ଫେବୃୟାରୀ ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ପାଣି ପଞ୍ଚାୟତ ପକ୍ଷ ପାଳନ

Get real time updates directly on you device, subscribe now.

ଭୁବନେଶ୍ୱର : ରାଜ୍ୟ ଜଳ ସଂପଦ ବିଭାଗ ତରଫରୁ ଆଗାମୀ ଫେବୃୟାରୀ ମାସ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯିବ । ଏଥି ପାଇଁ ବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି ଜାରି ରହିଛି । ଜଳ ପରିଚାଳନା କ୍ଷେତ୍ରରେ ପାଣି ପଞ୍ଚାୟତଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା, ସହଭାଗୀ ଜଳସେଚନ ମାଧ୍ୟମରେ ତୃଣମୂଳସ୍ତରରେ ଜଳର ଉପଲବ୍ଧତାରେ ଗୁଣାତ୍ମକ ମାନ ବୃଦ୍ଧି ଆଦି ପରିପ୍ରେକ୍ଷୀରେ ଏହି ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଛି ।ଚଳିତ ବର୍ଷ ପାଣି ପଞ୍ଚାୟତ ପକ୍ଷ ଫେବୃୟାରୀ ୧ ତାରିଖରେ ସମସ୍ତ ଡିଭିଜନ ସ୍ତରରେ , ଫେବୃୟାରୀ ୮ ରେ ସମସ୍ତ ଜିଲ୍ଲା ଏବଂ ଫେବୃୟାରୀ ୧୫ରେ ରାଜ୍ୟସ୍ତରରେ ଏହିପରି ୩ଟି ସ୍ତରରେ ପାଳନ କରାଯିବ । ପାଣି ପଂଚାୟତର ଭୂମିକା ସଂପର୍କରେ ବାର୍ତ୍ତା ନେଇ ସଚେତନତା ରଥସବୁ ପରିକ୍ରମା କରିବ । ଏହି ରଥ ପରିକ୍ରମା କାର୍ଯ୍ୟକୁ ବିଭିନ୍ନ ସ୍ଥାନରେ ସ୍ଥାନୀୟ ମାନ୍ୟବର ବିଧାୟକ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ମାନ୍ୟବର ମନ୍ତ୍ରୀମାନେ ପତାକା ଦେଖାଇ ଶୁଭାରମ୍ଭ କରିବେ । କୋଭିଡ୍ ପରିପ୍ରେକ୍ଷୀରେ ଗତ ୨ବର୍ଷ ଧରି ଏହି ପକ୍ଷ ପାଳନ କରାଯାଇପାରିନଥିଲା ।ଏହି ପରିପ୍ରେକ୍ଷୀରେ ବିଭିନ୍ନ ଡିଭିଜନ ସ୍ତରରେ ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ ଲିଖନ, ପେଣ୍ଟିଂ ଓ କୁଇଜ୍ ଆଦି ପ୍ରତିଯୋଗିତା ଆରମ୍ଭ ହୋଇଛି ।

ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ବିଭିନ୍ସ ସ୍ତରରେ ପ୍ରଦର୍ଶନୀ ଓ ପାଣି ପଂଚାୟତ ସମାବେଶମାନ ଆୟୋଜନ କରାଯିବା ସଙ୍ଗେ ସଙ୍ଗେ ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମ, ପ୍ରଦର୍ଶନୀ ମାଧ୍ୟମରେ ଜଳର ଉପଯୁକ୍ତ ବିନିଯୋଗ ନେଇ ସାମାଜିକ-ବ୍ୟବହାରିକ ପରିବର୍ତ୍ତନର ଆବଶ୍ୟକତା ସଂପର୍କରେ ସଚେତନତା ଓ ପାଣି ପଂଚାୟତ ରଥ ପରିକ୍ରମା କରିବ । ଏହି ପରିପ୍ରେକ୍ଷୀରେ ବ୍ୟାନର ପ୍ରସ୍ତୁତି, ପାଣି ପଂଚାୟତ ପକ୍ଷ ପାଳନ ଲୋଗୋ, ସ୍ଲୋଗାନ, ସଂଗୀତ, ଶପଥ ପାଠ ଆଦି କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ସରିଛି । ସେହିପରି ବିଭିନ୍ନ ଜିଲ୍ଲା ପାଇଁ ଜଳ ପ୍ରଭାରୀ ଭାବେ ନିୟୋଜିତ ଜଳ ସଂପଦ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଏହି ସବୁ କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ଦାୟିତ୍ୱ ଦିଆଯାଇଛି ।ପ୍ରକାଶ ଥାଉକି, ଜଳ ସମ୍ପଦ ବିଭାଗ ବର୍ଷ ବର୍ଷ ଧରି ରାଜ୍ୟରେ ଜଳ ସଂପଦର ନିରନ୍ତର ବିକାଶ ଓ ଜଳ ପରିଚାଳନା କ୍ଷେତ୍ରରେ କାର୍ଯ୍ୟ କରିଆସୁଛି । ରାଜ୍ୟରେ ୫-ଟି ଉପକ୍ରମ ଆଧାରରେ କାର୍ଯ୍ୟ ପରିଚାଳନା, ଜଳ ସଂପଦ ବିଭାଗରେ ନୂଆ ଲକ୍ଷ୍ୟ ନେଇ କାର୍ଯ୍ୟ କରିବାର ସୁଯୋଗ ସୃଷ୍ଟି କରିଛି । ତନ୍ମଧ୍ୟରେ ବିଭାଗରେ ଅନ୍ ଲାଇନ୍ ବ୍ୟବସ୍ଥାରେ ଅଭିଯୋଗର ସମାଧାନ, ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କୁ ମଜୁରୀ ପ୍ରଦାନ, ବନ୍ୟା ସଂପର୍କରେ ସମୟଭିତ୍ତିକ ପ୍ରାକ୍ ସ୍ଥିତିର ସଠିକ୍ ଆକଳନ, ଶିଳ୍ପ ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକୁ ଅନ୍ ଲାଇନ୍ ବ୍ୟବସ୍ଥାରେ ଜଳ ଆବଣ୍ଟନ, ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗରେ ବିଭାଗୀୟ ବିଭିନ୍ନ କାର୍ଯ୍ୟର ତଦାରଖ ବ୍ୟବସ୍ଥାକୁ ଦକ୍ଷତାର ସହିତ ନିର୍ବାହ କରିବା, ଭୂତଳ ଜଳର ମାତ୍ରା ଜାଣିବା, ଜଳ ସଂରକ୍ଷଣ, ଜଳ ସଂପଦର ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଅଧିକ ଜ୍ଞାନ ସଂପନ୍ନ ଅନୁଷ୍ଠାନ ବା ବ୍ୟକ୍ତି ବିଶେଷଙ୍କ ସହଭାଗିତାକୁ ଜଳସଂପଦ ବିଭାଗ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି ।ସେହିପରି ବିଭିନ୍ନ ସେଚାଂଚଳରେ ପାଣି କିପରି ଶେଷ ମୁଣ୍ଡରେ ଥିବା ଜମିକୁ ପହଁଚି ପାରିବ, ସେଥିପ୍ରତି ଗୁରୁତ୍ୱ ଦିଆଯାଇ ଅନେକଗୁଡିକ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି ।

ପାଣି ପଂଚାୟତ ଆଇନ୍ ରେ ଆବଶ୍ୟକ ସଂଶୋଧନ କରାଯାଇ ଜଳ ବ୍ୟବହାର କରୁଥିବା କୃଷକଙ୍କ କ୍ଷେତ୍ରରେ ପତି ବା ପତ୍ନୀଙ୍କୁ ପାଣି ପଂଚାୟତର ସଦସ୍ୟା ଭାବେ ନିଆଯାଇଛି । ମେଗା ଲିଫ୍ଟ ପ୍ରକଳ୍ପ ଗୁଡିକ ଅଧିନରେ ପାଣି ପଂଚାୟତ ଗଠନ କରାଯାଇଛି । ପାଣି ପଂଚାୟତଗୁଡିକର କାର୍ଯ୍ୟାବଳୀ ସଂପର୍କରେ ଜାଣିବା ପାଇଁ ସୂଚନା ଓ ପ୍ରଯୁକ୍ତି ଉପକ୍ରମ ଆଧାରରେ ଇ-କାଡ୍ (ଇ-ସିଏଡି) ଭଳି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି । ନିକଟରେ ୧୪୦୦୦ରୁ ଅଧିକ ପାଣି ପଂଚାୟତ ପୁନର୍ଗଠନ କରାଯାଇଥିବା ବେଳେ ଭୂତଳେ ପାଇପ୍ ଯୋଗେ ଜଳଯୋଗାଣ, ପାଣି ପଂଚାୟତ ଗୁଡିକର ଉନ୍ନତିକରଣ ପାଣି ପଂଚାୟତ କର୍ମୀମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ପଦକ୍ଷେପ ନିଆଯାଇଛି ।ଏହି ପଦକ୍ଷେପକୁ ଆହୁରି ଆଗକୁ ନେବା ଏବଂ ସମସ୍ତଙ୍କ ମଧ୍ୟରେ ପାଣି ପଂଚାୟତର ଗୁରୁତ୍ୱ ଓ ପାଣି ପଂଚାୟତ ସଦସ୍ୟସଦସ୍ୟାମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ, ଜଳ ସଂପଦର ସୁରକ୍ଷା ଏବଂ ପାଣି ପାଣି ପଂଚାୟତଗୁଡିକର କାର୍ଯ୍ୟକୁ ଆଗକୁ ନେବାରେ ସହାୟତା କରୁଥିବା ସମସ୍ତ ସହଭାଗୀ ଅନୁଷ୍ଠାନର ସହଯୋଗରେ ଏହି ବାର୍ଷିକ ପାଣି ପଂଚାୟତ ପକ୍ଷ ପାଳନ କରାଯିବ ବୋଲି ଜଳସମ୍ପଦ ବିଭାଗ ତରଫରୁ ଜଣାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons