ପରିବାର ସାମ୍ନାରେ ଟାଣିନେଲା ସମୁଦ୍ର

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ବାପା କାଇଁ ଦେଖା ଯାଉନାହାନ୍ତି… । ଉତ୍ତର ମିଳୁଥିଲା ହଁ, ତୋ ବାପା ଉଠିଲେ ତ ଦେଖାଯିବେ… । କିଛି କ୍ଷଣ ପରେ ପୁଣି କୁନି ପୁଅଟି ପଚାରିଲା, ବାପା କାଇଁ ଆସିଲେନି ତ… । ବାସ୍ ଏହାପରେ ଏ ଉତ୍ତର ଦେବାକୁ କେହି ବି ସମର୍ଥ ହୋଇନଥିଲେ । ପୁଅ ପ୍ରଶ୍ନର ଉତ୍ତର ଦେବାରେ ସଭିଏଁ ହୋଇଥିଲେ ବିଫଳ । କୁନି କୁନି ଦୁଇ ପୁଅଝିଅଙ୍କ ସାମ୍ନାରେ ବାପାଙ୍କୁ ଟାଣି ନେଲା ଅଶାନ୍ତ ସମୁଦ୍ର । ସକାଳୁ ସଞ୍ଜ ଯାଏଁ ସମୁଦ୍ର ଗର୍ଭରେ ଖୋଜା ଚାଲିଥିଲେ ବି ରାତି ସୁଦ୍ଧା ତାଙ୍କର ପତ୍ତା ମିଳି ନଥିବା ଜଣାପଡ଼ିଛି । ଏଭଳି ଏକ ଅଘଟଣ ପୁରୀରେ ଆଲୋଡ଼ନ ସୃଷ୍ଟି କରିଛି । ନିଖୋଜ ବ୍ୟକ୍ତି ଜଣକ ହେଲେ ବାଲେଶ୍ୱର ଜିଲ୍ଲା ସିଙ୍ଗଲା ଥାନା ଅଧୀନ ଛଚିନା ଗ୍ରାମର ରାଧାଶ୍ୟାମ ବେହେରାଙ୍କ ପୁଅ ବଂଶୀଧର ବେହେରା (୩୫) । ତାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର । ନିଖୋଜ ବେଳର ୨ ମିନିଟ୍ ୫୦ ସେକେଣ୍ଡ୍ର ଭିଡିଓ ଏବେ ଭାଇରାଲ୍ ହୋଇଛି ।
ପୁରୀ ବୁଲିବାକୁ ୨ ସପ୍ତାହ ତଳୁ ହୋଇଥିଲା ଯୋଜନା । ତେଣୁ ଶୁକ୍ରବାର ସନ୍ଧ୍ୟାରେ ପରିବାର ସହ ପୁରୀରେ ପହଞ୍ଚିଥିଲେ ବଂଶୀଧର । ସାଙ୍ଗରେ ଥିଲେ ପତ୍ନୀ ଶାନ୍ତିଲତା, ୩ ବର୍ଷର ଝିଅ କଣ୍ଢେଇ, ୧୦ ବର୍ଷର ପୁଅ କାର୍ତ୍ତିକ, ଭଉଣୀ କଳ୍ପନା, ଝିଆରୀ ରଶ୍ମିତା ଓ ପୁତୁରା ରାକେଶ । ସମସ୍ତେ ଶ୍ରୀମନ୍ଦିର ସମ୍ମୁଖରେ ଜଣେ ପଣ୍ଡାଙ୍କ ଘରେ ଆଶ୍ରୟ ନେଇଥିଲେ । ଶନିବାର ପୂର୍ବାହ୍ଣରେ ଶ୍ରୀମନ୍ଦିର ଯିବାର ଯୋଜନା ଥିଲା । ତେଣୁ ମହୋଦଧିରେ ସ୍ନାନ କରିବା ପରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ମନସ୍ଥ କରି ସମସ୍ତେ ବେଳାଭୂମି ପଳାଇଥିଲେ । ସକାଳ ୬ଟାରେ ଚୈତନ୍ୟ ଛକ ନିକଟ ବେଳାଭୂମିରେ ପହଞ୍ଚି ସମୁଦ୍ର ସ୍ନାନ କରିଥିଲେ ।
ସମସ୍ତେ ସ୍ନାନସାରି ବେଳାଭୂମିରେ ପୋଷାକ ବଦଳୁଥିଲେ । ଏହି ସମୟରେ ପୁଅ କାର୍ତ୍ତିକକୁ ନେଇ ବଂଶୀଧର ପୁଣି ପାଣିକୁ ଯାଇଥିଲେ । ପୁଅ ସହ ସ୍ନାନ କରିବା ବେଳର ଦୃଶ୍ୟକୁ ମୋବାଇଲ୍ରେ କଏଦ୍ କରିବାକୁ ପୁତୁରା ରାକେଶକୁ କହିଥିଲେ । ତେଣୁ ରାକେଶ ନିଜ ମୋବାଇଲ୍ରେ ଏହି ଦୃଶ୍ୟକୁ କଏଦ୍ କରୁଥିଲେ । ଭାଇରାଲ୍ ଭିଡିଓରେ ଦେଖାଯାଇଛି ଯେ ପୁଅ କାର୍ତ୍ତିକ ସହ ବଂଶୀଧର ପାଣିର ଢେଉକୁ ଭାଙ୍ଗି ଫଟୋ ପୋଜ୍ ଦେଉଛନ୍ତି । ପୁଅକୁ ହସାଇବାକୁ ବି ଉଦ୍ୟମ କରୁଛନ୍ତି । ପୁଅ ପାଣି ଭିତରକୁ ଦୌଡ଼ିବା ବେଳେ ତାକୁ ଟାଣି ଧରି ଏଇଠି ଶୋଇ ପଡ଼, ପାଣି ପଳାଇବ ବୋଲି କହୁଛନ୍ତି । ଦୁହେଁ ଢେଉ ଭିତରେ ଶୋଇ ପଡ଼ି ଫଟୋ ପୋଜ୍ ଦେଉଛନ୍ତି । ଏକ ଢେଉକୁ ଦେଖାଇ ଏହା ଉପରକୁ ଡେଇଁବି, ମୋର ଭିଡିଓ କରେ ବୋଲି ପୁତୁରାଙ୍କୁ କହିବା ପରେ ଦୌଡ଼ି ଯାଇ ପାଣି ଭିତରକୁ ଲମ୍ଫ ମାରିଥିଲେ ବଂଶୀଧର । ହେଲେ ସେହି ଢେଉହିଁ ତାଙ୍କୁ ଟାଣି ନେଇଥିଲା ।
କିଛିସମୟ ପରେ ମୁଣ୍ଡ ଓ ହାତ ଦେଖା ଯାଇଥିଲା । ତେଣୁ ସେ ପହଁରୁଛନ୍ତି ବୋଲି ଭାବିଥିଲେ ପରିବାର ଲୋକେ । ଏହାପରେ ପାଣି ଭିତରେ ଗାଏବ୍ ହୋଇଗଲେ ବଂଶୀଧର । ବାପା କାଇଁ ଆସିଲେନି ବୋଲି ଆଶ୍ଚର୍ଯ୍ୟ ହୋଇ କାର୍ତ୍ତିକ ପାଣି ଭିତରେ ଖୋଜି ପକାଇଥିଲା । ବାପା ପାଣିକୁ ଦୌଡ଼ି ପଳାଉଥିବାର ଦେଖି ହସୁଥିବା କୁନି ଝିଅ କଣ୍ଢେଇ ବି ହଠାତ୍ ଆବାକ୍ ହୋଇଥିଲା । କାରଣ ସେତେବେଳେ ଚିକ୍ରାର କରୁଥିଲେ ମା’ ଶାନ୍ତିଲତା । ଚିକ୍ରାର ଶୁଣି ମଧ୍ୟ ଲାଇଫ୍ ଗାର୍ଡମାନେ ସଙ୍ଗେସଙ୍ଗେ ସମୁଦ୍ରରେ ପଶିନଥିବା ଅଭିଯୋଗ ହୋଇଛି । ୧ ଘଣ୍ଟା ପରେ ଖୋଜିବା ଆରମ୍ଭ କରିଥିଲେ । ଜେଟ୍ସ୍କି ମାଧ୍ୟମରେ ସମୁଦ୍ର ଗର୍ଭରେ ଖୋଜାଖୋଜି କରିଥିଲେ । ସମୁଦ୍ରକୂଳ ଥାନା ପୁଲିସ ବେଳାଭୂମିରେ ପଇଁତରା ମାରି ମଧ୍ୟ ଖୋଜାଖୋଜି କରିଥିଲା । ହେଲେ ରାତି ସୁଦ୍ଧା ବଂଶୀଧରଙ୍କ ପତ୍ତା ମିଳିନଥିବା କହିଛନ୍ତି ଆଇଆଇସି ଚିନ୍ମୟ ରାଉତ । ୩ଟି ଟିମ୍ ଏବେ ସନ୍ଧାନରେ ଲାଗିଛନ୍ତି । ଏଥିରୁ ଗୋଟିଏ ଜେଟ ସ୍କି ଟିମ୍ ଓ ଅନ୍ୟ ଦୁଇ ଟିମ୍ ସଦସ୍ୟ ଚାଲି ଚାଲି ନିଖୋଜଙ୍କୁ ଖୋଜୁଛନ୍ତି ।
ବଂଶୀଧର ପୁନେରେ ଏକ କମ୍ପାନିରେ କାମ କରି ପରିବାର ଚଳାନ୍ତି । ପତ୍ନୀ, ୨ ପିଲା ଓ ବାପା ଏବଂ ପକ୍ଷାଘାତ ଆକ୍ରାନ୍ତ ମାଆଙ୍କୁ ନେଇ ତାଙ୍କ ପରିବାର । ପୁଅକୁ ଅପେକ୍ଷା କରି ରହିଥିବା ବାପା ଓ ମା’ ଏମିତି ଖବର ଶୁଣି ହତବାକ୍ ହୋଇ ଯାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons