ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସ୍ୱଦେଶ ଦର୍ଶନ ଯୋଜନାରେ ଘୋଷଣା ହୋଇଥିବା “ବୁଦ୍ଧିଷ୍ଟ ସର୍କିଟ୍’ରେ ଓଡ଼ିଶାକୁ ସାମିଲ କର । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେ‡ୀଙ୍କୁ ଚିଠି ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ।
ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସ୍ୱଦେଶ ଦର୍ଶନ ଯୋଜନାରେ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ୫ଟି ରାଜ୍ୟରେ “ବୁଦ୍ଧିଷ୍ଟ ସର୍କିଟ୍’ର ବିକାଶ ପାଇଁ ୩୨୫.୫୩ କୋଟି ଟଙ୍କାର ୫ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି । ଏହି ୫ଟି ରାଜ୍ୟ ଗୁଡ଼ିକ ହେଲା ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର, ଗୁଜରାଟ ଏବଂ ଆନ୍ଧ୍ରପ୍ରଦେଶ । ତେବେ ଓଡ଼ିଶାରେ ସମୃଦ୍ଧ ବୌଦ୍ଧ ପରମ୍ପରା ଓ ପୂଣ୍ୟ ବୌଦ୍ଧ ପୀଠ ଥିବା ସତ୍ତେ୍ୱ ଏହାକୁ ଏହି ଯୋଜନାରେ ସାମିଲ କରାନଯିବା ଚିନ୍ତାଜନକ ।
ଓଡ଼ିଶାରେ ବୌଦ୍ଧ ଧର୍ମର ଇତିହାସ ସମ୍ପର୍କରେ ଶ୍ରୀ ପ୍ରଧାନ ଚିଠି ମାଧ୍ୟମରେ ଅବଗତ କରାଇବା ସହ କହିଛନ୍ତି ଯେ ଧର୍ମ ବିଚାରଧାରା ଆସିବା ସମୟରୁ ଓଡ଼ିଶାରେ ବୌଦ୍ଧ ଧର୍ମ ରହି ଆସିଛି । ଅଷ୍ଟମରୁ ଦଶମ ଶତାବ୍ଦୀ ପର୍ଯ୍ୟନ୍ତ ଭୌମକର ବଂଶର ଶାସନ କାଳରେ ରାଜ୍ୟରେ ବୌଦ୍ଧ ଧର୍ମର ବିବେଚନା କରାଯାଇଥିଲା ।
ଓଡ଼ିଶାର ଦୁଇ ବ୍ୟବସାୟୀ ତପସୁ ଏବଂ ଭଲ୍ଲିକଙ୍କ ସହିତ ବୁଦ୍ଧ ଭଗବାନଙ୍କ ସହ ସମ୍ବନ୍ଧ ଥିଲା । ବିଭିନ୍ନ କିମ୍ବଦନ୍ତୀରୁ ଜଣାପଡ଼ିଛି ଯେ ରାଜ୍ୟରେ କଳିଙ୍ଗ ଯୁଦ୍ଧ ପୂର୍ବରୁ ଯୋଦ୍ଧା ଅଶୋକଙ୍କ ନେତୃତ୍ୱରେ ବୌଦ୍ଧ ଧର୍ମର ପ୍ରଚାରପ୍ରସାର ହୋଇଥିଲା । ଚୀନ୍ ପରିବ୍ରାଜକ ହୁଏନ ସାଂଙ୍କ ବୌଦ୍ଧ ଧର୍ମ ଏବଂ ଓଡ଼ିଶା ସମ୍ପର୍କିତ ଲେଖା ରାଜ୍ୟରେ ବୌଦ୍ଧ ଧର୍ମର ଗୌରବମୟ ଅଧ୍ୟାୟକୁ ପୁନର୍ଜୀବିତ କରେ । ବୌଦ୍ଧ ଧର୍ମର ପ୍ରଭାବ ଓଡ଼ିଶାର ଲୋକଙ୍କ ସାମାଜିକ-ସାଂସ୍କୃତିକ ଜୀବନରେ ଦେଖିବାକୁ ମିଳିଥାଏ ।
ଓଡ଼ିଶାର ବିଭିନ୍ନ ସ୍ଥାନରେ ବହୁ ପ୍ରସିଦ୍ଧ ବୌଦ୍ଧସ୍ଥଳୀ ତଥା ବୌଦ୍ଧପୀଠ ରହିଛି । ଧଉଳିଗିରି, ଲଳିତଗିରି, ଉଦୟଗିରି, ରତ୍ନଗିରି ଏବଂ ଜିରାଙ୍ଗରେ ବୌଦ୍ଧ କୀର୍ତ୍ତି ତଥା ପରମ୍ପରା ବାବଦରେ ସ୍ପଷ୍ଟ ଚିତ୍ର ପ୍ରଦାନ କରେ । ଏସବୁ ବୃହତ ଭାବେ ଆନ୍ତର୍ଜାତିକ ପର୍ଯ୍ୟଟକ ବିଶେଷ ଭାବେ ପୂର୍ବ ଏବଂ ଦକ୍ଷିଣ ପୂର୍ବ ଏସିଆ ଓ ଉତ୍ତର ପୂର୍ବ, ହିମାଂଚଳ ପ୍ରଦେଶ ଏବଂ ଲଦାଖ ତଥା ଦେଶର ପର୍ଯ୍ୟଟନ କ୍ଷେତ୍ରରେ ଗୁରୁତ୍ୱ ବହନ କରୁଛି ।
ତେବେ ରାଜ୍ୟରେ ଥିବା ବୌଦ୍ଧ ପୁଣ୍ୟପୀଠମାନଙ୍କରେ ପର୍ଯ୍ୟଟକଙ୍କ ପାଇଁ ବିଶେଷ ଭାବେ ଯୋଗାଯୋଗ, ଯାତାୟାତ ଏବଂ ମୌଳିକ ସୁବିଧାର ବ୍ୟବସ୍ଥା ହୋଇନାହିଁ । ତେଣୁ ଅପାର ସମ୍ଭାବନା ରଖୁଥିବା ପବିତ୍ର ବୌଦ୍ଧସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟନର ବିକାଶ ଏବଂ ପର୍ଯ୍ୟଟକଙ୍କ ବୃଦ୍ଧି ପାଇଁ ସ୍ୱଦେଶ ଦର୍ଶନ ଯୋଜନାରେ ପ୍ରସ୍ତାବିତ “ବୁଦ୍ଧିଷ୍ଟ ସର୍କିଟ’ରେ ଓଡ଼ିଶାକୁ ସାମିଲ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଶ୍ରୀ ପ୍ରଧାନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ପର୍ଯ୍ୟଟନସ୍ଥଳୀର ବିକାଶ ହେଲେ ଓଡ଼ିଆ ଲୋକଙ୍କ ଜୀବନ ଜୀବିକାରେ ଉନ୍ନତି ଆସିପାରିବ ବୋଲି ସେ କହିଛନ୍ତି ।
Comments are closed, but trackbacks and pingbacks are open.