ଫିନଲାଣ୍ଡକୁ ରୁଷର ନାଲି ଆଖି

Get real time updates directly on you device, subscribe now.

ମସ୍କୋ: ୟୁକ୍ରେନ୍ ଉପରେ ଆଜକୁ ୪୮ ଦିନ ହେଲା ଆକ୍ରମଣ ଜାରି ରଖିଥିବା ରୁଷ ଏବେ ଫିନ୍ଲାଣ୍ଡକୁ ନାଲି ଆଖି ଦେଖାଇଛି । ଏହା ପଛରେ ସମାନ କାରଣ ରହିଛି । ନାଟୋ । ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍ (ନାଟୋ)ରେ ସାମିଲ ନ ହେବା ପାଇଁ ରୁଷ ଏହାର ପଡେ଼ାଶୀ ଦେଶ ଫିନ୍ଲାଣ୍ଡକୁ ଚେତାବନୀ ଦେଇଥିଲା । ଆଜି ଏହାର ସୀମାକୁ ଲାଗିଥିବା ଅଞ୍ଚଳରେ ସାମରିକ ଶକ୍ତି ବଢ଼ାଇଛି । ଭାରୀ ଯୁଦ୍ଧାସ୍ତ୍ର ଠାରୁ ଆରମ୍ଭ କରି ମିସାଇଲ୍ ବ୍ୟବସ୍ଥା ମୁତୟନ କରିଛି ।
ରୁଷ ସେନା ଫିନ୍ଲାଣ୍ଡ ସୀମାରେ ଶକ୍ତି ବଢ଼ାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଫିନଲାଣ୍ଡର ରାଜଧାନୀ ହେଲସିଙ୍କିକୁ ସଂଯୋଗ କରୁଥିବା ଏକ ସୀମାନ୍ତବର୍ତ୍ତୀ ସଡ଼କରେ ରୁଷୀ ସୈନ୍ୟଙ୍କୁ ଦେଖିବାକୁ ମିଳିଛି । ଦୁଇଟି ରୁଷୀ ତଟବର୍ତ୍ତୀ ପ୍ରତିରକ୍ଷା ମିସାଇଲ ବ୍ୟବସ୍ଥା ‘କେ-୩୦୦ପି ବ୍ୟାସନ୍-ପି’ ସହ ସୈନ୍ୟମାନେ ଆଗକୁ ବଢୁଛନ୍ତି । ଏଥିରେ ଏୟାରକ୍ରାଫ୍ଟ କ୍ୟାରିୟର୍ ବ୍ୟାଟେଲ୍ ଗ୍ରୁପ୍ ବି ରହିଛି । ନାଟୋ ସଦସ୍ୟତା ହାସଲ ପାଇଁ ଫିନଲାଣ୍ଡ ଯଦି ଆବେଦନ କରେ, ରୁଷ ସେନା ଆକ୍ରମଣ କରିପାରେ ବୋଲି କୁହାଯାଉଛି ।
ଫିନଲାଣ୍ଡ ନାଟୋ ପ୍ରସଙ୍ଗ ଉଠାଇବା ପରେ ହିଁ ରୁଷ ସେନା ଏଭଳି ନାଲି ଆଖି ଦେଖାଇଛି । ଫିନାଲାଣ୍ଡର ପ୍ରଧାନମନ୍ତ୍ରୀ ସାନ୍ନା ମାରିନ୍ କହିଥିଲେ ଯେ ଗ୍ରୀଷ୍ମଋତୁ ଅଧା ହେବା ପୂର୍ବରୁ ନାଟୋ ସଦସ୍ୟତା ହାସଲ ପାଇଁ ଆବେଦନ ସଂକ୍ରାନ୍ତ କଥାବାର୍ତ୍ତା ଶେଷ କରିବାକୁ ପଡ଼ିବ । ଏଥିପାଇଁ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ସେ ଦର୍ଶାଇଥିଲେ । ଏହା ଉପରେ ପ୍ରତିକି୍ରୟା ପ୍ରକାଶ କରି କ୍ରେମ୍ଲିନ୍ (ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ କାର୍ଯ୍ୟାଳୟ) ମୁଖପାତ୍ର ଦିମିତ୍ରି ପେସ୍କୋଭ ଖୋଲାଖୋଲି ଭାବେ ଚେତାବନୀ ଦେଇଥିଲେ । ସେ କହିଥିଲେ, ଫିନ୍ଲାଣ୍ଡର ଏଭଳି ପଦକ୍ଷେପ ୟୁରୋପର ସୁରକ୍ଷାକୁ ଅଧିକ ସୁଦୃଢ଼ କରିପାରିବ ନାହିଁ । ଏଥିରୁ ଦେଶ ବିରତ ରହିବା ଆବଶ୍ୟକ । ସେହିଭଳି ଏହି ପଦକ୍ଷେପ ଯୋଗୁ ଫିନ୍ଲାଣ୍ଡ ଧ୍ୱଂସ ପାଇଯିବ ବୋଲି ମସ୍କୋ ସିନେଟର୍ ଭ୍ଲାଦିମିର୍ ଝାବାରୋଭ୍ କହିଥିଲେ । ସେହିଭଳି ନାଟୋରେ ସାମିଲ ନ ହେବା ପାଇଁ ସ୍ୱିଡେନ୍କୁ ମଧ୍ୟ ତାଗିଦ୍ କରିଛି ରୁଷ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons