ପରିବାରକୁ ବାନ୍ଧି ସଶସ୍ତ୍ର ଡକାୟତି

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ): ରାୟଗଡ଼ା ସହରର ସାଇପ୍ରିୟା ନଗରରେ ସଶସ୍ତ୍ର ଡକାୟତି । ଶୁକ୍ରବାର ବିଳମ୍ବିତ ରାତିରେ ପରିବାର ଲୋକଙ୍କୁ ବାନ୍ଧିବା ସହ ମାରଣାସ୍ତ୍ର ଦେଖାଇ ଡକାୟତମାନେ ଲୁଟି ନେଇଛନ୍ତି ୧୦ ଲକ୍ଷରୁ ଅଧିକ ଟଙ୍କାର ସଂପତ୍ତି । ସେ ଭିତରେ ରହିଛି ଦେଢ କେଜିରୁ ଅଧିକ ରୁପା, ୨୨୦ ଗ୍ରାମ୍ ଓଜନର ସୁନା ଅଳଙ୍କାର, ନଗଦ ୩୦ ହଜାର ଟଙ୍କା ଏବଂ ୪ଟି ମୋବାଇଲ୍ ଫୋନ୍ । ଲୁଟ୍ର ଶିକାର ହୋଇଛନ୍ତି ଏମ. ଭେଙ୍କେଟ ରାବଣାଙ୍କ ପରିବାର । ଟାଉନ୍ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଡକାୟତଙ୍କୁ ଧରିବା ଲାଗି ଚାଲିଛି ତନାଘନା ।
ମିଳିଥିବା ସୂଚନା ଅନୁଯାୟୀ, ସାଇପ୍ରିୟା ନଗରର ଶ୍ରୀ ରାବଣା ନିଜ ପରିବାର ସହ ତିରୁପତି ଯାଇଥିଲେ । ଶୁକ୍ରବାର ତିରୁପତିରୁ ଘରକୁ ଫେରିଥିଲେ । ରାତି ପ୍ରାୟ ୨ଟାରୁ ୩ଟା ମଧ୍ୟରେ ପ୍ରାୟ ୧୦ ଜଣ ଡକାୟତ ତାଙ୍କ ଘରେ ପଶିଥିଲେ । ଝରକା ଭାଙ୍ଗି ଘରେ ପଶିବା ପରେ ଶ୍ରୀ ରାବଣାଙ୍କ ସମେତ ତାଙ୍କ ସ୍ତ୍ରୀ ଏମ. ଭବାନୀ, ଦୁଇ ପୁଅ ରେବନ୍ତ ଓ ନିଶାନ୍ତଙ୍କୁ ବାନ୍ଧି ଦେଇଥିଲେ । ମାରଣାସ୍ତ୍ର ଦେଖାଇ ଦୁଇ ପୁଅଙ୍କୁ ବନ୍ଧକ ରଖିଥିଲେ । ଘରେ ଥିବା ନଗଦ ଟଙ୍କା ସହ ସମସ୍ତ ସୁନା ଓ ରୁପା ଅଳଙ୍କାର ଲୁଟି ନେଇଥିଲେ । ଘରଠାରୁ ଅଳ୍ପ ଦୂରରେ ଥିବା ରେଳ ଧାରଣା ଦେଇ ଫେରାର ହୋଇଯାଇଥିଲେ । ଡକାୟତି ପରେ ପରେ ଶ୍ରୀ ରାବଣା ପଡୋଶୀମାନଙ୍କୁ ସୂଚନା ଦେଇଥିଲେ । ସଂଗେ ସଂଗେ ସାହିବାସିନ୍ଦା ପହଞ୍ଚିଥିଲେ । ଆଖପାଖରେ ଖୋଜାଖୋଜି କରିଥିଲେ । କୌଣସି ଟେର୍ ନପାଇବାରୁ ପୁଲିସକୁ ପରିବାର ପକ୍ଷରୁ ସୂଚନା ଦିଆଯାଇଥିଲା । ସକାଳେ ପହଞ୍ଚିଥିଲା ପୁଲିସ୍ । ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ ସହାୟତାରେ ସୁରାକ ଖୋଜିଥିଲା । ଲୁଟ୍ର ଶିକାର ହୋଇଥିବା ଶ୍ରୀ ରାବଣା ରେଳବାଇ କର୍ମଚାରୀ ବୋଲି ଜଣାପଡିଛି ।
ସୂଚନାଥାଉକି, ପ୍ରତିଦିନ ସହର ଭିତରେ ଏଭଳି ଚୋରି, ରାହାଜାନି ଏବଂ ଲୁଟ୍ପାଟ୍ ଘଟିଚାଲିଛି । ଅଧିକାଂଶ ମାମଲାରେ ପୁଲିସ୍କୁ ସଫଳତା ମିଳୁନି । ପୁଲିସ୍ ଉପରୁ ଲୋକଙ୍କ ଆସ୍ଥା ତୁଟିବାରେ ଲାଗିଛି । ଅନ୍ୟପକ୍ଷରେ ପୁଲିସର ଡିଲାପଣର ସୁଯୋଗ ଉଠାଇ ଚୋର ଓ ଲୁଟେରାଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଦେଖାଯାଉ, ଏହି ଡକାୟତି ଘଟଣାରେ ପୁଲିସ୍ ସଫଳତା ପାଉଛି ନା ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons