ଡଙ୍ଗା କୂଳରେ ଲାଗିବାକୁ ନେଇ ବିବାଦ:ମଝି ଚିଲିକାରେ ଅଟକିଲେ ୩୦୦ ଯାତ୍ରୀ

Get real time updates directly on you device, subscribe now.

ଚିଲିକା,(ବି.ବି.ନୁ୍ୟଜ): କୃଷ୍ଣପ୍ରସାଦର ପ୍ରସିଦ୍ଧ ପଣାଯାତ୍ରା ଦେଖିବାକୁ ଯାଇଥିବା ଶ୍ରଦ୍ଧାଳୁମାନଙ୍କୁ ଶନିବାର ହଟହଟା ହେବାକୁ ପଡ଼ିଛି । କୂଳରେ ଡଙ୍ଗା ଲଗାଇବାକୁ ନେଇ ବିବାଦ ଉପୁଜିବାରୁ ମଝି ଚିଲିକାରେ ୪ଟି ଡଙ୍ଗାରେ ପ୍ରାୟ ୩୦୦ରୁ ଊଦ୍ଧ୍ୱର୍ ଯାତ୍ରୀ ଦେଢ଼ ଘଣ୍ଟା ଧରି ଅଟକି ରହିଥିଲେ । ପରେ କୃଷ୍ଣପ୍ରସାଦ ଆଇଆଇସି ଦିଲ୍ଲୀପ କୁମାର ସ୍ୱାଇଁ ପହଞ୍ଚି ବିବାଦ ସମାଧାନ କରିବାରୁ ଡଙ୍ଗା ସବୁ କୂଳରେ ଲାଗିଥିଲା । ପ୍ରାଶାସନିକ ଅବହେଳାରୁ ଏହି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି ।
ଦ୍ୱିତୀୟ ବାଲିଯାତ୍ରା ଭାବେ ପରିଚିତ କୃଷ୍ଣପ୍ରସାଦ ପଣାଯାତ୍ରା ଦେଖିବା ପାଇଁ ସାତପଡ଼ାରୁ ହଜାର ହଜାର ଯାତ୍ରୀ ଯାତାୟାତ କରୁଛନ୍ତି । କୃଷ୍ଣପ୍ରସାଦ ବ୍ଲକର ୨୧ ପଞ୍ଚାୟତରୁ ଚିଲିକା ମଝିରେ ୧୪ଟି ପଞ୍ଚାୟତ ଓ ଚିଲିକା ସେପାରିରେ ୭ଟି ପଞ୍ଚାୟତ ରହିଛି । ଯାତ୍ରା ଦେଖିବାକୁ ସାତପଡ଼ା ଘାଟରୁ ପ୍ରତିଦିନ ହଜାର ହଜାର ଲୋକେ ଡଙ୍ଗାରେ ବସି କୃଷ୍ଣପ୍ରସାଦ ପଟ ଜହ୍ନିକୁଦା ଘାଟକୁ ଯାଇଥାନ୍ତି । ଶନିବାର ଭୋର୍ ୫ଟାରେ ପଣଯାତ୍ରା ଦେଖି ଜହ୍ନିକୁଦାରୁ ଫେରୁଥିବା ଡଙ୍ଗାକୁ ସାତପଡ଼ା ପଟ ଡଙ୍ଗା ଚାଳକମାନେ ବିରୋଧ କରିଥିଲେ । ପରେ ଅପରାହ୍ଣ ୩ଟାରେ ସାତପଡ଼ାରୁ ଜହ୍ନିକୁଦା ଯାଉଥିବା ୪ଟି ଡଙ୍ଗାକୁ ସେଠାରେ ବିରୋଧ କରାଯିବାରୁ ଚିଲିକା ମଝିରେ ଡଙ୍ଗା ଅଟକି ରହିଥିଲା । ଯାତ୍ରୀମାନେ କୃଷ୍ଣପ୍ରସାଦ ବିଡିଓ ମନୋଜ କୁମାର ନାୟକଙ୍କୁ ଟେଲିଫୋନ୍ରେ ଖବର ଦେଇଥିଲେ । ମାତ୍ର ସେ ଏ ଦିଗରେ କୌଣସି ପଦକ୍ଷେପ ନନେବାରୁ ଥାନାଧିକାରୀଙ୍କୁ ଜଣାଇଥିଲେ ।
ବ୍ଲକ ତରଫରୁ ସାତପଡ଼ା ଓ ବ୍ରହ୍ମପୁର ପଞ୍ଚାୟତର ଘାଟ ଡଙ୍ଗା ନିଲାମରେ ଦିଆଯାଏ । ମାତ୍ର ଡଙ୍ଗା ଚାଳକମାନେ ଯାତ୍ରୀଙ୍କଠୁ ଚଢ଼ା ଦରରେ ଭଡ଼ା ଆଦାୟ କରୁଥିବା ନଜିର୍ ରହିଛି । ଡଙ୍ଗା ଚାଳକଙ୍କ ପ୍ରତି ପ୍ରଶାସନର ଲଗାମ ନଥିବାରୁ ଦୈନନ୍ଦିନ ଚିଲିକାରେ ଯାତାୟାତକୁ ନେଇ ବିବାଦ ଉପୁଜୁଛି । ପୁଲିସ୍ ଡଙ୍ଗା ଚାଳକଙ୍କୁ ଡକାଇ ଘଟଣାର ଆପୋସ ସମାଧାନ କରିବା ପରେ ଯାତାୟାତ ସ୍ୱାଭାବିକ ହେଉଛି । ମାତ୍ର ପରେ ପୁଣି ବିବାଦ ଉପୁଜୁଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ଦାବି ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons