୍ରାନ୍ତରେ ମରୁଡ଼ି ପରିସ୍ଥିତି ଉପୁଜିଥିବା ବେଳେ ‘ପର୍ ଡ୍ରପ୍, ମୋର୍ କ୍ରପ୍’ ରଣନୀତି ଆପଣେଇ ପରିସ୍ଥିତିକୁ ସମ୍ଭାଳିବା ଉପରେ ମୋଦି ଗୁରୁତ୍ୱାରୋପ କରିଛନ୍ତି । ୨୦୨୪ ସୁଦ୍ଧା ସମସ୍ତ ଗ୍ରାମୀଣ ପରିବାରରେ ପାଇପ୍ ଜଳ ପହଞ୍ଚିବ । ଏହା ନୂଆ ସରକାରଙ୍କ ଲକ୍ଷ୍ୟ । ଜଳ ସଂରକ୍ଷଣ ଏବଂ ପରିଚାଳନା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି ।
କେନ୍ଦ୍ର ସରକାର ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ସରକାର ମତ୍ସ୍ୟପାଳନ, ପଶୁପାଳନ, ଫଳ ଏବଂ ପନିପରିବା ଉତ୍ପାଦନ ବୃଦ୍ଧି ଉପରେ ଜୋର ଦେଉଛନ୍ତି । ପ୍ରଧାନମନ୍ତ୍ରୀ କିଷାନ, କିଷାନ ସମ୍ମାନ ନିଧି ଏବଂ ଅନ୍ୟ ଯୋଜନାଗୁଡ଼ିକର ଲାଭ ଚାଷୀମାନଙ୍କ ନିକଟରେ ଯେପରି ଠିକ୍ ସମୟରେ ପହଞ୍ଚିବ ତାହା ନିଶ୍ଚିତ କରାଯିବ ବୋଲି ମୋଦି କହିଛନ୍ତି । ଦାରିଦ୍ର‌୍ୟ, ବେକାରି, ମରୁଡ଼ି, ବନ୍ୟା, ପ୍ରଦୂଷଣ, ଦୁର୍ନୀତି ଏବଂ ହିଂସା ବିରୋଧରେ ସମସ୍ତେ ମିଳିତ ଭାବେ ମୁକାବିଲା କରିବା ଉଚିତ ବୋଲି ସେ କହିଛନ୍ତି । ମାଓ ହିଂସା ବିରୋଧରେ ଲଢ଼େଇ ଜାରି ରହିଛି । ଦୃଢ଼ତାର ସହ ମାଓ ହିଂସାକୁ ପ୍ରତିହତ କରାଯିବ । ମାଓ ଅଞ୍ଚଳରେ ବିକାଶ କାର୍ଯ୍ୟକୁ ମଧ୍ୟ ଦ୍ରୁତ ଏବଂ ସନ୍ତୁଳିତ ଆକାରରେ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
କେନ୍ଦ୍ର ଏବଂ ରାଜ୍ୟ ଏକତ୍ର ହୋଇ କ’ଣ କରିପାରିବେ ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ସ୍ୱଚ୍ଛ ଭାରତ ଅଭିଯାନ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ପ୍ରତିଟି ଭାରତୀୟଙ୍କୁ ସଶକ୍ତ କରାଯିବ ଓ ସେମାନଙ୍କ ଜୀବନଧାରଣକୁ ସହଜ କରାଯିବ । ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଇଁ ଧାର୍ଯ୍ୟ ଲକ୍ଷ୍ୟଗୁଡିକ ଅକ୍ଟୋବର ୨ ସୁଦ୍ଧା ହାସଲ କରିବାର ଲକ୍ଷ୍ୟ ରହିଛି । ସ୍ୱାସ୍ଥ୍ୟ କ୍ଷେତ୍ରକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୨୦୨୨ ସୁଦ୍ଧା ଏ କ୍ଷେତ୍ରରେ ଅନେକ ଲକ୍ଷ୍ୟ ପୂରଣ ହେବ । ୨୦୨୫ ସୁଦ୍ଧା ଯକ୍ଷ୍ମା ରୋଗର ମୂଳତ୍ପାଟନ ଲକ୍ଷ୍ୟ ରହିଛି । ଆୟୁଷ୍ମାନ ଭାରତ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(ପିଏମ୍ଜେଏୱାଇ)କୁ ଅନେକ ରାଜ୍ୟ କାର୍ଯ୍ୟକାରୀ କରି ନ ଥିବାବେଳେ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପ୍ରେରଣାଦାୟୀ ଜିଲ୍ଲା ଉପରେ ସେ କହିଛନ୍ତି ଯେ ଉତ୍ତମ ଶାସନ ପ୍ରଣାଳି ପ୍ରାଥମିକତା ରହିବା ଦରକାର ।
ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ସାମିଲ ହୋଇନାହାନ୍ତି । ଅନ୍ୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ, କେନ୍ଦ୍ରୀୟ ମନ୍ତ୍ରୀ ଏବଂ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ । ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି କହିଥିଲେ ଯେ, ନୀତି ଆୟୋଗ ନିକଟରେ ରାଜ୍ୟଗୁଡ଼ିକର ଯୋଜନା ପାଇଁ ବିତ୍ତୀୟ ଅଧିକାର ନାହିଁ । ଏଣୁ ବୈଠକକୁ ଯିବା ବେକାର ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons