‘ମାମୁ’ ଡାକିବାରୁ ନାବାଳକଙ୍କୁ ପୁଲିସର ଚାପୁଡ଼ା

Get real time updates directly on you device, subscribe now.

ନିଶ୍ଚିନ୍ତକୋଇଲି,(ବି.ବି.ନୁ୍ୟଜ): ନାବାଳକ ଜଣକ ପାଠ ପଢ଼ି ସ୍କୁଲ୍ରୁ ଘରକୁ ଫେରୁଥିଲେ । ରାସ୍ତାରେ ଯାଉଥିବା ବେଳେ ସେହି ବାଟ ଦେଇ ପୁଲିସ ଗାଡ଼ି ବି ଯାଉଥିଲା । ପୁଲିସକୁ ଦେଖି ନାବାଳକ ଜଣକ କୌତୂକରେ ‘ମାମୁ’ ବୋଲି ଡାକିଦେଲେ । ଏ କଥା ଶୁଣି ଭ୍ୟାନ୍ରେ ଯାଉଥିବା ପୁଲିସ୍ ବାବୁ ଜଣକ ଗାଡ଼ିରୁ ଓହ୍ଲାଇ ନାବାଳକଙ୍କୁ ଚାପୁଡ଼ାଏ ପକାଇଲେ । ଘଟଣା ପରବର୍ତ୍ତୀ ଅବସ୍ଥାରେ ଜଟିଳ ହେଇଗଲା । ପୁଲିସ୍ କାହିଁକି ନାବାଳକକୁ ହାତ ଉଠାଇଲେ ତାକୁ ନେଇ ଅପ୍ରୀତିକର ପରିସ୍ଥିତି ଉପୁଜିଛି । ତୀବ୍ର ଉତ୍ତେଜନା ମଧ୍ୟ ପ୍ରକାଶ ପାଇଛି । ଏମିତିକି ଗାଁ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିବାକୁ ପଛାଇ ନାହାନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ବଡ଼କ୍ଷୀର ପଞ୍ଚାୟତରେ ।
ଘଟଣାକୁ ପ୍ରକାଶ ଯେ, ବଡକ୍ଷୀର ଗ୍ରାମପଂଚାୟତ ଗୋପପୁର ଗ୍ରାମର କବିତା ବେହେରାଙ୍କ ପୁତ୍ର କୈଳାସ ବେହେରା(୧୧) ସ୍ଥାନୀୟ ରଙ୍ଗମୁଣ୍ଡାଇ ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ନ୍ତି । ଆଜି ମଧ୍ୟାହ୍ନରେ ସ୍କୁଲ୍ ସାରି ସେ ସାଙ୍ଗମାନଙ୍କ ସହ ଘରକୁ ଫେରୁଥିଲେ । ଏହି ସମୟରେ ନିଶ୍ଚିନ୍ତକୋଇଲି ଥାନା ପୁଲିସ କର୍ମଚାରୀମାନେ ଗାଡିରେ ଯାଉଥିଲେ । ପୁଲିସ ଗାଡିକୁ ଦେଖି କୈଳାସ ସେମାନଙ୍କୁ ‘ମାମୁ’ ବୋଲି ଡାକି ଦେଇଥିଲା । ତେବେ ଏ ସମ୍ବୋଧନ ପୁଲିସ୍ ଅଧିକାରୀମାନଙ୍କୁ ଅସହ୍ୟ ହୋଇଥିଲା । ତୁରନ୍ତ ପୁଲିସ୍ ସେଠାରେ ଗାଡ଼ି ରଖି କୈଳାସକୁ ଅଟକାଇଥିଲେ । ଥାନାର ଜଣେ ଏଏସ୍ଆଇ ଗାଡି ଅଟକାଇ କୈଳାସକୁ ବିଗିଡା ବିଗିଡି କରିବା ସହ ତାକୁ ଏକ ଚାପୁଡ଼ା ପକାଇଥିଲେ । ଏ ଘଟଣା ସମ୍ପର୍କରେ କୈଳାସ ଘରେ ଜଣାଇଥିଲେ । ପୁଲିସ୍ କାହିଁକି କୈଳାସକୁ ମାରିଲେ ଏ ସଂକ୍ରାନ୍ତରେ ଘରଲୋକେ ଗ୍ରାମବାସୀଙ୍କୁ ଜଣାଇବା ପରେ ତୁମୂଳ କାଣ୍ଡ ଘଟିଥିଲା । ଲୋକେ ତୁରନ୍ତ ରାସ୍ତା ଅବରୋଧ କରିବାକୁ ଆଗେଇ ଆସିଥିଲେ । ଉତ୍ତ୍ୟକ୍ତ ଲୋକେ ପଣସ ପଡିଆ ଛକଠାରେ ଟାୟାର ଜାଳି କଟକ-ଚାନ୍ଦବାଲି ରାସ୍ତାକୁ ଅବରୋଧ କରିଥିଲେ । ଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା ।
ସାଲେପୁର ଏସଡିପିଓ ବିମଳ କୁମାର ବାରିକ, ନିଶ୍ଚିନ୍ତକୋଇଲି ଥାନା ଆଇଆଇସି ଚିନ୍ମୟୀ ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons