ଗାଁ ପାଖରେ ନାଗାବଳୀର ଶାଖା:୭୦୦ ଏକର ଚାଷ ଜମି ପଡ଼ିଆ

Get real time updates directly on you device, subscribe now.

ଲକ୍ଷ୍ମୀପୁର,(ବି.ବି.ନୁ୍ୟଜ): ଗାଁ ନିକଟରେ ବୋହିଯାଉଛି ନାଗାବଳୀର ଏକ ବିଶାଳ ଶାଖାନଦୀ(କାଜା କାଡା) । ଚିରସ୍ରୋତା ନଦୀ ବୋହୁଥିଲେ ବି ଚାଷୀଙ୍କ କାମରେ ଲାଗୁନି । ନଦୀ ତଟବର୍ତ୍ତୀ ଶତାଧିକ ଏକର ଜମି ଶୁଖିଲା ପଡ଼ିଛି । ଗ୍ରାମବାସୀ ନିଜ ଉଦ୍ୟମରେ ବହୁ କଷ୍ଟରେ ପାଣି ଉଠାଇ ସୂର୍ଯ୍ୟମୁଖୀ, ଅଳସୀ ଓ ଧାନ ଚାଷ କରିଛନ୍ତି । ଜମିକୁ ଠିକ୍ରେ ପାଣି ପହଞ୍ଚିପାରୁନଥିବାରୁ ଏବେ ଫସଲ ନଷ୍ଟ ହେବାରେ ଲାଗିଛି । ଜଳସେଚନ ସୁବିଧା ଥାଇ ବି ସ୍ଥାନୀୟ ନେତା ଓ ଅଫିସରଙ୍କ ଇଚ୍ଛାଶକ୍ତି ଅଭାବରୁ ଦୁର୍ଦ୍ଧଶା ଭୋଗୁଛନ୍ତି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ପିପଳପଦର ପଞ୍ଚାୟତ ବାରିଗାଁର ଚାଷୀ ।
ବାରିଗାଁର ପୂର୍ବତନ ସମିତି ସଭ୍ୟ ସମ୍ବ୍ରୁରୁ ମିଣିଆକା, ପାତ୍ର ମିଣିଆକା, ବଗି ମିଣିଆକା, ଜେଟୁ ମିଣିଆକା, ସୁବାସ ମିଣିଆକା, ଚେର୍କୁ ମିଣିଆକା, ଲାଠି ମିଣିଆକା, ଶିବ ମିଣିଆକା ପ୍ରମୁଖ କହିଛନ୍ତି, ନଦୀରେ ପାଣି ଥାଇ ସେମାନଙ୍କ ଚାଷଜମି ଶୁଖିଲା ପଡ଼ିଛି । କେବଳ ଗୋଟିଏ କି ଦୁଇ ଏକର ନୁହେଁ, ୭୦୦ରୁ ଅଧକ ଏକର ଚାଷଜମି ପଡ଼ିଆ ପଡିଛି । ନଦୀରେ ଏକ ମେଗା ଡ୍ୟାମ୍ ନିର୍ମାଣ ପାଇଁ ବାରମ୍ବାର ଦାବି କରାଯାଉଛି । ସ୍ଥାନୀୟ ନେତାମାନେ ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି । ୧୫ବର୍ଷ ତଳେ ଅର୍ଥାତ୍ ୨୦୦୭ରେ ଏଠାରେ ଡ୍ୟାମ୍ ନିର୍ମାଣ ପାଇଁ ବ୍ୟୟ ଅକଟଳ କରାଯାଇଥିଲା । ଦୀର୍ଘବର୍ଷର ସଂଘର୍ଷ ପରେ ୨୦୧୬ରେ ୧କୋଟି ୨୨ ଲକ୍ଷ ବ୍ୟୟ ଅଟକଳରେ ନଦୀର ବାରିଗାଁଠାରେ ଏକ ମେଗା ସେଚପ୍ରକଳ୍ପ କାମ ଆରମ୍ଭ ହୋଇଥିଲା । କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ନିର୍ମାଣ କାମ ଆରମ୍ଭ କରାଯାଇଥିବା ବେଳେ ଅର୍ଥ ଅଭାବ ଦର୍ଶାଇ ଅଧପନ୍ତରିଆ ଭାବେ କାମକୁ ଛାଡିଦିଯାଇଛି । ଚାଷବାସ କରି ପରିବାର ଚଳାଇବା ସହ ପିଲାଙ୍କ ପାଠପଢା ପାଇଁ ସେମାନେ ସ୍ୱପ୍ନ ଦେଖିଥିଲେ । ତାହା ଆଜିପର୍ଯ୍ୟନ୍ତ ପୂରଣ ହୋଇପାରିନଥିବା ଗାଁର ଶିବ ମିଣିଆକା, ସାଲୁ ମିଣିଆକା, ଚିନ୍ତାମଣି ମିଣିଆକା, ଲମ୍ବୁ ମିଣିଆକା, ଡମ୍ବରୁ ମିଣିଆକା, ସୁରେନ୍ଦ୍ର ମିଣିଆକା, ଶଙ୍କର ମିଣିଆକା ପ୍ରମୁଖ ଚାଷୀ କ୍ଷୋଭର ସହ କହିଛନ୍ତି । ସେମାନେ କହିଛନ୍ତି, କୋରାପୁଟ ସାଂସଦ ଓ ଲକ୍ଷ୍ମୀପୁର ବିଧାୟକ ଏଥିପ୍ରତି ଗୁରୁତ୍ୱ ଦେଲେ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରନ୍ତା । ଶତାଧିକ ଏକର ଜମିରେ ସୁନାର ଫସଲ ଫଳିପାରନ୍ତା । ଏବେ ନଦୀ ଉପର ଜମିଗୁଡ଼ିକରେ ଧାନ ଓ ସୂର୍ଯ୍ୟମୁଖୀ ଚାଷ କରାଯାଇଛି । ଜମିଠାରୁ ମାତ୍ର ୫୦ ମିଟର ଦୂରରେ ନଦୀ ପ୍ରବାହିତ ହେଉଥିଲେ ବି ଚାଷଜମିଗୁଡ଼ିକ ଶୁଖିଲା ପଡ଼ିଛି । ଏ ଦିଗରେ ପ୍ରଶାସନ ଓ ଲୋକ ପ୍ରତିନିଧିମାନେ ତୁରନ୍ତ ପ୍ରତିକାର ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି ଗ୍ରାମବାସୀ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons