ଆଳୁସିଂହ କାଜୁ ଜଙ୍ଗଲରୁ ମିଳିଲା ହାତୀଛୁଆର ମୃତଦେହ

Get real time updates directly on you device, subscribe now.

ଢେଙ୍କାନାଳ,(ବି.ବି.ଆ.ପ୍ର): ଢେଙ୍କାନାଳ ବନଖଣ୍ଡ ହିନେ୍ଦାଳ ବନାଞ୍ଚଳ ଅନ୍ତର୍ଗତ ବିମ୍ବୋରୀ ଫରେଷ୍ଟ ସେrନର ଆଳୁସିଂହ ଶାଳଘର ରଗୁଡ଼ି କାଜୁଜଙ୍ଗଲରୁ ଗୁରୁବାର ସକାଳେ ଏକ ହାତୀଛୁଆର ମୃତଦେହ ଠାବ କରାଯାଇଛି । କିଛି ଦିନ ତଳେ ହାତୀପଲ ମଧ୍ୟରୁ ଦୁଇଟି ହାତୀଛୁଆ ଅଲଗା ହୋଇଯାଇଥିଲେ । ଗୋଟିଏ ହାତୀଛୁଆର ମୃତଦେହ ଘଟିପିରି ନୂଆବନ୍ଧ ପୋଖରୀ ମଧ୍ୟରୁ ଠାବ ହୋଇଥିବା ବେଳେ ଅନ୍ୟଟିକୁ ସୁସ୍ଥ ଅବସ୍ଥାରେ ଭାପୁର ଜନବସତି ଅଞ୍ଚଳରେ ଠାବ କରାଯାଇଥିଲା । ଗୋଠଛଡ଼ା ହୋଇଥିବା ହାତୀଛୁଆକୁ ବନବିଭାଗ ଅକ୍ଲାନ୍ତ ପରିଶ୍ରମ ଓ କୌଶଳ ଅବଲମ୍ବନ କରି ଜଙ୍ଗଲ ମଧ୍ୟକୁ ଛାଡ଼ି ଦେଇଥିବାବେଳେ ତାହା ଫଳପ୍ରଦ ହୋଇନାହିଁ । ଏହି ମାଈ ହାତୀଛୁଆର ବୟସ ୧ ବର୍ଷ ମଧ୍ୟରେ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ହାତୀଛୁଆ ମୃତୁ୍ୟର ପ୍ରକୃତ କାରଣ ସଂପର୍କରେ ଜାଣିବା ପାଇଁ ପ୍ରାଣୀ ଚିକିତ୍ସକଙ୍କ ଜରିଆରେ ରକ୍ତନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଯାଇଥିବା ବନବିଭାଗ ସୂଚନା ଦେଇଛି ।
ସୂଚନା ଅନୁସାରେ, ଢେଙ୍କାନାଳ ସଦର ବନାଞ୍ଚଳ ଅନ୍ତର୍ଗତ ଘଟିପିରି ଓ ଭାପୁର ଫରେଷ୍ଟ ସେrନ୍ ଅଞ୍ଚଳରେ ରହିଥିବା ହାତୀପଲ ମଧ୍ୟରୁ ଦୁଇଟି ହାତୀଛୁଆ ଦଳରୁ ଅଲଗା ହୋଇଯାଇଥିଲେ । ଗତ ମାର୍ଚ୍ଚ ୩୧ ତାରିଖରେ ଗୋଟିଏ ହାତୀଛୁଆର ମୃତଦେହ ଘଟିପିରି ଫରେଷ୍ଟ ସେrନ୍ ଆମ୍ବାଦିପଡ଼ା ପଥରଖଣି ନିକଟସ୍ଥ ନୂଆବନ୍ଧ ପୋଖରୀ ମଧ୍ୟରୁ ମିଳିଥିଲା । ହାତୀଟି ହର୍ପିସ୍ ରୋଗରେ ସଂକ୍ରମିତ ହୋଇଥିବା ବନବିଭାଗ ସୂଚନା ଦେଇଥିଲା । ଅନ୍ୟ ହାତୀଛୁଆଟି ମହୁଲପୁଞ୍ଜି ନିକଟ ଜନବସତି ଆଡ଼କୁ ଚାଲି ଆସିଥିଲା । ସ୍ଥାନୀୟ ଲୋକଙ୍କ ସଂସ୍ପର୍ଶରେ ହାତୀଛୁଆ ଆସିବା ପରେ ହାତୀପଲ ତାକୁ ଗ୍ରହଣ କରିନଥିଲେ । ହାତୀଶାବକକୁ ଦଳରେ ଗ୍ରହଣ ନକରିବାରୁ ସେ ଏତେତେଣେ ଘୂରି ବୁଲୁଥିଲା । ଛୁଆହାତୀଟିକୁ ତା ମା’ପାଖରେ ଛାଡ଼ିବା ପାଇଁ ବନ କର୍ମଚାରୀମାନେ ହାତୀର ଗୋବର ପ୍ରଲେପ ସହ ଅନ୍ୟାନ୍ୟ କୌଶଳ ପ୍ରୟୋଗ କରିଥିଲେ । ମାତ୍ର ହାତୀଟି ଅସୁସ୍ଥ ହୋଇପଡ଼ିବାରୁ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା କରାଯାଇଥିଲା । ଗତ ୨ ତାରିଖରେ ବନ କର୍ମଚାରୀମାନେ ଚନ୍ଦ୍ରଶେଖରପ୍ରସାଦ ଜଙ୍ଗଲ ମଧ୍ୟରେ ଛାଡ଼ି ଦେଇଥିଲେ । ମାତ୍ର ହାତୀଟି ସ୍ୱାଭାବିକ ହୋଇପାରିନଥିଲା । ଅଧିକାଂଶ ସମୟ ଜଙ୍ଗଲରେ ଏକାକୀ ଚଳପ୍ରଚଳ କରୁଥିଲା । ବନ କର୍ମଚାରୀ ହାତୀର ଗତିବିଧି ଉପରେ ନଜର ରଖିଥିଲେ ହେଁ ଶେଷ ମୁହୂର୍ତ୍ତରେ ସେବା ଯୋଗାଇବାରେ ବିଫଳ ହେବାରୁ ହାତୀଛୁଆଟି ଆଖି ବୁଜିଥିବା ଜଣାପଡ଼ିଛି । ତେବେ ଜଙ୍ଗଲରେ ଖାଦ୍ୟ ଓ ପାଣି ଅଭାବ ଯୋଗୁଁ ଛୁଆହାତୀଟି ମରି ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।
ଖବରପାଇ ସହକାରୀ ବନସଂରକ୍ଷକ ଡ. ରଶ୍ମୀରଞ୍ଜନ ସ୍ୱାଇଁ, ହିନେ୍ଦାଳ ରେଞ୍ଜର୍ ଲୋହିତ କୁମାର ରଥ, ବନପାଳ ହିମାଂଶୁ ଶେଖର ପୃଷ୍ଟି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ । ହିନେ୍ଦାଳ ବ୍ଲକ୍ ପ୍ରାଣୀ ଚିକିତ୍ସାଧିକାରୀ ଡା. ଅନ୍ତର୍ଯ୍ୟାମୀ ବାରିକଙ୍କ ଦ୍ୱାରା ହାତୀଛୁଆର ଶବ ବ୍ୟବଚ୍ଛେଦ କରାଯାଇ ପୋତି ଦିଆଯାଇଥିଲା । ହାତୀ ମୃତୁ୍ୟ କାରଣ ଜାଣିବାକୁ ରକ୍ତ ନମୁନା ସଂଗ୍ରହ କରାଯାଇ ଓୟୁଏଟି ପରୀକ୍ଷାଗାରକୁ ପଠାଯାଇଛି । ଏ ନେଇ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଡ. ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି, ହାତୀଛୁଆଟି ଗୋଠରୁ ଅଲଗା ହେବାପରେ ଚିକିତ୍ସା କରାଯାଇ କୌଶଳକ୍ରମେ ପୁଣିଥରେ ଜଙ୍ଗଲ ମଧ୍ୟକୁ ଛାଡି ଦିଆଯାଇଥିଲା । ମାତ୍ର ହାତୀଟି ଗୋଠରେ ମିଶିପାରିନଥିଲା । ବୁଧବାର ସଂଧ୍ୟାରେ ବନ କର୍ମଚାରୀ ତାକୁ ସୁସ୍ଥ ଅବସ୍ଥାରେ ଚଳପ୍ରଚଳ କରୁଥିବା ଦେଖିଥିଲେ । ମାତ୍ର ଆଜି ହଠାତ୍ ତାର ମୃତଦେହ ଦେଖିବାକୁ ମିଳିଥିଲା । ହାତୀଟିର ଦେହ ଭଲ ଥିବା ସତ୍ୱେ ମୃତୁ୍ୟ କାହିଁକି ହେଲା ରକ୍ତ ନମୁନା ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି । ଅନ୍ୟପକ୍ଷରେ କ୍ରମାଗତ ଭାବେ ହାତୀମୃତୁ୍ୟ ନେଇ ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି । ଢେଙ୍କାନାଳ ବନଖଣ୍ଡରେ ହାତୀ ଅସୁରକ୍ଷିତ ହୋଇପଡ଼ିଛନ୍ତି । ବନବିଭାଗର ଖାମଖିଆଲୀ ମନୋଭାବ ଯୋଗୁଁ କେତେବେଳେ ମଣିଷର ରୋଷର ଶିକାର ହେଉଛି ତ ପୁଣି କେତେବେଳେ ସଂକ୍ରାମକ ରୋଗରେ ଶିକାର ହୋଇ ଏହି ବିଶାଳକାୟ ପ୍ରାଣୀର ଜୀବନ ଅକାଳରେ ଝଡିପଡ଼ୁଛି । ଏପରି ଲାଗି ରହିଲେ ଏହି ବିରଳ ବନ୍ୟପ୍ରାଣୀ ସଂଖ୍ୟା ଜିଲ୍ଲାରୁ ଲୋପ ପାଇଯିବ ବୋଲି ପରିବେଶବିତମାନେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons