ବାଦଲ ଫଟା ବର୍ଷାରେ ନୈନିତାଲ ବିଚ୍ଛିନ୍ନ

Get real time updates directly on you device, subscribe now.

ଡେରାଡୁନ: ଦେବଭୂମି ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଯୋଗୁ ଜଳପ୍ରଳୟ ସୃଷ୍ଟି ହୋଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପଜିଛି । କେତେକ ସ୍ଥାନରେ ବାଦଲଫଟା ବର୍ଷା ଯୋଗୁ ଭୂସ୍ଖଳନ ହୋଇଛି । ମଙ୍ଗଳବାର ସୁଦ୍ଧା ବର୍ଷାଜନିତ ମୃତୁ୍ୟ ୩୪କୁ ବୃଦ୍ଧିପାଇଛି । ୫ ଜଣ ନିଖୋଜ ଅଛନ୍ତି । ମୃତକଙ୍କ ପରିବାର ନିମନ୍ତେ ୪-୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି । ଭୂସ୍ଖଳନରେ ନିଜର ଘର ହରାଇଥିବା ଲୋକଙ୍କୁ ୧.୯ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ।
ବାଦଲଫଟା ବର୍ଷା ଫଳରେ ଭୂସ୍ଖଳନ ଯୋଗୁ ନୈନିତାଲ ଜିଲ୍ଲା ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳରୁ ସମ୍ପୂର୍ଣ୍ଣ ରୂପ ବିଚ୍ଛିନ୍ନ ହୋଇଯାଇଛି । ନୈନିତାଲର ରାମଗଡ଼ରେ ବାଦଲଫଟା ବର୍ଷା ଯୋଗୁ ଅନେକ ଘର ମାଟିରେ ମିଶିଯାଇଛି । ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ସେନା, ରାଜ୍ୟ ପୁଲିସ ମିଳିତ ଭାବେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ବନ୍ୟାରେ ଅନେକ ପୋଲ ଭାସି ଯାଇଥିବାରୁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।
ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଚିବ ମୁରୁରେସନଙ୍କ ସୂଚନା ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୦୦ ମିମିରୁ ଅଧିକ ବର୍ଷା ହୋଇଛି । ନୈନିତାଲରେ ସର୍ବାଧିକ ୧୩ ଜଣ ପ୍ରାଣ ହରାଇଛନ୍ତି । ଅଲ୍ମୋଡାରେ ୪ ଜଣଙ୍କର ମୃତୁ୍ୟ ହୋଇଛି । ପୌଡ଼ୀ ଏବଂ ଚମ୍ପାୱତରେ ଭୂସ୍ଖଳନ ଯୋଗୁ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିଥିଲା । ଭଗ୍ନାବଶେଷ ମଧ୍ୟରୁ ୫ ପ୍ରବାସୀ ଶ୍ରମିକଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ୩ ଜଣ ନେପାଳର ଶ୍ରମିକ ଥିଲେ । ୪ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।
ଭୂସ୍ଖଳନ ଯୋଗୁ ରାମନଗର ଗାଁରେ ପାଖାପାଖି ୨୫ ଜଣ ଲୋକ ଫସିଯାଇଥିଲେ । ସେନା ହେଲିକପ୍ଟରରେ ଏମାନଙ୍କୁ ଉଦ୍ଧାର କରାଯାଇଛି । ଅଲ୍ମୋଡାରେ ଥିବା ଲେମନ୍ ଟ୍ରୀ ରିସୋର୍ଟ ମଧ୍ୟରେ ବନ୍ୟା ଜଳ ପଶିଯିବାରୁ ସେଠାରେ ପାଖାପାଖି ୨୦୦ ପର୍ଯ୍ୟଟକ ଫସି ରହିଥିଲେ । ସେଠାରୁ ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଅନ୍ୟପକ୍ଷରେ ରୁଦ୍ରନାଥ ଟ୍ରେକ୍ ନିକଟରେ ୧୦ ଜଣ ପର୍ଯ୍ୟଟକ ଫସି ରହିଥିଲେ । ସେମାନଙ୍କୁ ମଧ୍ୟ ସୁରକ୍ଷିତ ଉଦ୍ଧାର କରାଯାଇଛି । କେଦାରନାଥରୁ ଫେରୁଥିବା ୨୨ ଜଣ ଶ୍ରଦ୍ଧାଳୁଙ୍କୁ ବନ୍ୟା ଜଳରୁ ଏସ୍ଡିଆର୍ଏଫ୍ ଟିମ୍ ଉଦ୍ଧାର କରିଛି ।
ବନ୍ୟା ଜଳ ଘେରରେ ଏକ ହାତୀ ଫସି ରହିଥିବାର ଦୃଶ୍ୟ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ହାତୀକୁ ଉଦ୍ଧାର କରିବା ପାଇଁ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ହାତୀଟିକୁ ଘଉଡେ଼ଇ ନେଇ ଜଙ୍ଗଲ ମଧ୍ୟରେ ସୁରକ୍ଷିତ ଭାବେ ଛଡ଼ାଯାଇଥିବା ବନ ବିଭାଗ ସୂଚନା ଦେଇଛି ।
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏକ ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ଧନ ସିଂହ ରାୱତ ଏବଂ ଡିଜିପି ଅଶୋକ କୁମାର ମଧ୍ୟ ବନ୍ୟା ସ୍ଥିତି ବୁଲି ଦେଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ଧାମୀଙ୍କ ସହ ଆଲୋଚନା କରି ରାଜ୍ୟରେ ବନ୍ୟା ସ୍ଥିତି ବାବଦରେ ପଚାରି ବୁଝିଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ କରି ଘଟଣା ନିମନ୍ତେ ଶୋକବ୍ୟକ୍ତ କରିଛନ୍ତି । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀ ପୁସ୍କର ସିଂହ ଧାମୀଙ୍କ ସହ ଆଲୋଚନା କରି ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ଚାରିଧାମ ଯାତ୍ରୀ ରାଜ୍ୟର ଯେଉଁ ସ୍ଥାନରେ ଅଛନ୍ତି ସେଠାରେ ଅଟକି ରୁହନ୍ତୁ ଏବଂ ପାଗ ଭଲ ହେବା ପରେ ଯାତ୍ରା ଆରମ୍ଭ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଧାମୀ ଅପିଲ କରିଛନ୍ତି । ପାଣିପାଗ ବିଭାଗ ସୂଚନା ମୁତାବକ, ନୈନିତାଲରେ ଗତ ୨୪ ଘଣ୍ଟାରେ ୪୦୧ ମିମି ବର୍ଷା ରେକର୍ଡ କରାଯାଇଛି । ପିଥୌରାଗଡ଼ରେ ୨୧୨.୧ ମିମି, ମୁକ୍ତେଶ୍ୱରରେ ୩୪୦.୮ ମିମି ବର୍ଷା ରେକର୍ଡ ହୋଇଛି । ଆଗକୁ ବର୍ଷା କମିବାର ସମ୍ଭାବନା ରହିଛି ।
ସେପଟେ କେରଳରେ ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବନ୍ୟା ଦାଉରେ ଛଟପଟ ହେଉଥିବା କେରଳରେ ସ୍ଥିତି ଆଗକୁ ଆହୁରି ସାଙ୍ଘାତିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୩୫ ଜଣଙ୍କ ପ୍ରାଣହାନି ହୋଇଛି । ବୁଧବାର ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି । ବର୍ଷା ହେଲେ ବନ୍ୟା ସ୍ଥିତି ଅଧିକ ବିଗିଡ଼ିପାରେ । ଥିରୁୱନନ୍ତପୁରମ୍୍, କୋଲ୍ଲମ, ପଠାନମାଥିଟ୍ଟା, କୋଟ୍ଟାୟମ, ଅଲ୍ଲାପୁଝା, ତ୍ରିଶୁର, ଏର୍ଣ୍ଣାକୁଲମ, ୱାୟନାଡ ଆଦି ଜିଲ୍ଲା ପାଇଁ ରେଡ୍ ଓ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଅନ୍ୟପକ୍ଷରେ ରାଜ୍ୟରେ ଚଳିତମାସରେ ୧୩୫ଧ ଅତିରିକ୍ତ ବର୍ଷା ହୋଇଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons