ପେପରମିଲ୍ ପ୍ରସଙ୍ଗ:ଉତ୍ପାଦନ ବନ୍ଦ ହୋଇ ୩ ବର୍ଷ ବିତିଲା

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ଗାଗନାପୁରରେ ଥିବା ପେପରମିଲ୍ରୁ ଉତ୍ପାଦନ ବନ୍ଦ ହୋଇ ଆଜକୁ ୩ ବର୍ଷ ବିତିଛି । ଚଳିତ ମାସରେ ଏଠାରୁ ଉତ୍ପାଦନ ଆରମ୍ଭ ହେବ ବୋଲି କୁହାଯାଉଥିଲା । ହେଲେ ମିଲ୍ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ମଧ୍ୟରେ ଚାକିରି ସର୍ତ୍ତାବଳୀକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ ହେଉନଥିବାରୁ ଅନିଶ୍ଚତତା ଲାଗି ରହିଛି । ବାରମ୍ବାର ବସୁଥିବା ବୈଠକ ଫେଲ୍ ମାରୁଛି । ଶ୍ରମ ଓ ପ୍ରଶାସନିିିିିକ ଅଧିକାରୀଙ୍କ ଉଦ୍ୟମ ଫସର ଫାଟୁଛି । ଏଭଳି ସ୍ଥିତିରେ ପେପରମିଲ କର୍ତ୍ତୃପକ୍ଷଙ୍କ ନୋଟିସ ସମସ୍ତଙ୍କୁ ଚିନ୍ତାରେ ପକାଇଛି । କେବଳ ଦେଖିବାର କଥା, ସମସ୍ୟା ସମାଧାନର ବାଟ କେବେ ଫିଟୁଛି ଏବଂ ପେପରମିଲରୁ କେବେ ଧୂଆଁ ଉଠୁଛି ।
୨୦୧୯ ଏପ୍ରିଲ ୨୦ରୁ ଉତ୍ପାଦନ ବନ୍ଦ ରହିଛି ଏହି ମିଲ୍ରୁ । କମ୍ପାନିର ଆର୍ଥିକ ଅବସ୍ଥା ଭଲନଥିବାରୁ ଉତ୍ପାଦନ ଆରମ୍ଭ ଦିଗରେ ସମସ୍ୟା ହେଉଥିବା ଦର୍ଶାଯାଇଥିଲା । ଜଳକର, ବିଦୁ୍ୟତ ଦେୟ, ବାଉଁଶରେ ରୟାଲଟି ଛାଡ ଓ କଞ୍ଚାମାଲରେ ରିହାତି ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ କାରଖାନା କର୍ତ୍ତୃପକ୍ଷ । ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସଚିବ ଓ ମନ୍ତ୍ରୀଙ୍କ ସହ ବାରମ୍ବାର ବୈଠକ ହୋଇଥିଲା । ଉତ୍ପାଦନ କିପରି ଆରମ୍ଭ ହେବ ସେଥିପାଇଁ ବିଧାୟକ ତାରାପ୍ରସାଦ ବାହିନୀପତି ଓ ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦଙ୍କ ସହ ସବୁ ରାଜନୈତିକ ଦଳର ନେତା ଉଦ୍ୟମ କରିଥିଲେ ।
ସୂଚନାଥାଉକି, କୋରାପୁଟ ଜିଲ୍ଲାର ଏକମାତ୍ର ବେସରକାରୀ ଶିଳ୍ପ ପେପରମିଲ ୧୯୮୧ରେ ଆରମ୍ଭ ହୋଇଥିଲା । କୌଣସି କାରଣରୁ ୧୯୮୭ରେ ପ୍ରଥମଥର ପାଇଁ ଉତ୍ପାଦନ ବନ୍ଦ ହୋଇଥିଲା । ଏହା ପରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ହସ୍ତକ୍ଷେପ କରିଥିଲେ । ୧୯୯୧ରେ ପୁଣିଥରେ କାର୍ଯ୍ୟକ୍ଷମ ହୋଇଥିଲା । ଦୀର୍ଘ ବର୍ଷ ଏଥିରୁ ଉତ୍ପାଦନ ହେଲା ପରେ ୨୦୧୬ରୁ ଆର୍ଥିକ ସଙ୍କଟ ଦର୍ଶାଇ ଉତ୍ପାଦନ ବନ୍ଦ ହେଲା । ଦରମା କଟାଯିବା ସର୍ତ୍ତରେ ଶ୍ରମିକମାନେ ରାଜି ହେବାପରେ ୨୦୧୭ରେ ପୁଣିଥରେ କାର୍ଯ୍ୟକ୍ଷମ ହୋଇଥିଲା । ଏହା ପରେ କେତେବେଳେ କାରଖାନାରୁ ପେପର ଉତ୍ପାଦନ ହେଲା ତ ଆଉ କେତେ ବେଳେ ବିଭିନ୍ନ ବାହାନା ଦର୍ଶାଇ ବନ୍ଦ କରାଗଲା ।୨୦୧୯ ଏପ୍ରିଲରୁ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଉତ୍ପାଦନ ବନ୍ଦ ହେଲେ ମଧ୍ୟ କର୍ମଚାରୀ ନିୟମିତ କାରଖାନା ଯାଉଥିଲେ । କିନ୍ତୁ ଦରମା ଦିଆଯାଉ ନଥିଲା । ଉତ୍ପାଦନ ଆରମ୍ଭ ହେଲେ ବକେୟା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇ ସମୟ ଗଡାଇ ଚାଲୁଥିଲେ କର୍ତ୍ତୃପକ୍ଷ । ୨୦୨୦ରେ କରୋନା ସଂକ୍ରମଣ ଆରମ୍ଭ ହେଲା । ଏହି ବାହାନାରେ ୨୦୨୦ ଏପ୍ରିଲରେ କର୍ମଚାରୀଙ୍କୁ କାରଖାନା ଭିତରକୁ ବାରଣ କରାଗଲା । ଏ ଭିତରେ ଅର୍ଥାତ୍ ୨୦୨୦ ଫେବ୍ରୁଆରୀ ୨୬ରେ ବିଲ୍ଟ ଆଉ ଏକ କମ୍ପାନି ମଦର ଆର୍ଥ ପ୍ରାଇଭେଟ ଲମିଟେଡ ସହ ବିଜିନେସ୍ ଟ୍ରାନ୍ସଫର ଏଗ୍ରିମେଣ୍ଟ କରିସାରିଥିଲା । କର୍ମଚାରୀଙ୍କୁ ଅନ୍ଧାରରେ ରଖି କମ୍ପାନି ସହ ଏହି ଏଗ୍ରିମେଣ୍ଟ କରାଯାଇଥିଲା । ପେପରମିଲକୁ କାର୍ଯ୍ୟକ୍ଷମ କରିବାକୁ ନୂତନ କମ୍ପାନି ଏକ ଘରୋଇ ବ୍ୟାଙ୍କରୁ ୩୫୦ କୋଟି ଟଙ୍କା ଋଣ ନେବାକୁ ଆବେଦନ କରିଥିଲା । ୨୦୨୦ ଜୁନ ୮ରେ ବ୍ୟାଙ୍କ ୧୫୦ କୋଟି ଟଙ୍କା ମଞ୍ଜୁର କରିଥିଲା । କିନ୍ତୁ ନୂତନ କମ୍ପାନି ଏନ୍ଓସି ଦାଖଲ କରିନଥିବାରୁ ମଞ୍ଜୁର ହୋଇଥିବା ବଳକା ୨୦୦ କୋଟି ଦେବାକୁ ମନା କରିଦେଇଥିଲା । ଏହା ପରେ ନୂଆ କମ୍ପାନି ଏନ୍ଓସି ଲାଗି ଉଦ୍ୟମ କରିଥିଲା । ରାଜ୍ୟ ସରକାର ଓ ପ୍ରଶାସନର ସହଯୋଗ ପରେ ଏନ୍ଓସି ମିଳିଲା । ମିଳିଥିବା ଋଣରୁ କାରଖାନା ମରାମତି କାମ ଆରମ୍ଭ କରିଥିଲା । ସବୁ କର୍ମଚାରୀଙ୍କୁ ନିୟୋଜିତ କରିନଥିଲା । ପ୍ରଥମ ପର୍ଯ୍ୟାୟରେ ମରାମତି କାମରେ ଆବଶ୍ୟକ ପଡୁଥିବା କର୍ମଚାରୀଙ୍କୁ ନେଇଥିଲା । ନିୟୋଜିତ କର୍ମଚାରୀଙ୍କୁ ମାସିକ ୧୫ ହଜାର ଟଙ୍କା ଦେବାକୁ ସର୍ତ୍ତ ରଖିଥିଲା । ପେପରମିଲ କାର୍ଯ୍ୟକ୍ଷମ ହେଲେ ବକେୟା ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ମରାମତି କାମ ସରିଆସିବା ପରେ ଅନ୍ୟ କର୍ମଚାରୀଙ୍କୁ ୨୦୨୧ ନଭେମ୍ବରରେ କାର୍ଯ୍ୟରେ ଯୋଗଦେବାକୁ ଅନୁମତି ଦେଇଥିଲା । ସେହିଦିନଠାରୁ କର୍ମଚାରୀ କାମରେ ଯୋଗ ଦେଉଛନ୍ତି । କିନ୍ତୁ ସେମାନଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ଦରମା ନ ଦେଇ ଆଡଭାନ୍ସ ହିସାବରେ ୧୫ରୁ ୧୮ ହଜାର ଟଙ୍କା ପାରିଶ୍ରମିକ ଦିଆଯାଉଛି । ଏବେ ଉତ୍ପାଦନ ଲାଗି କାରଖାନା ପ୍ରସ୍ତୁତ ହେଲା ବେଳକୁ ଦରମାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ଫଳରେ ଉତ୍ପାଦନ ଆରମ୍ଭରେ ସମସ୍ୟା ଦେଖାଦେଇଛି । ଏଭଳି ସମସ୍ୟା ଲାଗିରହିଲେ କଂପାନି ଉପରେ ଆର୍ଥିକ ବୋଝ ବଢିବ ଏବଂ ଦରକାର ପଡ଼ିଲେ ମିଲ୍କୁ ବନ୍ଦ କରିବାକୁ ପଡ଼ିପାରେ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons