ବୁଡ଼ିଗଲା ରୁଷ ଆଣବିକ ଅସ୍ତ୍ର!

Get real time updates directly on you device, subscribe now.

ମସ୍କୋ/କିଏଭ୍: ରୁଷ-ୟୁକ୍ରେନ ଯୁଦ୍ଧ ଇତିମଧ୍ୟରେ ୫୦ ଦିନ ଅତିକ୍ରମ କରିସାରିଛି । ଯୁଦ୍ଧରେ ୟୁକ୍ରେନର ବ୍ୟାପକ କ୍ଷୟକ୍ଷତି ଘଟିଥିଲେ ମଧ୍ୟ ରୁଷ ନିକଟରେ ମୁଣ୍ଡ ନୁଆଁଇନାହିଁ । ଅନ୍ୟପକ୍ଷରେ ସେନା ଠାରୁ ଆରମ୍ଭ କରି ଟ୍ୟାଙ୍କ, ଅସ୍ତ୍ରଶସ୍ତ୍ର ଯୁଦ୍ଧବିମାନ ଓ ଯୁଦ୍ଧଜାହାଜ ପର୍ଯ୍ୟନ୍ତ ରୁଷର ବ୍ୟାପକ କ୍ଷୟକ୍ଷତି ଘଟିଛି । ସଦ୍ୟତମ ଘଟଣାରେ ଗତକାଲି କୃଷ୍ଣ ସାଗର ଉପକୂଳ ସେଭାଷ୍ଟପୋଲ ନିକଟରେ ଥିବା ରୁଷର ଅନ୍ୟତମ ଯୁଦ୍ଧଜାହାଜ ମୋସ୍କଭାକୁ ୟୁକ୍ରେନ ସେନା ମିସାଇଲ ମାଡ଼ କରିବା ଫଳରେ ତାହା ଧ୍ୱଂସ ପାଇଯାଇଛି ଏବଂ ଗଭୀର ସମୁଦ୍ରରେ ବୁଡ଼ିଯାଇଛି । ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଏହି ଜାହାଜରେ ଥିବା ରୁଷର ଦୁଇଟି ଆଣବିକ ଅସ୍ତ୍ର ମଧ୍ୟ ବୁଡ଼ିଯାଇଛି ।
କିନ୍ତୁ ଜାହାଜ ବୁଡ଼ିଯିବା ଖବରକୁ ରୁଷ ଗତକାଲି ଅସ୍ୱୀକାର କରିଥିଲା ବେଳେ ଆଜି ସ୍ୱୀକାର କରିଛି । ରୁଷ କହିଛି ଯେ ଦୁର୍ଘଟଣା ଯୋଗୁ ଯୁଦ୍ଧଜାହାଜରେ ବିସ୍ଫୋରଣ ଘଟି ଏହା ବୁଡ଼ିଯାଇଥିଲା । କିନ୍ତୁ ଜାହାଜରେ ଥିବା ସବୁ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିବା ରୁଷ ଦାବି କରିଛି । ଅନ୍ୟପକ୍ଷରେ କ୍ରିମିୟା ଯୁଦ୍ଧକୁ ବିରୋଧ କରି ବର୍ତ୍ତମାନ ନିର୍ବାସନରେ ଥିବା ରୁଷର ଜଣେ ବରିÂ ରାଜନେତା ଇଲ୍ୟା ପୋନୋମାରେଭ କହିଛନ୍ତି, ଉକ୍ତ ଜାହାଜରେ ନୌସେନାର ୧୫୦ରୁ ଅଧିକ ଅଫିସରଙ୍କ ସମେତ ୫୧୦ ଜଣ ନାବିକ ରହିଥିଲେ । ସେମାନଙ୍କ ମଧ୍ୟରୁ ମାତ୍ର ୫୮ ଜଣଙ୍କୁ ଉଦ୍ଧାର କରାଯାଇଛି । ସେଥିରେ ଥିବା ଆହୁରି ୪୫୨ ଜଣ ଜାହାଜ ସହିତ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି । ରୁଷ-ଜାପାନ ଯୁଦ୍ଧ ବେଳେ ଘଟିଥିବା ସୁଶିମା ଯୁଦ୍ଧ ପରଠାରୁ ଏହା ରୁଷର ସବୁଠାରୁ ବଡ଼ କ୍ଷତି । ସେହି ଯୁଦ୍ଧବେଳେ ଜାପାନ ସାଗରରେ ଉଭୟ ରୁଷ ଓ ଜାପାନ ମୁହାଁମୁହିଁ ହୋଇଥିଲେ । ରୁଷକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ସେହି ସମୟରେ ରୁଷର ଯୁଦ୍ଧଜାହାଜ ବୋରୋଡିନୋରେ ପ୍ରଚଣ୍ଡ ବିସ୍ଫୋରଣ ହେବା ପରେ ତାହା ବୁଡ଼ିଯାଇଥିଲା । ସେଥିରେ ଥିବା ସମସ୍ତ ୮୫୫ ଜଣ ପ୍ରାଣ ହରାଇଥିଲେ ।
ସେପଟେ ଲିଭ୍ସ୍ଥିତ ଏକ ସାମରିକ ବିଚାରମଞ୍ଚର ମୁଖ୍ୟ ମିଖାଇଲୋ ସାମସ୍, ବ୍ଲକ୍ ସି ନୁ୍ୟଜ୍ର ସମ୍ପାଦକ ଆନ୍ଦ୍ରୟି କ୍ଲିମାଙ୍କୋ ଏବଂ ୟୁକ୍ରେନର ଖବରକାଗଜ ଡିଫେନ୍ସ ଏକ୍ସପ୍ରେସର ସୂଚନା ଅନୁସାରେ ମୋସ୍କଭାରେ ଦୁଇଟି ୟୁନିଟ୍ ଆଣବିକ ଅସ୍ତ୍ର ରହିଥିଲା । ତାହା ପି-୧୦୦୦ ସୁପରସୋନିକ କ୍ରୁଜ୍ ମିସାଇଲ ସହିତ ସଂଯୁକ୍ତ ଥିଲା । ରୁଷ ଏହାକୁ ଯେକୌଣସି ସମୟରେ ବ୍ୟବହାର କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରି ରଖିଥିଲା । କିନ୍ତୁ ଜାହାଜ ସହିତ ଏହି ଆଣବିକ ଅସ୍ତ୍ର ସମୁଦ୍ରରେ ବୁଡ଼ିଯାଇଛି । ଅଗାମୀ ଦିନରେ ଏହା ‘ବ୍ରୋକେନ ଆରୋ’ ଘଟଣାର ପୁନାରାବୃତ୍ତି ଘଟାଇବାର ଆଶଙ୍କା ରହିଛି । କୃଷ୍ଣ ସାଗର ଭିତରେ ରହିଥିବା ଏହି ଆଣବିକ ଅସ୍ତ୍ର ଭବିଷ୍ୟତରେ ବଡ଼ ଦୁର୍ଘଟଣାର କାରଣ ହୋଇପାରେ । ତେଣୁ କୃଷ୍ଣ ସାଗର ତଟବର୍ତ୍ତୀ ଦେଶ ଯଥା ତୁର୍କୀ, ରୋମାନିଆ, ଜର୍ଜିଆ ଓ ବୁଲଗେରିଆ ଏହି ଘଟଣା ପାଇଁ ରୁଷ ଠାରୁ ସ୍ପଷ୍ଟୀକରଣ ମାଗିବା ଆବଶ୍ୟକ । କାରଣ ଏସବୁ ଦେଶର ଜାହାଜ ଓ ନାବିକମାନେ କୃଷ୍ଣ ସାଗର ଅଞ୍ଚଳରେ ନିୟମିତ ଯାତାୟାତ କରିଥାନ୍ତି । ଯଦି ଭବିଷ୍ୟତରେ କୌଣସି ଅଘଟଣ ଘଟେ ସେଥିପାଇଁ କିଏ ଦାୟୀ ରହିବେ ତାହାର ଜବାବ ସେମାନେ ବର୍ତ୍ତମାନ ରୁଷଠାରୁ ଲୋଡ଼ିବା ଉଚିତ ।
ଇତିମଧ୍ୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ମୋସ୍କଭା ଦୁର୍ଘଟଣା ପାଇଁ କୃଷ୍ଣ ସାଗର ନୌଭେଳା ଦାୟିତ୍ୱରେ ଥିବା ରୁଷର ବରିÂ ନୌ ଅଧିକାରୀ ଆଡମିରାଲ ଆଇଗୋର ଓସିପୋଭଙ୍କୁ ଦାୟୀ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି । ସେହିଭଳି ୟୁକ୍ରେନର ପ୍ରତିରକ୍ଷା ଶକ୍ତି ସମ୍ପର୍କରେ ଭୁଲ ତଥ୍ୟ ପ୍ରଦାନ କରିଥିବା ୨୦ଜଣ ସେନା ଜେନେରାଲଙ୍କ ସମେତ ମୋଟ ୧୫୦ ଜଣ ସାମରିକ ଅଧିକାରୀଙ୍କୁ ରୁଷ ଗତକାଲି ଗିରଫ କରିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତି ୨ଟା ସମୟରେ ୟୁକ୍ରେନର କମାଣ୍ଡରମାନେ ବ୍ୟାଟେରି ସହାୟତାରେ ଲଗାତାର ଭାବେ ଦୁଇଟି ନେପଚୁନ ମିସାଇଲ (ଆର ୩୬୦ ଜାହାଜ ବିଧ୍ୱଂସୀ ମିସାଇଲ) ବ୍ୟବହାର କରି ମୋସ୍କଭାକୁ ଧ୍ୱଂସ କରିଦେଇଥିଲେ । ସେହି ସମୟରେ ଓଡେଶା ଉପକୂଳରୁ ପ୍ରାୟ ୬୦ ମାଇଲ ଦୂରରେ ଏହି ଯୁଦ୍ଧଜାହାଜ ରହିଥିଲା । ଜାହାଜରେ ଥିବା କ୍ୟାପଟେନ ଓ ଅନ୍ୟ ନୌ କର୍ମଚାରୀମାନେ ତୁର୍କୀ ନିର୍ମିତ ଟିବି-୨ ଡ୍ରୋନ ଉପରେ ନଜର ରଖିଥିଲେ । କାରଣ ୟୁକ୍ରେନ ଏହି ଧରଣର ଡ୍ରୋନ ବ୍ୟବହାର କରେ । କିନ୍ତୁ ୟୁକ୍ରେନର କମାଣ୍ଡରମାନେ ଜାହାଜରେ ଥିବା କମାଣ୍ଡର ଓ ନାବିକମାନଙ୍କୁ ଚକ୍ମା ଦେଇ ବ୍ୟାଟେରି ସହାୟତାରେ ମିସାଇଲ ଛାଡ଼ିଥିଲେ । ଏହି ମିସାଇଲ ସମୁଦ୍ର ଜଳସ୍ତରର ଅତି ନିକଟତର ଦେଇ ଯାଇଥିଲା ଏବଂ ଯାହାକୁ ଟ୍ରାକିଂ କରିବା ରୁଷ ନାବିକଙ୍କ ପକ୍ଷରେ ସମ୍ଭବ ହୋଇନଥିଲା ।
ପ୍ରାୟ ୬୧୨ ଫୁଟ ଲମ୍ବ ତଥା ୧୫,୫୦୦ ଟନର ଏହି କ୍ରୁଜର ଜାହାଜ ସୋଭିଏତ ଶାସନ ସମୟରେ ୟୁକ୍ରେନରେ ନିର୍ମାଣ କରାଯାଇଥିଲା ଏବଂ ୧୯୭୯ରେ ଏହାକୁ ନୌସେନାରେ ସାମିଲ କରାଯାଇଥିଲା । ପୂର୍ବରୁ ସିରିୟା ଯୁଦ୍ଧ ସମୟରେ ରୁଷ ଏହି ଜାହାଜରେ ଯୁଦ୍ଧାସ୍ତ୍ର ଓ ସୈନ୍ୟ ପଠାଇଥିଲା ଏବଂ ସିରିଆକୁ ନୌ ସୁରକ୍ଷା ଦେଇଥିଲା । ଏଥିରେ ଜାହାଜ ଓ ବୁଡାଜାହାଜ ବିଧ୍ୱଂସୀ ମିସାଇଲ ସମେତ ମାଇନ-ଟର୍ପେଡୋ ଅସ୍ତ୍ରଶସ୍ତ୍ର ମଧ୍ୟ ରହିଥିଲା । ଗୋଟିଏ ହେଲିକପ୍ଟର ମଧ୍ୟ ଏହା ପରିବହନ କରିବାର କ୍ଷମତା ରଖିଥିଲା । ଏଥିରେ ଥିବା କ୍ଲୋଜ-ଇନ ୱିପନ ସିଷ୍ଟମ ମାଧ୍ୟମରେ ପ୍ରତି ମିନିଟ୍ରେ ପ୍ରାୟ ୫୦୦୦ ରାଉଣ୍ଡ ଗୁଳିମାଡ଼ କରାଯିବାର ବ୍ୟବସ୍ଥା ଥିଲା । ୟୁକ୍ରେନ ଆକ୍ରମଣରେ କ୍ଷତିଗ୍ରସ୍ତ ହେବାରେ ଏହା ରୁଷର ଦ୍ୱିତୀୟ ଯୁଦ୍ଧଜାହାଜ । ପୂର୍ବରୁ ଗତ ମାର୍ଚ୍ଚ ୨୫ ତାରିଖରେ ବର୍ଡିଆଂସ୍କ ବନ୍ଦର ନିକଟରେ ଥିବା ରୁଷର ଅନ୍ୟତମ ଜାହାଜ ‘ସାରାଟୋଭ୍’କୁ ମଧ୍ୟ ୟୁକ୍ରେନ ସେନା ରକେଟ ମାଡ଼ କରି ଧ୍ୱଂସ କରିଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons