ଘରୁ ଡାକିନେଇ ମାରିଦେଲେ:୮ ଅଭିଯୁକ୍ତ ଗିରଫ, ୩ ମହିଳା ସଂପୃକ୍ତ

Get real time updates directly on you device, subscribe now.

ଅନୁଗୁଳ,(ବି.ବି.ବୁ୍ୟରୋ): ପୂର୍ବ ଶତୃତାରୁ ଯୋଜନାବଦ୍ଧ ହତ୍ୟାକାଣ୍ଡ । ଘରୁ ଡାକିନେଲେ । ଘଟଣା ସ୍ଥଳରେ ପହଞ୍ଚିବା କ୍ଷଣି ଆକ୍ରମଣ । କିଛି ବୁଝିବା ଆଗରୁ ଆଖିବୁଜା ହାଣିଲେ । ତଳେ ପଡ଼ି ଯିବା ପରେ ମୁଣ୍ଡକୁ ହାଣି ଛିନ୍ଛତର କରିଦେଲେ । ଏତିକିରେ ରାଗ ଶାନ୍ତ ହେଲାନି, ଗୋଡ଼କୁ ହାଣି ପକାଇବା ସହ ଗୁପ୍ତାଙ୍ଗକୁ ବି କୁଦି ପକାଇଲେ । ଶନିବାର ରାତିରେ ସହର ଉପକଣ୍ଠ ଡେରେଜାଙ୍ଗ ଡ୍ୟାମ୍ରେ ଘଟିଥିବା ଏ ବୀଭତ୍ସ ହତ୍ୟାକାଣ୍ଡ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ମୃତ ଯୁବକ ରନ୍ତଲେଇ ଗ୍ରାମର ଜଗନ୍ନାଥ ସେନାପତି(୨୨)କୁ ଅଭିଯୁକ୍ତମାନେ ଘରୁ ଡାକିନେବାର ମାତ୍ର ୧୫ ମିନିଟ୍ରେ ମାରି ଦେଇଥିବା ପୁଲିସ୍ କହିଛି । ପୁଲିସ୍ ଏ ସଂକ୍ରାନ୍ତରେ କେସ ନଂ ୫୬୮/୨୧ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ୩ ମହିଳାଙ୍କ ସମେତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,ରନ୍ତଲେଇ ଗ୍ରାମର ଜିତେନ୍ଦ୍ର ସାହୁ(୨୮), ସଂଗ୍ରାମ ସାହୁ(୨୮), ଜିତେନ୍ଦ୍ର ବିଶ୍ୱାଳ, ବିଭୁତି ସାହୁ(୩୩), ତାରିଣୀ ବେହେରା(୩୮), ମମତା ସାହୁ(୪୩), ସୁବାସିନୀ ବେହେରା(୩୬) ଓ ବାସନ୍ତୀ ସାହୁ(୩୫) । ହତ୍ୟାକାଣ୍ଡରେ ସଂପୃକ୍ତ ଆଉ ୩ରୁ ଅଧିକ ଅଭିଯୁକ୍ତ ଫେରାର୍ ଥିବା ବେଳେ ସେମାନଙ୍କୁ ଧରିବାକୁ ପୁଲିସ୍ ଚଢ଼ଉ ଜାରି ରଖିଛି । ଅପରପକ୍ଷରେ ଆଜି ପୂର୍ବାହ୍ଣରେ ପୁଲିସ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ଜଗନ୍ର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
ପୁଲିସ୍ ସୂଚନା ମୁତାବକ, ମୃତ ଜଗନ୍ନାଥ ଜଣେ କୁଖ୍ୟାତ ଡକାୟତ । ପୂର୍ବରୁ ହାଇୱା ଡ୍ରାଇଭର ଥିବା ଜଗନ୍ନାଥ ଅନୁଗୁଳ ଆଦର୍ଶ ଥାନା ଓ ସଦର ଥାନା ଇଲାକାରେ ଏକାଧିକ ଅପରାଧିକ ମାମଲାର ଅଭିଯୁକ୍ତ ଥିଲା । ବର୍ଷେ ତଳେ ତାଙ୍କୁ ଡେରେଜାଙ୍ଗ ଡ୍ୟାମ୍ରେ ମାଛ ନିଲାମଧାରୀ ଜଗୁଆଳି ଦାୟିତ୍ୱ ଦେଇଥିଲେ । ତେବେ ଜଗନ୍ନାଥ ମଦ ପିଇବା ପରେ ଗାଁ’ରେ ଗଣ୍ଡଗୋଳ କରୁଥିଲେ । ଲୋକଙ୍କୁ ମାରପିଟ୍ କରିବା ସହ ଏକ ପ୍ରକାର ଗୁଣ୍ଡାରାଜ୍ ଚଳାଇଥିଲେ । ରନ୍ତଲେଇ ଡ୍ୟାମ୍ ତଳ ସାହିକୁ ନିୟମିତ ଯାଇ ଗଣ୍ଡଗୋଳ କରିବା ସହ ଲୋକଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରୁଥିଲେ । ଦୁଇ ଦିନ ତଳେ ସେ ଡ୍ୟାମ୍ ତଳ ସାହିରେ ଲୋକଙ୍କୁ ଗାଳିଗୁଲଜ କରିବାରୁ ଲୋକ ଅତିÂ ହୋଇଥିଲେ । ତେଣୁ ସବୁ ଦିନ ପାଇଁ ଜଗନ୍ନାଥଙ୍କୁ ଖଲାସ୍ କରିବା ପାଇଁ ଯୋଜନା କରିଥିଲେ ।
ଶନିବାର ସନ୍ଧ୍ୟାରେ ଘରେ ଥିଲେ ଜଗନ ଓରଫ୍ ଜଗନ୍ନାଥ । ରାତି ଖାଇ ସାରିବା ପରେ ତାଙ୍କ ଘରେ କିଛି ଯୁବକ ପହଞ୍ଚିଥିଲେ । ଭୋଜି କରିବାକୁ କହି ତାଙ୍କୁ ଗାଡ଼ିରେ ବସାଇ ଡ୍ୟାମ୍ ଆଡକୁ ନେଇଥିଲେ । ପୂର୍ବରୁ ଡ୍ୟାମ୍ ଉପରେ ଅନ୍ୟ କିଛି ଯୁବକ ହତ୍ୟା ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହୋଇ ରହିଥିଲେ । ଘଟଣା ସ୍ଥଳରେ ଜଗନ୍ନାଥ ପହଞ୍ଚିବା କ୍ଷଣି ଅଭିଯୁକ୍ତମାନେ ଅତର୍କିତ ଆକ୍ରମଣ କରିଥିଲେ । ସେ କିଛି ବୁଝିବା ପୂର୍ବରୁ ମାରଣାସ୍ତ୍ରରେ ତାଙ୍କ ମୁଣ୍ଡକୁ ପ୍ରଥମେ ହାଣି ଦେଇଥିଲେ । ଜଗନ୍ ତଳେ ପଡ଼ିଯିବା ପରେ ମୁଣ୍ଡକୁ ଏକାଧିକ ବାର ହାଣିବା ସହିତ ପଥରରେ ଛେଚି ଛିନ୍ଛତର କରି ପକାଇଥିଲେ । ଗୋଡ଼ ହାଣିବା ସହ ସାରା ଦେହକୁ କୁଦି ପକାଇଥିଲେ । ମାତ୍ର ୧୫ ମିନିଟ୍ ମଧ୍ୟରେ ଜଗନ୍ନାଥଙ୍କ ପ୍ରାଣବାୟୁ ଛାଡ଼ିଯାଇଥିଲା । ଏହି ଲୋମ ଟାଙ୍କୁରା ହତ୍ୟାକାଣ୍ଡ ଘଟାଇବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଥିଲେ ।
ରାତି ସାଢେ଼ ୯ଟା ବେଳକୁ ଡ୍ୟାମ୍ ଉପରେ ଜଣେ ଯୁବକଙ୍କୁ କେହି ହତ୍ୟା କରିଥିବା ପୁଲିସ୍ ପାଖରେ ଖବର ପହଞ୍ଚିଥିଲା । ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ମୃତଦେହ ଚିହ୍ନଟ କରିଥିଲା । ପରେ ଘଟଣାସ୍ଥଳରେ ଅଧିକ ତଦନ୍ତ ସହ ରାତି ପ୍ରାୟ ସାଢେ଼ ୩ଟା ବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ଆଜି ପୂର୍ବାହ୍ଣରେ ପୁଲିସ୍ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ମୃତ ଜଗନଙ୍କ ମା’ ଅନସୂୟା ସେନାପତି ପୁଅକୁ ହତ୍ୟା କରାଯାଇଥିବା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁ କରିବା ସହ ତଦନ୍ତ କରି ରନ୍ତଲେଇ ଡ୍ୟାମ୍ ସାହିର ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସନ୍ଧ୍ୟାରେ ଅଭିଯୁକ୍ତମାନଙ୍କ ଡାକ୍ତରୀ ପରୀକ୍ଷା କରିବା ପରେ ରାତିରେ କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି । ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସହ ଆଉ ୨ରୁ ଅଧିକ ଅଭିଯୁକ୍ତ ଫେରାର୍ ଥିବା ପୁଲିସ୍ ଅନୁମାନ କରୁଛି । ସେମାନଙ୍କୁ ଗିରଫ କରିବାକୁ ଜୋରଦାର ଚଢ଼ଉ ଚାଲିଛି । ଖୁବ୍ଶୀଘ୍ର ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରାଯିବ ବୋଲି ସଦର ଥାନା ପୁଲିସ୍ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons