ପଞ୍ଚାୟତ ପ୍ରତିନିଧିଙ୍କୁ ବିରୋଧ କଲେ ଗ୍ରାମବାସୀ

Get real time updates directly on you device, subscribe now.

ଦିଗପହଣ୍ଡି, (ବି.ବି.ନୁ୍ୟଜ): ଗ୍ରାମ ପଞ୍ଚାୟତ ବୈଠକ କିମ୍ବା ପଞ୍ଚାୟତ ସମିତି ବୈଠକ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉ କିମ୍ବା ସଭାସମିତି ସବୁଠି ପ୍ରତିନିଧି ପ୍ରଥା ପ୍ରଚଳିତ । ପତ୍ନୀ ସରପଞ୍ଚ, ସମିତି ସଭ୍ୟା ନିର୍ବାଚିତ ହୋଇଛନ୍ତି । କିନ୍ତୁ ସ୍ୱାମୀ ପ୍ରତିନିଧି ହିସାବରେ ସମସ୍ତ କାର୍ଯ୍ୟ ପରିଚଳନା କରିବା ଘଟଣା କାହାକୁ ଅଛପା ନୁହେଁ । ଫଳରେ ନାରୀ ସଶକ୍ତୀକରଣ ଉପରେ କୁଠାରଘାତ ହେବା ସହ ନିର୍ବାଚିତ ମହିଳା ଜଣକ ରାଜନୈତିକ ଅଧିକାର ହରାଇ ବସୁଛନ୍ତି । ଆଜି ଏହିଭଳି ପ୍ରସଙ୍ଗ ଉପରେ ସ୍ୱର ଉତ୍ତୋଳନ କରି ଚର୍ଚ୍ଚାରେ ରହିଛନ୍ତି ଜୁଆଣପଲ୍ଲୀ ଗ୍ରାମବାସୀ । ଗ୍ରାମବାସୀଙ୍କ ଏଭଳିଙ୍କୁ ବିଭିନ୍ନ ସ୍ତରରୁ ସମର୍ଥନ ମିଳିଛି ।
ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏସ୍.ଟିକରପଡା ପଞ୍ଚାୟତର ଜୁଆଣପଲ୍ଲୀ ଗ୍ରାମରେ ଜଳ ଓ ପରିମଳ କମିଟିର ଏକ ସାଧାରଣ ବୈଠକ ହୋଇଥିଲା । ବୈଠକରେ ଗ୍ରାମର ୫୦ରୁ ଉଦ୍ଧ୍ୱର୍ର୍ ସାଧାରଣ ଲୋକ ଯୋଗ ଦେଇଥିଲେ । ଗ୍ରାମ୍ୟ ଜଳ ଓ ପରିମଳ କମିଟିର ସଂଯୋଜକ ସନ୍ତୋଷ କୁମାର ବାଡ଼ତ୍ୟା ବୈଠକରେ ଅଧ୍ୟକ୍ଷତା କରିଥିଲେ । ପାନୀୟ ଜଳ ସୁପରିଚଳନା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟ ଯୋଗ ଦେବାର ନିୟମ ରହିଛି । କିନ୍ତୁ ସରପଞ୍ଚ ପ୍ରିୟଙ୍କା ନାୟକ ଓ ସମିତିସଭ୍ୟ ଶୈଳ ବେହେରା ବୈଠକରେ ଉପସ୍ଥିତ ନଥିଲେ । ତାଙ୍କର ପ୍ରତିନିଧି ହିସାବରେ ଉଭୟଙ୍କ ସ୍ୱାମୀ ବୈଠକରେ ଯୋଗ ଦେଇଥିଲେ । ତେବେ ବୈଠକରେ ଯୋଗ ଦେଇଥିବା ପଞ୍ଚାୟତ ପ୍ରତିନିଧିଙ୍କୁ ସାଧାରଣ ଲୋକ ତୀବ୍ର ବିରୋଧ କରିଥିଲେ । ବୈଠକକୁ ସରପଞ୍ଚ ଓ ସମିତିସଭ୍ୟ ନଆସି ଆପଣ କାହିଁକି ଆସିଛନ୍ତି, ଆପଣଙ୍କୁ ଆମେ ଭୋଟ ଦେଇନାହୁଁ ବୋଲି ପ୍ରଶ୍ନ ହେବାରୁ ଉଭୟେ ବୈଠକ ସ୍ଥଳ ଛାଡ଼ି ଚାଲି ଯାଇଥିଲେ । ସାଧାରଣରେ ଏଭଳି ପ୍ରଶ୍ନ ବୈଠକର ମର୍ଯ୍ୟଦାକୁ ବୃଦ୍ଧି କରିଥିଲା ବୋଲି ଆଲୋଚନା ହୋଇଛି । ଶେଷରେ ଗ୍ରାମ୍ୟ ଜଳ ଓ ପରିମଳ କମିଟିର ଦଣ୍ଡପାଣି ପାତ୍ର ସଭାପତି, କୈକୟୀ ବେହେରା ଉପସଭାପତି ଓ କୋଷାଧ୍ୟକ୍ଷ ଭାବେ ଚିନ୍ମୟୀ କୁମାରୀ ଗୌଡ ସର୍ବସମ୍ମତ ଭାବେ ମନୋନୀତ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons