ମନମୋହିଲା ବାଡି ଖେଳ, ମାଦ୍ରୀ ବାଜା

Get real time updates directly on you device, subscribe now.

ଝରିଗାଁ,(ବି.ବି.ନୁ୍ୟଜ): ଝରିଗାଁସ୍ଥିତ ମା’ ଠାକୁରାଣୀଙ୍କ କଳସ ଯାତ୍ରା ଆରମ୍ଭ ହୋଇଛି । ଆସନ୍ତା ୨୬ତାରିଖ ପର୍ଯ୍ୟନ୍ତ ଯାତ୍ରା ଚାଲିବାକୁ ଥିବାବେଳେ ଦେଖିବାକୁ ସଦର ସମେତ ଆଖପାଖ ଗାଁ ଲୋକଙ୍କ ବେଶ୍ ଭିଡ ଜମୁଛି । ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇଛନ୍ତି । ପ୍ରଥମ ଦିନରେ ଶୋଭାଯାତ୍ରା ସହ ସ୍ଥାନୀୟ ଯୁବକ ବାଡ଼ି ଓ ନିଅାଁ ଖେଳ ପ୍ରଦର୍ଶନ କରିଛନ୍ତି । ଛତିଶଗଡର ମାଦ୍ରୀ ବାଜା ଲୋକଙ୍କ ମନ ମୋହିଛି ।
କରୋନା କଟକଣା ଯୋଗୁ ଦୁଇବର୍ଷ ପରେ ଯାତ୍ରା ଆୟୋଜନ ହୋଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଗାଁ ପରିବେଶ ଚଳଚଞ୍ଚଳ ଓ ଉତ୍ସବମୁଖର ହୋଇଉଠିଛି । ପ୍ରଥମ ଦିନରେ ମା’ଙ୍କ ମନ୍ଦିର ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା । ମୁଖ୍ୟ ପୂଜକ ପୂର୍ଣ୍ଣ ପୂଜାରୀଙ୍କ ଘରୁ ଶୋଭାଯାତ୍ରା ବାହାରି ଠାକୁରାଣୀ ମନ୍ଦିର ନିକଟକୁ ଆସିଥିଲା । ଏଠାରେ ପାରମ୍ପରିକ ପୂଜା ପରେ ମା’ଙ୍କୁ ମଣ୍ଡପ ନିକଟକୁ ଅଣା ଯାଇଥିଲା । ପରେ ମୁଖ୍ୟ ପୂଜକ ଓ ତାଙ୍କ ସାନଭାଇ ତ୍ରିଲୋଚନ ପୂଜାରୀ କଳସ ବୋହି ମଣ୍ଡପ ନିକଟକୁ ଆଣିଥିଲେ । ଶ୍ରଦ୍ଧାଳୁ ନିଜ ଘର ସମ୍ମୁଖରେ ମାଆଙ୍କ ପାଇଁ ଭୋଗ ଲାଗି କରିଥିଲେ । ସ୍ଥାନୀୟ ଯୁବକ ବାଡ଼ି ଓ ନିଅାଁ ଖେଳ ପ୍ରଦର୍ଶନ କରିଥିଲେ । ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଚଳିତ ବର୍ଷ ଲୋକଙ୍କ ମନୋରଞ୍ଜନ ପାଇଁ ବରଗଡ଼ କଳାକାରଙ୍କ ଧନୁଯାତ୍ରା ସମେତ ଆଦିବାସୀ ନାଚ, ଡ୍ୟାନ୍ସ ଧମାକା, ମୀନାବଜାର ଆଦି ଆୟୋଜନ ହୋଇଥିବା ଯାତ୍ରା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons