ବୋଲ ମାନୁନି ମହାମାରୀ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଜିନ୍ପିଙ୍ଗ୍ ସରକାରଙ୍କ ‘ଶୂନ କୋଭିଡ୍’ ନୀତି ସତ୍ତେ୍ୱ ଚୀନ୍ରେ ବୋଲ ମାନୁନି କରୋନା ମହାମାରୀ । କଠୋର କଟକଣାକୁ ଫୁ କରି ମାଡ଼ିଚାଲିଛି ସଂକ୍ରମଣ । ପ୍ରତ୍ୟେକ ଦିନ ହଜାର ହଜାର ନୂଆ ମାମଲା ସାମ୍ନାକୁ ଆସୁଛି । ଏଭଳି ସ୍ଥିତିରେ ଚୀନ୍ର ଆର୍ଥିକ ରାଜଧାନୀ ସାଙ୍ଘାଇରେ ଦୀର୍ଘ ୨୨ ଦିନ ହେଲା ୨.୬୦ କୋଟି ଲୋକ ଘରେ ବନ୍ଦ ରହି ହିନସ୍ତା ଭୋଗୁଛନ୍ତି । ସେପଟେ ୟୁରୋପରେ ନୂଆ ଲହର ସୃଷ୍ଟି ହୋଇଛି । ଅଧିକାଂଶ ୟୁରୋପୀୟ ଦେଶରେ ସଂକ୍ରମଣ ଅଧିକ ରହିଛି । ଭାରତରେ ଯଦିଓ ଦୈନିକ ସଂକ୍ରମଣ କମିଛି, ୫ଟି ରାଜ୍ୟର ବର୍ଦ୍ଧିତ ପଜିଟିଭିଟି ହାରକୁ ନେଇ ଚିନ୍ତା ବଢ଼ିଛି । କରୋନାର ନୂଆ ‘ଏକ୍ସଇ’ ଭାରିଆଣ୍ଟ ଚିହ୍ନଟ ହେବା ପରେ ଆଗକୁ ସଂକ୍ରମଣ ବଢ଼ିବା ନେଇ ଆଶଙ୍କା ଉପୁଜିଛି ।
ମହାମାରୀ ଆରମ୍ଭ ହେବା ଦିନଠାରୁ ଚୀନ୍ ‘ଶୂନ କୋଭିଡ୍’ ରଣନୀତିରେ କାର୍ଯ୍ୟ କରୁଥିଲା । ଏବେ ତାହା ଫେଲ୍ ମାରିଛି । ଏଠାରେ ସଂକ୍ରମଣ ବଢ଼ିଚାଲିଛି । ଗତ ୨୪ ଘଣ୍ଟାରେ ସାଙ୍ଘାଇରେ ପୁଣି ୨୩,୬୦୦ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ୩ ସପ୍ତାହ ଧରି ଲକ୍ଡାଉନ୍ ସତ୍ତେ୍ୱ ନୂଆ ମାମଲାରେ ହ୍ରାସ ଦେଖିବାକୁ ମିଳୁନାହିଁ । ସଂକ୍ରମଣର ମୁକାବିଲା ପାଇଁ ସାଙ୍ଘାଇରେ ଆଜକୁ ୨୨ ଦିନ ହେଲା ଲକ୍ଡାଉନ୍ ଜାରି ରହିଛି । ୨.୬୦ କୋଟି ଲୋକ ଘରେ ବନ୍ଦ ରହି ଦୟନୀୟ ଜୀବନ ବଞ୍ଚୁଛନ୍ତି । ସହରରେ ଖାଦ୍ୟ ଓ ଔଷଧର ଘୋର ଅଭାବ ପରିଲକ୍ଷିତ ହୋଇଛି । ଏହାକୁ ନେଇ ହଜାର ହଜାର ଲୋକ ସବୁ କଟକଣାକୁ ଉଲ୍ଲଂଘନ କରି ରାସ୍ତାକୁ ଓହ୍ଲାଇଥିଲେ । ଯୋଗାଣ ପାଇଁ ରଖାଯାଇଥିବା ଖାଦ୍ୟ ବାକ୍ସରୁ ଲୁଟ୍ପାଟ୍ କରିଥିଲେ । ଲକ୍ଡାଉନ୍ ଯୋଗୁ ସେମାନେ ଖାଦ୍ୟ ସାମଗ୍ରୀ ନ ପାଇ ଡହଳବିକଳ ହେଉଛନ୍ତି । ଗୋଟିଏ ଆପାର୍ଟମେଣ୍ଟରେ ମାତ୍ର ଦୁଇଜଣଙ୍କୁ ଖାଦ୍ୟ ବାହାରୁ ନେବା ପାଇଁ ଅନୁମତି ମିଳୁଥିବାରୁ ସଂକଟ ଉପୁଜିଛି ।
ସେପଟେ ୟୁରୋପରେ ନୂଆ ଲହର ଆସିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଫ୍ରାନ୍ସରେ ଗତ ୨୪ ଘଣ୍ଟାରେ ୧.୪୨ ଲକ୍ଷ ନୂଆ ମାମଲା ସାମ୍ନାକୁ ଆସିଛି । ଜର୍ମାନୀରେ ୧ ଲକ୍ଷରୁ ଅଧିକ ଓ ଇଟାଲୀରେ ୬୪ ହଜାର ନୂଆ ରୋଗୀ ସୃଷ୍ଟି ହୋଇଛନ୍ତି । ଦକ୍ଷିଣ କୋରିଆ ସ୍ଥିତି ପୂର୍ବବତ୍ ଖରାପ ରହିଛି । ଏଠାରେ ଦିନକରେ ୧.୮୫ ଲକ୍ଷ ନୂଆ ମାମଲା ଚିହ୍ନଟ ହୋଇଛି । ଜାପାନରେ ୫୨ ହଜାର ଓ ଅଷ୍ଟେ୍ରଲିଆରେ ୫୦ ହଜାର ନୂଆ ମାମଲା ସାମ୍ନାକୁ ଆସିଥିବା ୱାର୍ଲଡୋମିଟର ତଥ୍ୟରୁ ଜଣାପଡ଼ିଛି । ବିଶ୍ୱରେ ଦିନକରେ ୮.୧୯ ଲକ୍ଷ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୨,୨୫୪ ରୋଗୀଙ୍କ ମୃତୁ୍ୟ ହୋଇଛି ।
ୟୁରୋପର ସ୍ଥିତିକୁ ଦେଖି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଶନିବାର ବିଶ୍ୱବାସୀଙ୍କୁ ସତର୍କ କରାଇଥିଲେ । କରୋନା ସଂକ୍ରମଣ ଯାଇନାହିଁ । ଏସିଆରେ ଏହା ଦ୍ରୁତ ଗତିରେ ବଢ଼ୁଥିବା ବେଳେ ୟୁରୋପରେ ନୂଆ ଲହର ସୃଷ୍ଟି ହୋଇଥିବା ସେ କହିଥିଲେ । ଅତ୍ୟଧିକ ସଂକ୍ରାମକ ଏକ୍ସଇ ଭାରିଆଣ୍ଟ ଯୋଗୁ ହିଁ ଏହି ସଂକ୍ରମଣ ବଢ଼ୁଥିବା ଗୁଟେରସ୍ କହିଥିଲେ । ସେ ଆହୁରି କହିଥିଲେ ଯେ ଓମାଇକ୍ରନ୍ ଭାରିଆଣ୍ଟରୁ ଜଣାପଡୁଛି ଯେ କେତେ ଶୀଘ୍ର କୋଭିଡ-୧୯ ରୂପ ବଦଳାଇ ପାରୁଛି । ଓମାଇକ୍ରନ୍ର ଅନେକ ଭାରିଆଣ୍ଟ ସାମ୍ନାକୁ ଆସିଲାଣି ।
ଏପଟେ ଭାରତରେ ଦିନକରେ ୧,୦୫୪ ନୂଆ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ୨୯ ରୋଗୀଙ୍କ ମୃତୁ୍ୟ ହୋଇଛି । ଦିନକରେ ୧,୨୫୮ ସୁସ୍ଥ ହୋଇଥିବା ବେଳେ ସକି୍ରୟ ମାମଲା ୨୩୩ ଖସି ୧୧,୧୩୨କୁ ହ୍ରାସ ପାଇଛି । କେରଳରେ ସର୍ବାଧିକ ୩୪୭ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୧୩୨ ରୋଗୀ ବାହାରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟରୁ ଜଣାପଡ଼ିଛି । ସବୁଠୁ ବଡ଼ କଥା ହେଲା ଦିଲ୍ଲୀ, ହରିଆଣା, କେରଳ, ମହାରାଷ୍ଟ୍ର ଓ ମିଜୋରାମରେ ପଜିଟିଭିଟି ହାର ବୃଦ୍ଧି ପାଇଛି । ଏହି ଧାରା ଜାରି ରହିଲେ ସଂକ୍ରମଣ ପୁଣି ଦ୍ରୁତ ଗତିରେ ବଢ଼ିବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଚିଠି ଲେଖି ଏହି ରାଜ୍ୟଗୁଡ଼ିକୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।
କରୋନା ସଂକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସତର୍କବାଣୀ କରିଛନ୍ତି । ସେ କହିଛନ୍ତି, ବହୁରୂପୀ କରୋନା ଭୂତାଣୁ ଯାଇନାହିଁ । ବରଂ ଏହା ରୂପ ବଦଳାଉଛି । ତେଣୁ ଲୋକମାନେ କରୋନା ବିରୋଧୀ ଯୁଦ୍ଧକୁ ଦୁର୍ବଳ ନ କରି ସଜାଗ ରହିବା ଉଚିତ । ଏଥିରୁ ସୁରକ୍ଷିତ ରହିବା ପାଇଁ କୋଭିଡ ନିୟମ ପାଳନ କରିବା ଜରୁରି । ଘାତକ କରୋନା ଭୂତାଣୁ ପୁଣି କେବେ ନୂଆ ରୂପ ନେଇ ଆକ୍ରମଣ କରିବ, ତାହା କେହି ଜାଣିନାହାନ୍ତି । ଅନ୍ୟପକ୍ଷରେ ଲୋକଙ୍କ ସହଯୋଗ ଯୋଗୁ ଭାରତରେ ପାଖାପାଖି ୧୮୫ କୋଟି କୋଭିଡ ଟିକା ଡୋଜ୍ ପରିଚାଳିତ ହୋଇପାରିଥିବା ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ।
ଗୁଜରାଟର ଜୁନାଗଡ଼ସ୍ଥିତ ମାଆ ଓମିୟା ଧାମର ଏକ କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା ମହାମାରୀ ଏକ ବଡ଼ ସଂକଟ ଥିଲା । କିଛିଦିନ ହେଲା ସଂକ୍ରମଣ ଶିଥିଳ ପଡ଼ିଛି । ଏହା ଏକ ବହୁରୂପୀ ରୋଗ । ପୁଣି ନୂଆ ରୂପ (ଭାରିଆଣ୍ଟ) ନେଇ ଲୋକଙ୍କୁ ଆକ୍ରାନ୍ତ କରିପାରେ । ଉଲ୍ଲେଖଯୋଗ୍ୟ, ଗୁଜରାଟରେ କରୋନା ଭୂତାଣୁର ନୂଆ ଭାରିଆଣ୍ଟ ‘ଏକ୍ସଇ’ ଦେଖାଦେଇଛି । ଜଣେ ୬୦ ବର୍ଷୀୟ ବ୍ୟକ୍ତି ଏହାଦ୍ୱାରା ସଂକ୍ରମିତ ହୋଇଛନ୍ତି । ତେବେ ତାଙ୍କଠାରେ କୌଣସି ଲକ୍ଷଣ ନାହିଁ । ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି । ମୂଳ ଓମାଇକ୍ରନ୍ ଭାରିଆଣ୍ଟ ତୁଳନାରେ ଏହା ୧୦ଧ ଅଧିକ ସଂକ୍ରାମକ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons