‘ପରୀକ୍ଷା ପେ ଚର୍ଚ୍ଚା’ରେ ଛାତ୍ରଛାତ୍ରୀଙ୍କୁ ମୋଦି ମନ୍ତ୍ର

Get real time updates directly on you device, subscribe now.

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡିୟମ୍ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଅଢେ଼ଇ ଘଣ୍ଟା ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପ୍ରାୟ ୧ ହଜାର ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ଛାତ୍ରଛାତ୍ରୀମାନେ ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କୁ ପରୀକ୍ଷା ସମୟରେ ଚାପକୁ କେମିତି କମ୍ କରିବେ, ପ୍ରେରଣା ଲାଗି କ’ଣ କରିବେ, ମା’ ବାପାଙ୍କୁ ନିଜ ସ୍ୱପ୍ନ ବିଷୟରେ କିଭଳି ବୁଝାଇବେ ପରି ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ସରଳ ଭାଷାରେ ତାର ଉତ୍ତର ବୁଝାଇ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ଶିକ୍ଷକ ମାନେ ବି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ସାମିଲ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସହ ମିଶିଥିଲେ ।
କାର୍ଯ୍ୟକ୍ରମର ଆରମ୍ଭରେ ଛାତ୍ରଛାତ୍ରୀଙ୍କ ଉଦେ୍ଧଶ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ, ପରୀକ୍ଷାର ଚାପ ରହିବା କଥା ନୁହେଁ । ପରୀକ୍ଷାକୁ ଉତ୍ସବ ବନାଇ ଦିଅ ତା’ ହେଲେ ସେଥିରେ ରଙ୍ଗ ଭରିଯିବ । ପରୀକ୍ଷା ଜୀବନର ଏକ ସହଜ ଅଂଶ । ତାକୁ ଡରିବା କଥା ନୁହେଁ । ତୁମେମାନେ ଆଗରୁ ବି ପରୀକ୍ଷା ଦେଇଛ । ସେହି ଅନୁଭବକୁ ଶକ୍ତି ବନାଅ । ଯାହା କରିଆସିଛ ତା’ ଉପରେ ବିଶ୍ୱାସ ରଖ । ଆମେ ପରୀକ୍ଷା ଦେଇ ଦେଇ ଏବେ ପରୀକ୍ଷାପ୍ରୁଫ୍ ହୋଇଯାଇଛେ । ସେହିପରି ପରୀକ୍ଷା ସମୟରେ କୌଣସି ସାଙ୍ଗଙ୍କୁ କପି କରିବାର ଆବଶ୍ୟକତା ନାହିଁ । ତୁମେ ଯାହା କରୁଛ ତାକୁ ସଂପୂର୍ଣ୍ଣ ବିଶ୍ୱାସର ସହ କର । ଏହାଦ୍ୱାରା ତୁମେମାନେ ସମସ୍ତେ ଉତ୍ସବ ମୁଡ୍ରେ ପରୀକ୍ଷା ଦେଇପାରିବ ବୋଲି ମୁଁ ବିଶ୍ୱାସ କରୁଛି । ପରୀକ୍ଷା ସମୟରେ ଚାପରେ ରୁହନାହିଁ ।
ପ୍ରଧାନମନ୍ତ୍ରୀଙ୍କୁ ସୋସିଆଲ ମିଡିଆର ନିଶା ନେଇ ଦ୍ୱିତୀୟ ପ୍ରଶ୍ନ ପଚରାଯାଇଥିଲା । ତା’ର ଜବାବରେ ସେ କହିଛନ୍ତି, ଯେତେବେଳେ ତୁମେମାନେ ଅନଲାଇନ୍ରେ ପଢ଼ ସେତେବେଳେ କ’ଣ ପ୍ରକୃତରେ ପଢ଼? ଦୋଷ ଅନଲାଇନ୍ ବା ଅଫ୍ଲାଇନ୍ର ନୁହଁ । ଶ୍ରେଣୀଗୃହରେ ପଢ଼ିବା ବେଳେ ଅନେକ ସମୟରେ ତୁମମାନଙ୍କର ଶରୀର କ୍ଲାସ୍ରେ ରୁହେ ଓ ମନ ଅନ୍ୟ କେଉଁଠି ରୁହେ । ଯେଉଁ କଥା ଅଫ୍ଲାଇନ୍ରେ ହୋଇଥାଏ ତାହା ଅନ୍ଲାଇନ୍ରେ ବି ହୋଇଥାଏ । ଏହାର ଅର୍ଥ ମାଧ୍ୟମ ନୁହେଁ, ମନ ହେଉଛି ସମସ୍ୟା । ମାଧ୍ୟମ ଅନ୍ଲାଇନ୍ ହେଉ ବା ଅଫ୍ଲାଇନ୍ ଯଦି ମନ ପୂରା ସେଥିରେ ମଜ୍ଜି ଯାଇଥିବ ତା’ ହେଲେ ତୁମମାନଙ୍କ ପାଇଁ ଅନ୍ଲାଇନ୍ ବା ଅଫଲାଇନ୍ କିଛି ଫରକ ପକାଇବ ନାହିଁ ।
ଆଜି ଆମେ ଡିଜିଟାଲ ଗେଜେଟ୍ ମାଧ୍ୟମରେ ଅତି ସହଜରେ ଜିନିଷ ପାଇପାରୁଛୁ । ଆମକୁ ଏହାକୁ ସମସ୍ୟା ନୁହେଁ, ଏକ ଅବସର ଭାବେ ଗ୍ରହଣ କରିବା କଥା । ଅନ୍ଲାଇନ୍କୁ ନିଜର ଆଧାର ମଜଭୁତ କରିବା ଲାଗି ବ୍ୟବହାର କର ଓ ଅଫ୍ଲାଇନ୍ରେ ଯାଇ ତାକୁ ସାକାର କର ।
ଅଭିଭାବକମାନଙ୍କ ଉଦେ୍ଧଶ୍ୟରେ ସେ କହିଛନ୍ତି, ବାପା ମା’ ନିଜ ଜୀବନରେ ଯାହା କରିବାକୁ ଚାହୁଁଥିଲେ ତାକୁ ପିଲାମାନଙ୍କ ଉପରେ ଲାଗୁ କରିବାକୁ ଚାହୁଁଛନ୍ତି । ବାପା ମା’ ଆଜିର ସମୟରେ ନିଜର ମହତ୍ୱାକାଂକ୍ଷା ଓ ସ୍ୱପ୍ନକୁ ପିଲାମାନଙ୍କ ଉପରେ ଲଦି ଦେବାକୁ ଚେଷ୍ଟା କରୁଛନ୍ତି । ଶିକ୍ଷକମାନେ ମଧ୍ୟ ନିଜ ସ୍କୁଲର ଉଦାହରଣ ଦେଇ ସେମାନଙ୍କ ଉପରେ ଚାପ ପକାଉଛନ୍ତି । ଆମେ ପିଲାଙ୍କର ଦକ୍ଷତାକୁ ବୁଝିବାକୁ ଉଦ୍ୟମ କରିନଥାଉ, ଯେଉଁଥିପାଇଁ ପିଲାମାନେ ଅନେକ ଥର ଦୋଦୁଲ୍ୟମାନ ହୋଇଥାନ୍ତି । ସବୁ ପିଲାଙ୍କ ନିକଟରେ ନିଜର ବିଶେଷତ୍ୱ ଥାଏ । ପରିଜନ, ଶିକ୍ଷକମାନଙ୍କ ତରାଜୁରେ ସେ ଫିଟ୍ ହୁଅନ୍ତୁ ବା ନହୁଅନ୍ତୁ ହେଲେ ଈଶ୍ୱର ସମସ୍ତଙ୍କୁ କୌଣସି ନା କୌଣସି ବିଶେଷ ଶକ୍ତି ଦେଇ ପଠାଇଛନ୍ତି । ପିଲାମାନଙ୍କର ସାମର୍ଥ୍ୟକୁ, ସ୍ୱପ୍ନକୁ ବୁଝି ନ ପାରିବା ବାପାମା’ଙ୍କର ଦୁର୍ବଳତା ।
ପ୍ରେରଣା ଲାଗି କ’ଣ କରିବାକୁ ପଡ଼ିବ ତା’ର ଉତ୍ତରରେ ମୋଦି କହିଛନ୍ତି, ପ୍ରେରଣାର କୌଣସି ଇଞ୍ଜେକସନ୍ ନଥାଏ । କୌଣସି ଫର୍ମୁଲା ନଥାଏ । ତୁମେମାନେ ନିଜ ଦେଖ ଏମିତି କେଉଁ ଜିନିଷ ରହିଛି ଯାହା ତୁମମାନଙ୍କୁ ନିରୁତ୍ସାହିତ କରୁଛି । ନିଜର ହତାଶାର ପ୍ରକୃତ କାରଣକୁ ଜାଣ । କାହା ଉପରେ ନିର୍ଭର ରୁହନାହିଁ । ନିଜର ସକରାତ୍ମକ ଗୁଣ ଓ ନକରାତ୍ମକ ଗୁଣ ଉଭୟକୁ ବୁଝ । ଏହାଦ୍ୱାରା ତୁମେ ନିଜକୁ ଭଲ ଭାବେ ବୁଝିପାରିବ ଓ ଅନ୍ୟ କାହାର ପ୍ରେରଣାର ଆବଶ୍ୟକତା ରହିବ ନାହିଁ । ସେହିପରି ଛାତ୍ରଛାତ୍ରୀମାନେ ସମୟ ସମୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାବେଳେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏପରିସ୍ଥଳରେ ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହରେ ଯାହା ଶିଖିଛନ୍ତି ତାକୁ ସାଙ୍ଗମାନଙ୍କ ସହ ଅଭ୍ୟାସ କରିବା ଆବଶ୍ୟକ । ଏହାଦ୍ୱାରା ପାଠ ଅଧିକ ଭଲ ଭାବେ ମନେ ରହିବ । ନିଜେ ନିଜର ପରୀକ୍ଷା ନିଅ । ପରସ୍ପରକୁ ଏହା ଶିଖାଅ । ଫଳରେ ତୁମେ ପରୀକ୍ଷାକୁ ଚାଲେଞ୍ଜ ଦେଇପାରିବ । ଯଦି ତୁମେ ଯୋଗ୍ୟ ବନିବାକୁ ପଢ଼ିଛ ତା’ ହେଲେ ପରିଣାମ ସଂପର୍କରେ ଚିନ୍ତା କରନାହିଁ ବୋଲି ସେ କହିଛନ୍ତି ।
ସେହିଭଳି ପ୍ରତିଯୋଗିତାକୁ ଆମେ ଜୀବନର ଏକ ଅଂଶ ଭାବେ ଗ୍ରହଣ କରିବା ଆବଶ୍ୟକ । ପ୍ରତିଯୋଗିତା ନଥିଲେ ଜୀବନର ମାନେ କ’ଣ । ସତକଥା କହିବାକୁ ଗଲେ ଆମେ ପ୍ରତିଯୋଗିତାକୁ ଆମନ୍ତ୍ରଣ କରିବା ଆବଶ୍ୟକ । ତା ହେଲେ ଆମ ଜୀବନର ସାର୍ଥକତା ମିଳିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୁଅ ଓ ଝିଅଙ୍କ ମଧ୍ୟରେ ଅନ୍ତର ରଖିବା ଉଚିତ ନୁହେଁ । ଝିଅମାନଙ୍କୁ ନୂଆ ସୁଯୋଗ ମିିଳିବା ଆବଶ୍ୟକ । ଝିଅ ଆଜି ପ୍ରତିଟି ପାରିବାରର ଶକ୍ତି ପାଲଟିଛନ୍ତି । ଯେଉଁ ସମାଜ ଝିଅମାନଙ୍କ ସାମର୍ଥ୍ୟକୁ ଜାଣିବାରେ ବିଫଳ ରହିବ ସେହି ସମାଜ କେବେବି ଆଗକୁ ବଢ଼ିପାରିବ ନାହିଁ ।
ସୂଚନାଥାଉକି, ଏହା ‘ପରୀକ୍ଷା ପେ ଚର୍ଚ୍ଚା’ର ୫ମ ସଂସ୍କରଣ ଥିଲା । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ପ୍ରଥମ ଥର ଲାଗି ୨୦୧୮ ମସିହା ଫେବ୍ରୃଆରୀ ୧୬ ତାରିଖରେ ‘ପରୀକ୍ଷା ପେ ଚର୍ଚ୍ଚା’ ଆୟୋଜିତ ହୋଇଥିଲା । ଛାତ୍ରଛାତ୍ରୀମାନେ ଯେପରି ଚାପମୁକ୍ତ ହୋଇ ପରୀକ୍ଷା ଦେବେ ତାହା ଏହି କାର୍ଯ୍ୟକ୍ରମର ଉଦେ୍ଧଶ୍ୟ । ପ୍ରଥମ ୩ ବର୍ଷ ଏହା ଦିଲ୍ଲୀରେ ଏକ ଇଣ୍ଟରାକ୍ଟିଭ୍-ଟାଉନହଲ ଭଳି ଆୟୋଜିତ ହେଉଥିଲା । ଗତବର୍ଷ ଏପ୍ରିଲ ୭ ତାରିଖରେ ଏହ ଅନ୍ଲାଇନରେ ଅନୁÂିତ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons