ପେପର ମିଲ ପ୍ରସଙ୍ଗ:ଚାକିରି ସର୍ତ୍ତବଳୀ ପରିବର୍ତ୍ତନ ଗ୍ରହଣଯୋଗ୍ୟ ନୁହେଁ

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ପାରିଶ୍ରମିକ ବାବଦରେ କୌଣସି ପ୍ରକାର ବୁଝମଣା କରାଯାଇପାରବ ନାହିଁ । ପେପର ଉତ୍ପାଦନରେ ସହଯୋଗ କରାଯିବ । କିନ୍ତୁ ପୂର୍ବ ଚାକିରି ସର୍ତ୍ତାବଳୀରେ ପରିବର୍ତ୍ତନକୁ ଗ୍ରହଣ କରାଯିବ ନାହିଁ । ଏସମ୍ପର୍କରେ ମଦର ଆର୍ଥ ରିସୋର୍ସେସ ପ୍ରାଇଭେଟ ଲିମିଟେଡ କମ୍ପାନିକୁ ଚିଠି ଲେଖିଛି ମିଲ୍ ୱାର୍କିିଂ କମିଟି । ପ୍ରଥମେ କର୍ମଚାରୀଙ୍କ ବକେୟା ହିସାବ, ଅବସରପ୍ରାପ୍ତ କର୍ମଚାରୀଙ୍କ ପ୍ରାପ୍ୟ ପ୍ରଦାନ ଓ ଉତ୍ପାଦନ ପୂର୍ବରୁ ପୁରୁଣା ଦରମା ଲାଗୁ କରାଯିବାକୁ ଦାବି କରାଯାଇଛି । କର୍ମଚାରୀମାନେ କହିଛନ୍ତି, ଗତ ୨୦ ତାରିଖରେ କର୍ମଚାରୀଙ୍କ ପ୍ରତିନିଧି, ପରିଚାଳନା କର୍ତ୍ତୃପକ୍ଷ, ଯୁଗ୍ମ ଶ୍ରମ ଆୟୁକ୍ତଙ୍କ ସହ ଜିଲ୍ଲା ଶ୍ରମ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଉତ୍ପାଦନରେ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି କର୍ମଚାରୀ କହିଥିଲେ । ଉତ୍ପାଦନ ହେବା ପରେ ଆଲୋଚନା ମାଧ୍ୟମରେ ଚାକିରି ସର୍ତ୍ତାବଳୀ ଓ ପାରିଶ୍ରମିକ ସମ୍ପର୍କରେ ନିଷ୍ପତ୍ତି ନିଆଯିବାକୁ ପ୍ରସ୍ତାବ ଦିଆଯାଇଥିଲା । ଏହାକୁ ମିଲ୍ ପରିଚାଳନା କର୍ତ୍ତୃପକ୍ଷ ରାଜି ହୋଇଥିଲେ । କିନ୍ତୁ ସେହି ଦିନ ପରିଚାଳନା କର୍ତ୍ତୃପକ୍ଷ ଶ୍ରମ ଅଧିକାରୀଙ୍କୁ କିଛି ଦସ୍ତାବିଜ ଦେଇଥିଲେ । ସେଥିରେ ପାରିଶ୍ରମିକ ହ୍ରାସ, ଚାକିରି ସର୍ତ୍ତାବଳୀରେ ପରିବର୍ତ୍ତନ ଓ ପରିବହନ ଭତ୍ତା କମାଇବା ନେଇ ଉଲ୍ଲେଖ ରହିଥିଲା । ପୂର୍ବ ଚାକିରି ସର୍ତ୍ତାବଳୀର ଚୁକ୍ତିରେ କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ । ଏହା ଶ୍ରମ ଆଇନର ଉଲ୍ଲଙ୍ଘନ । କର୍ମଚାରୀ ଓ ପରିଚାଳନା କର୍ତ୍ତୃପକ୍ଷଙ୍କ ମଧ୍ୟରେ ପରବର୍ତ୍ତୀ ସେଟଲମେଣ୍ଟ ନହେବା ପର୍ଯ୍ୟନ୍ତ ପୂର୍ବ ଚୁକ୍ତି କାଏମ ରହିବା ନିୟମ ରହିଛି । କିନ୍ତୁ ଏହି ନିୟମକୁ ଉଲ୍ଲଙ୍ଘନ କରି ଦରମା କାଟ କରିବାକୁ ନିଷ୍ପତ୍ତି ନେଇଛି ପରିଚାଳନା କର୍ତ୍ତୃପକ୍ଷ । ଏହାକୁ କେବେ ମଧ୍ୟ ଗ୍ରହଣ କରାଯିବ ନାହିଁ ବୋଲି କର୍ମଚାରୀ ରୋକଠୋକ୍ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons