ତେଲ ନିଆଁରେ ସବୁ ମହଙ୍ଗା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଖାଉଟିଙ୍କ ପିଛା ଛାଡୁନାହିଁ ଦରବୃଦ୍ଧି । ମହଙ୍ଗା ନିଅାଁରେ ବଡ଼ କଲବଲ ହେଉଛନ୍ତି । ତୈଳ ଦର ବୃଦ୍ଧିରୁ ପରିବହନ ଖର୍ଚ୍ଚ ଉପରମୁହାଁ । ଏହାର ସିଧାସଳଖ ପ୍ରଭାବ ଖାଉଟିଙ୍କ ପକେଟ ଉପରେ ପଡିଛି । ପାରିବାରିକ ବଜେଟ ବିଗିଡିଗଲାଣି । ଖାଦ୍ୟଠାରୁ ଆରମ୍ଭ କରି ଅନେକ ଅତ୍ୟାବଶ୍ୟକ ସାମଗ୍ରୀ ଏବେ ଆକାଶଛୁଆଁ । ବର୍ତ୍ତମାନ ପାଇଁ ତୈଳ ଦର ବୃଦ୍ଧିରେ ବିରାମ ଲାଗିବା ସମ୍ଭାବନା କମ୍ । ଫଳରେ ସାଧାରଣ ଖାଉଟିଙ୍କ ଦୁଃଖ କେବେ ଯିବ, ବୁଝାପଡ଼ୁନି ।
ପନିପରିବା ଏବଂ ଫଳମୂଳ ଛୁଇଁ ହେଉନାହିଁ । ପରିବହନ ଖର୍ଚ୍ଚ ବୃଦ୍ଧି ଯୋଗୁ ରାଜ୍ୟରେ ଅଧିକାଂଶ ପରିବା ଏବଂ ଫଳ ଦର ୧୦ରୁ ୨୦ଧ ବୃଦ୍ଧି ପାଇଛି । ମାସକରେ ଦେଶରେ ହାରାହାରି ଡାଲି ଦର ୧୬ଧ ପର୍ଯ୍ୟନ୍ତ ବୃଦ୍ଧି ପାଇଲାଣି ।
୧୬ ଦିନରେ ୧୪ ଥର ବଢ଼ିଲାଣି ପେଟ୍ରୋଲ, ଡିଜେଲ । ଉଭୟ ଇନ୍ଧନ ପ୍ରାକ୍-ନିର୍ବାଚନ ସ୍ତର ତୁଳନାରେ ପ୍ରାୟ ୧୦ ଟଙ୍କା ଉପରକୁ ଉଠିଗଲାଣି । ଇନ୍ଧନ ଦର ବଢ଼ିବା ସହ ସବୁକିଛି ମହଙ୍ଗା ହୋଇଚାଲିଛି । ମଧ୍ୟବିତ୍ତ ଏବଂ ନିମ୍ନ ଆୟବର୍ଗ ଅଣ୍ଟା ସଳଖିବା ମୁସ୍କିଲ ହୋଇଛି । ସୀମିତ ଦରମା ମଧ୍ୟରେ ଘର ସମ୍ଭାଳିବା କାଠିକର ପାଠ । ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ଯୋଗୁ ଲୋକେ ଏବେ ଦ୍ୱନ୍ଦ୍ୱରେ ଯେ, ଖର୍ଚ୍ଚ କେଉଁଥିରେ କରିବେ । ଖାଦ୍ୟରେ ନା ଶିକ୍ଷା ନା ସ୍ୱାସ୍ଥ୍ୟରେ ।
କଖାରୁ ଏବଂ ଅମୃତଭଣ୍ଡାକୁ ଛାଡ଼ି ପ୍ରାୟ ସମସ୍ତ ପରିବା କିଲୋ ୫୦ ଟଙ୍କା ଉପରେ । ଲେମ୍ବୁ ଗୋଟା ୧୦ ଟଙ୍କା । କଞ୍ଚାଲଙ୍କା କିଲୋକୁ ୧୦୦ ଟଙ୍କା । କେମିତି ପରିବାର ସମ୍ଭାଳିବେ ସେ ଚିନ୍ତା ଘାରୁଛି ।
ଗତ କିଛି ଦିନ ମଧ୍ୟରେ ଫଳମୂଳ ଦର ବି ଆକାଶ ଛୁଇଁଛି । ସେଓ କିଲୋ ପିଛା ୨୩୦ରୁ ୨୫୦ ଟଙ୍କାରେ ବିକ୍ରି ହେଉଛି । କମଳା ଏବଂ ଅଙ୍ଗୁର କିଲୋକୁ ୧୦୦ରୁ ୧୫୦ ଟଙ୍କା । ତରଭୁଜ କିଲୋ ୫୦ ଟଙ୍କାରେ ବିକ୍ରି ହେଉଛି ।
ବଜାର ବିଶେଷଜ୍ଞଙ୍କ ମତରେ ଇନ୍ଧନ ଦର ବୃଦ୍ଧି ଯୋଗୁ ପରିବହନ ଖର୍ଚ୍ଚ ବଢ଼ିଛି, ଯାହାର ପ୍ରଭାବ ପନିପରିବା ଏବଂ ଫଳମୂଳ ଉପରେ ପଡ଼ିଛି । ବିଭିନ୍ନ ଖାଦ୍ୟ ସାମଗ୍ରୀ ବି ମହଙ୍ଗା ହୋଇଛି । ଖାଇବା ତେଲ, ଡାଲି ସବୁ କିଛି ମହଙ୍ଗା । ଇନ୍ଧନ ଦର ବୃଦ୍ଧି ଅନ୍ୟାନ୍ୟ ସାମଗ୍ରୀ ଦରକୁ ବଢ଼ାଇବା ସ୍ୱାଭାବିକ ।
ଓଡ଼ିଶା ବ୍ୟବସାୟୀ ସଂଘର ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ, ଖାଲି ଫଳ ଏବଂ ପନିପରିବା ନୁହେଁ ଚିନି, ଖାଇବା ତେଲ ଏବଂ ଡାଲି ଦର ବି ଏଇ କିଛି ଦିନ ହେବ ବଢ଼ିଚାଲିଛି । ଇନ୍ଧନ ଦର ବୃଦ୍ଧି ଯୋଗୁ ଗତ ୧୪ ଦିନରେ ୫୦୦ କିମି ଦୂରତ୍ୱ ଲାଗି ପରିବହନ ଖର୍ଚ୍ଚ କୁଇଣ୍ଟାଲ ପିଛା ୫୦ ଟଙ୍କା ବଢ଼ିଯାଇଛି । ଏହାର ପ୍ରଭାବ ସାମଗ୍ରୀଗୁଡ଼ିକ ଦର ଉପରେ ପଡ଼ିବା ସ୍ୱାଭାବିକ । କିଛି ଦିନ ତଳେ କୁଇଣ୍ଟାଲ ପିଛା ଚିନି ଦର ୩,୭୦୦ ଟଙ୍କା ଥିଲା । ଶନିବାର ଏହା ୩,୯୦୦ ଟଙ୍କା ଛୁଇଁଛି ।
ଶ୍ରୀ ପଣ୍ଡା କୁହନ୍ତି, ଓଡ଼ିଶାରେ ଡାଲି ଉତ୍ପାଦନ ହୋଇଥାଏ । କିନ୍ତୁ ତାହା ଯଥେଷ୍ଟ ନୁହେଁ । ମୁଗ ଏବଂ ବିରି ବ୍ୟତୀତ ଓଡ଼ିଶା ଅନ୍ୟ ସମସ୍ତ ପ୍ରକାର ଡାଲିକୁ ବାହାର ରାଜ୍ୟରୁ ଆମଦାନି କରିଥାଏ । ବର୍ତ୍ତମାନ ଅମଳ ସମୟ । ତେଣୁ ଦର କମିବା କଥା । କିନ୍ତୁ ତାହା ହୋଇନାହିଁ ।
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ସହ ଘରୋଇ ଦରକୁ ସମାନ୍ତରାଳ କରିବା ଲାଗି ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକ କ୍ରମାଗତ ଭାବେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ାଇ ଚାଲିଛନ୍ତି । ଭୁବନେଶ୍ୱରରେ ଏହା ୧୧୧ ଟଙ୍କା ଉପରେ । ସେହିଭଳି ଡିଜେଲ ୧୦୦ ଟଙ୍କା ପାର୍ କରିଯାଇଛି । ଅନ୍ତର୍ଜାତୀୟ ଦର ସହ ତାଳ ମିଳାଇ ଆଗକୁ ମଧ୍ୟ ତୈଳ କମ୍ପାନିଗୁଡ଼ିକ ଏହାକୁ ଜାରି ରଖିବେ ।
ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ଭଳି ପ୍ରମୁଖ ଉତ୍ପାଦନକାରୀ ରାଜ୍ୟଗୁଡ଼ିକରେ ହରଡ଼ ଡାଲି ଉତ୍ପାଦନ ୩୦ଧ ପର୍ଯ୍ୟନ୍ତ ହ୍ରାସ ଆଶଙ୍କା ରହିଛି । ଡାଲି ମହଜୁଦକାରୀଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ । ଏସବୁ କିଛି କାରଣରୁ ଡାଲି ଦର ହାଣ୍ଡିଶାଳକୁ ବାଧୁଥିବା ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।
ଗତ ମାସକ ମଧ୍ୟରେ ଦେଶରେ କାବୁଲି ବୁଟ ଦରରେ ସର୍ବାଧିକ ୧୬ଧ ବୃଦ୍ଧି ହୋଇଛି । ଏବେ ଏହା କିଲୋ ପିଛା ୧୧୦ ଟଙ୍କାରେ ବିକ୍ରି ହେଉଛି । ମାସକ ତଳେ ଏହା ୯୫ ଟଙ୍କା ଥିଲା । କୁଇଣ୍ଟାଲ ପିଛା ଦେଶୀ ଚଣା ଦର ୫,୦୦୦ ଟଙ୍କାରୁ ବଢ଼ି ୫,୧୦୦ ଟଙ୍କା ହୋଇଛି । ହରଡ଼ ଡାଲି କିଲୋ ପିଛା ୧୨୫ ଟଙ୍କାରେ ପହଞ୍ଚିଯାଇଛି । ସବୁଠୁ ଶସ୍ତାରେ ବିକ୍ରି ହେଉଥିବା ଚଣା ଡାଲି କିଲୋ ପିଛା ୮୦ ଟଙ୍କାରେ ମିଳୁଛି ।
ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶର ଡାଲି ବ୍ୟବସାୟୀଙ୍କ ମୁତାବକ ହରଡ଼ ଏଭଳି ଏକ ଡାଲି ଯାହାକୁ ଉପଭୋକ୍ତା ବି ଠୁଳ କରନ୍ତି । ମାର୍ଚ୍ଚରୁ ମେ’ ମଧ୍ୟରେ ଏହାର ‘କଞ୍ଜୁ୍ୟମର ଷ୍ଟକିଂ’ ହୋଇଥାଏ ।
ହରଡ ଡ଼ାଲି ଉତ୍ପାଦନ କ୍ଷେତ୍ରରେ ପ୍ରମୁଖ ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ ଏବଂ ଗୁଜରାଟରେ ମଣ୍ଡିରେ କୁଇଣ୍ଟାଲ ପିଛା ହାରାହାରି ଦର ୬,୪୦୦ରୁ ୬,୫୦୦ ଟଙ୍କା ମଧ୍ୟରେ ରହିଛି । ଅନ୍ୟପକ୍ଷରେ ଏମ୍ଏସ୍ପି କୁଇଣ୍ଟାଲ ପିଛା ୬,୩୦୦ ଟଙ୍କା ରହିଛି ।
ପ୍ରକାଶଯୋଗ୍ୟ, ଉ+ଟ ଦରବୃଦ୍ଧି ମଧ୍ୟରେ ଦେଶରେ ମୁଦ୍ରାସ୍ଫୀତି ଚିନ୍ତାର ବିଷୟ ପାଲଟିଛି । ଆଜିଠାରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା ବୈଠକ ଆରମ୍ଭ ହୋଇଛି । ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ବ୍ୟାଙ୍କ ଏହାର ପ୍ରମୁଖ ସୁଧ ହାରକୁ ଅପରିବର୍ତ୍ତିତ ରଖିପାରେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons