ଭୁଶୁଡୁଛି ପରିମଳ ବ୍ୟବସ୍ଥା

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): କିଛିଦିନ ହେବ ସହରର ପରିମଳ ବ୍ୟବସ୍ଥା ଭୁଶୁଡ଼ିବାରେ ଲାଗିଛି । କେତେବେଳେ ସଫେଇ କର୍ମଚାରୀ ଆସୁନାହାନ୍ତି ତ ଆଉ କେତେବେଳେ ଅଳିଆ ବୁହା ଗାଡ଼ି ବା ବ୍ୟାଟେରି ଅପରେଟେଡ୍ ଭେଇକିଲ୍(ବିଓଭି) ପହଞ୍ଚୁନି । ଘରୁ ବାହାରୁଥିବା ଅଳିଆ ସଂଗ୍ରହ ହେଉନି କି ସାହି ମୁଣ୍ଡରେ ଜମା ହୋଇଥିବା ଆବର୍ଜନା ଉଠାଯାଉନି । ୧୬ଟି ବିଓଭି ଖରାପ ଥିବାରୁ ସବୁ ସାହିକୁ ଠିକ୍ ସମୟରେ ସଫେଇ ଗାଡ଼ି ଯାଇପାରୁନି । ଏହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ସଫେଇ କର୍ମଚାରୀଙ୍କୁ ଦୁର୍ବ୍ୟହାର କରିବାକୁ ବି ଲୋକେ ପଛଉ ନାହାନ୍ତି । ଅନ୍ୟପକ୍ଷରେ ଖରାପ ଗାଡ଼ି ମରାମତି ଲାଗି ଏଜେନ୍ସି ସହଯୋଗ ନକରିବାରୁ ବାଧ୍ୟ ହୋଇ ପୌର ପ୍ରଶାସନ ଘରୋଇ ମେକାନିକ୍ଙ୍କ ସହାୟତା ନେଇଛି । ଇତିମଧ୍ୟରେ ୮ଟି ବିଓଭିର ମରାମତି ସରିଛି । ମାସେ ମାସ ଧରି ଖରାପ ହୋଇ ପଡିରହିଥିବା ରୋଡ୍ ସୁଇପର ମେସିନ୍ ବି ସଜଡ଼ା ଯାଇଛି । ଆବର୍ଜନା ପରିବହନ ଲାଗି ୫ଟି ଟ୍ରାକ୍ଟର କିଣାଯାଇଛି । ୫୦ଟି ପୁସ୍କାର୍ଟ(ଅଳିଆ ବୁହା ଠେଲା ଗାଡ଼ି) ଖୁବଶୀଘ୍ର ସଫେଇ କାମରେ ନିୟୋଜିତ ହେବ । କିଛିଦିନ ମଧ୍ୟରେ ପରିମଳ ବ୍ୟବସ୍ଥାରେ ସୁଧାର ଆସିଯିବ ବୋଲି ପୌର ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ କହିଛନ୍ତି ।
ମିଳିଥିବା ତଥ୍ୟ ଅନୁଯାୟୀ, ପୌରସଂସ୍ଥାରେ ରହିଛି ୪୦ଟି ବିଓଭି । ସେଥିରୁ ଦୁର୍ଘଟଣା ଏବଂ ଅନ୍ୟ କାରଣରୁ ୨ଟି ସମ୍ପୂର୍ଣ୍ଣ ଅଚଳ । ୩୮ ରୁ ୮ଟି ଗାଡ଼ିରେ ବ୍ୟାଟେରି, ମୋଟର, ଆକ୍ସିଲରେଟର୍, ହାଇଡ୍ରୋଲିକ୍ ଯନ୍ତ୍ର ଖରାପ ରହିଛି । ଅନ୍ୟ ୮ଟି ବିଓଭିରେ ବ୍ରେକ୍ ସୁଜ୍, ତେଲ, ସୁଇଚ୍, ଇଲେକଟି୍ରକାଲ୍ ଓୟାରିଂ ଭଳି ସାମାନ୍ୟ ସମସ୍ୟା ରହିଛି । ଖରାପ ଗାଡ଼ିଗୁଡ଼ିକ ଟାଉନ ହଲ୍ ଏବଂ ଗଡ଼ିଆଧୋବା ସାହି ଏମସିସିରେ ରହିଛି । ଗାଡ଼ି ଖରାପ ହେବା ସମ୍ପର୍କରେ ପୌରସଂସ୍ଥା ପକ୍ଷରୁ ବିଓଭି ଯୋଗାଇ ଦିଆଯାଇଥିବା ଏଜେନ୍ସିକୁ ଅବଗତ କରାଯାଇଥିଲା । ମାସ ମାସ ବିତିଯାଇଥିଲେ ବି ସମ୍ପୃକ୍ତ ସଂସ୍ଥା ମରାମତି ଦିଗରେ ପଦକ୍ଷେପ ନେଇନଥିଲା । ୧୦ରୁ ଅଧିକ ଗାଡ଼ି ଖରାପ ହେବାରୁ ଏହାର ପ୍ରଭାବ ସଫେଇ ଉପରେ ପଡିଛି । ଘରେ ଘରେ ଏବଂ ଗଳିକନ୍ଦିରେ ଆବର୍ଜନା ଜମି ରହିଛି । ୨ ଦିନ ତଳେ ଏକ ସାହିରେ ସଫେଇ କର୍ମଚାରୀଙ୍କୁ ଗାଳିଗୁଲଜ ସହ ଦୁର୍ବ୍ୟବହାର ଦେଖାଇଥିଲେ ଲୋକେ । ସେମାନେ କହିଥିଲେ, ପ୍ରତି ମାସରେ ୟୁଜର୍ସ ଫି’ ଆଦାୟ କରାଯାଉଛି । ଡ୍ରେନ୍ରେ ଅଳିଆ ପକାଇଲେ ଜରିମାନା ଆଦାୟ ଲାଗି ଧମକ ଦିଆଯାଉଛି । ଗାଡ଼ି ନଆସିଲେ କେଉଁଠି ଅଳିଆ ପକାଇବେ ବୋଲି ପ୍ରଶ୍ନ କରିଥିଲେ । କେବଳ ମୁଖ୍ୟରାସ୍ତା ସଫେଇ କଲେ ହେବନି, ସାହିଗଳି ରାସ୍ତା ମଧ୍ୟ ସଫା ହେବା ଦରକାର ବୋଲି କହିଥିଲେ । ସମ୍ପୃକ୍ତ କର୍ମଚାରୀ କୌଣସି ଉତ୍ତର ଦେଇନପାରି ଭୟରେ ଜଣେ ବ୍ୟକ୍ତିଙ୍କ ଘରେ ପଶିଯାଇଥିଲେ ।
ଏ ସମ୍ପର୍କରେ ଶ୍ରୀ ପଟ୍ଟନାୟକ କହିଛନ୍ତି, କିଛିଦିନ ହେବ ୨ ଜଣ ମେକାନିକ୍ ବିଓଭି ମରାମତି ଲାଗି ଆସିଛନ୍ତି । ୮ଟି ଗୁରୁତର ସମସ୍ୟା ଥିବା ଗାଡ଼ି ମଧ୍ୟରୁ ୪ଟି ମରାମତି କରାଯାଇଛି । ସାମାନ୍ୟ ଖରାପ ଥିବା ୮ଟିରୁ ୪ଟି ଠିକ୍ ହୋଇ ଗଲାଣି । ଗାଡ଼ିରେ ବ୍ୟବହୃତ ଯନ୍ତ୍ରାଂଶ ମିଳୁନଥିବାରୁ ବିଳମ୍ବ ହେଉଛି । କିଛି ଦିନ ମଧ୍ୟରେ ସମସ୍ତ ଖରାପ ଗାଡ଼ି ମରାମତି ହୋଇଯିବ । କୌଣସି କର୍ମଚାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଆସିନି । ଯେଉଁ ସାହି କିମ୍ବା ଗଳି ଭିତରକୁ ବିଓଭି ଯାଇପାରୁନି, ସେଠାରୁ ପୁସ୍କାର୍ଟରେ ଅଳିଆ ସଂଗ୍ରହ କରାଯିବ । ୫୦ଟି ପୁସକାର୍ଟ, ଡଷ୍ଟବିନ୍ ଅର୍ଡର କରାଯାଇଛି । ନୂଆ ଟ୍ରାକ୍ଟର ଏବଂ ଭ୍ୟାନ୍ ୧୦ଟି ଆବର୍ଜନା ପରିବହନରେ ବ୍ୟବହାର କରାଯିବ । ଚଇତ ପର୍ବ ଚାଲିଥିବାରୁ କୋରାପୁଟ ଅଞ୍ଚଳରୁ ଠିକା ସଫେଇ କର୍ମଚାରୀ ଠିକ୍ରେ ଆସୁନାହାନ୍ତି । ଦିନେ ଦୁଇଦିନ ମଧ୍ୟରେ ସମସ୍ୟାର ସମାଧାନ ହୋଇଯିବ । ଏଥିଲାଗି ଜନସାଧାରଣଙ୍କ ସହଯୋଗ ଦରକାର ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons