ଭିକ ମାଗିବା ନାଁରେ ଚୋରି, ୪ ଗିରଫ

Get real time updates directly on you device, subscribe now.

କାଲିମେଳା,(ବି.ବି.ନୁ୍ୟଜ): ଭିକ ମାଗିବା ଆଳରେ ଘରେ କେହି ନଥିବାର ସୁଯୋଗ ନେଇ ଚୋରି । ଏଭଳି କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ୍ ୪ଜଣକୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ୨ଜଣ ମହିଳା । ଗିରଫ ଅଭିଯୁକ୍ତମାନେ ହେଲେ ମମତା ଗୌଡ଼(୨୦), ମହମ୍ମଦ ଇମ୍ରାନ(୨୪), ଅଲିଶା ବେଗମ (୨୧) ଓ ଶିବା ଗୌଡ଼(୨୦) । ସେମାନଙ୍କ ପାଖରୁ ଚୋରି ସାମଗ୍ରୀ ଉଦ୍ଧାର କରାଯାଇଥିବା କାଲିମେଳା ଥାନା ଅଧିକାରୀ ରଘୁନାଥ ମାଝୀ କହିଛନ୍ତି ।
ପୁଲିସ୍ ସୂଚନା ଅନୁଯାୟୀ, ବିଭିନ୍ନ ଖେଳ ଦେଖାଇବା ଏବଂ ଭିକ୍ଷା ବୃତ୍ତି କରିବା ଲାଗି ନବରଙ୍ଗପୁର ଅଞ୍ଚଳରୁ ଏଭଳି କିଛି ଲୋକ ଆସିଛନ୍ତି । ଆଜି କେତେଜଣ ସ୍ଥାନୀୟ ପୁରୁଣା ମେଡିକାଲ୍ କଲୋନି ଭିତରକୁ ଯାଇଥିଲେ । ପ୍ରଥମେ କ୍ରିଷ୍ଣା ରାଙ୍ଗୁଙ୍କ ଘରକୁ ଯାଇଥିଲେ । ଘର ଖୋଲା ଥିବା ଦେଖି ସାଙ୍ଗରେ ନେଇଥିବା ପିଲାକୁ ଭିତରକୁ ଛାଡ଼ି ଦେଇଥିଲେ । ଘର ମାଲିକ ଏହା ଦେଖିବା ପରେ ପଚାରିବାରୁ ପିଲା କିଛି ଖାଇନଥିବା କହିଥିଲେ । ଏହା ଶୁଣି ଘର ମାଲିକ ପିଲାଟିକୁ କିଛି ବିସ୍କୁଟ ଖାଇବାକୁ ଦେଇଥିଲେ । ଏଠାରୁ କିଛି ଲୁଟିବା ଉଦ୍ୟମ ବିଫଳ ହେବା ପରେ ସେମାନେ କଲୋନିର ରୀନା ଭୂୟାଁଙ୍କ ଘରକୁ ଯାଇଥିଲେ । ଘରେ କେହି ନଥିବା ସୁଯୋଗ ନେଇ ଏକ ଦାମୀ ମୋବାଇଲ୍ ଓ ମେକପ୍ ବାକ୍ସ ଉଠାଇ ଆଣିଥିଲେ । ଏହା ଜାଣିବାକୁ ପାଇ ରୀନା ଥାନାରେ ଅଭିଯୋଗ କରିଥିଲେ । ଏଏସ୍ଆଇ ପ୍ରସାଦ ମହାନ୍ତି ମାମଲାର ତଦନ୍ତ କରି ଉପରୋକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ସେମାନଙ୍କ ପାଖରୁ ଚୋରି ସାମଗ୍ରୀ ଉଦ୍ଧାର ହୋଇଛି । ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ କରାଯାଇ ଗିରଫ ୪ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons