ରୁଷର ରାସାୟନିକ ହମଲା

Get real time updates directly on you device, subscribe now.

କିଏଭ୍/ମସ୍କୋ: ରୁଷ ଓ ୟୁକ୍ରେନ୍ ମଧ୍ୟରେ ଆଜକୁ ପ୍ରାୟ ୪୮ ଦିନ ହେଲା ଯୁଦ୍ଧ ଜାରି ରହିଛି । ଏବେ ରୁଷ ସେନା ପୂର୍ବାଞ୍ଚଳ ଉପରେ ପ୍ରଚଣ୍ଡ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏଭଳି ସ୍ଥିତିରେ ୟୁକ୍ରେନ୍ ଉପରେ ରୁଷ ରାସାୟନିକ ଅସ୍ତ୍ର ପ୍ରୟୋଗ କରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ୟୁକ୍ରେନ୍ର ପ୍ରମୁଖ ବନ୍ଦର ସହର ମାରିଉପଲ୍ ଉପରେ ଏହି ଅସ୍ତ୍ର ବ୍ୟବହାର କରାଯାଇଛି ।
ଆକ୍ରମଣ ଆରମ୍ଭ ଦିନରୁ ମାରିଉପଲ୍ ଉପରେ ବାରମ୍ବାର ଟାର୍ଗେଟ୍ କରୁଛି ରୁଷ । ଏହାର ୯୦ଧ ଭିତ୍ତିଭୂମି ଧ୍ୱଂସ କରିଦେବା ପରେ ଏବେ ସାଧାରଣ ଲୋକଙ୍କୁ କ୍ଷତି ପହଞ୍ଚାଉଛି । ସୋମବାର ରାତିରେ ରାସାୟନିକ ଆକ୍ରମଣ ହୋଇଥିବା କୁହାଯାଉଛି । ଏହାଯୋଗୁ ଉକ୍ତ ବନ୍ଦର ସହରରେ ଅନେକ ମୃତାହତ ହୋଇଥାଇ ପାରନ୍ତି । ଏଥିପାଇଁ ୟୁକ୍ରେନ୍ର ଅଧିକାରୀମାନେ ତଦନ୍ତ ଜାରି ରଖିଥିବା ବେଳେ ଆମେରିକା ଓ ଅଷ୍ଟେ୍ରଲିଆ ଏଥିରେ ସହଯୋଗ କରିବେ ବୋଲି କହିଛନ୍ତି ।
ଟେଲିଗ୍ରାମ୍ରେ ପ୍ରକାଶିତ ରିପୋର୍ଟ ମୁତାବକ ସୋମବାର ରାତିରେ ୟୁକ୍ରେନ୍ର ସାମରିକ ୟୁନିଟ୍ ‘ଆଜୋଭ୍ ବାଟାଲିୟନ୍’ ଓ ରୁଷ ସେନା ମଧ୍ୟରେ ଜୋରଦାର ମୁହାଁମୁହିଁ ହୋଇଥିଲା । ଜବାବୀ ହମ୍ଲା ଜୋରଦାର ହେବାରୁ ରୁଷ ସେନା ‘ଏକ ବିଷାକ୍ତ ଅଜଣା ଅସ୍ତ୍ର’ ପ୍ରୟୋଗ କରିଥିଲେ । ଏକ ମାନବବିହୀନ ବାୟୁ ଯାନ (ୟୁଏଭି) ବା ଡ୍ରୋନ୍ରୁ ୟୁକ୍ରେନ୍ର ସାମରିକ ଓ ଜନବସତି ଆଡ଼କୁ ଲକ୍ଷ୍ୟ କରି ରାସାୟନିକ ଅସ୍ତ୍ର ଫିଙ୍ଗାଯାଇଥିଲା ।
ଏହାକୁ ରୁଷ ସେନାର ରାସାୟନିକ ଆକ୍ରମଣ ବୋଲି ରିପୋର୍ଟରେ ଦାବି କରାଯାଇଛି । କାରଣ ଏହି ଅସ୍ତ୍ର ପ୍ରୟୋଗ ହେବାର ମାତ୍ର କେଇ ମିନିଟ୍ ମଧ୍ୟରେ ଏହା ସଂସ୍ପର୍ଶରେ ଆସିଥିବା ଲୋକଙ୍କଠାରେ ଶ୍ୱାସକ୍ରିୟାଜନିତ ସମସ୍ୟା ଉପୁଜିଥିଲା । ଏହାର ପରିଣତି ଅତି ଭୟଙ୍କର ହେବା ଆଶଙ୍କା ରହିଥିବାରୁ ତଦନ୍ତକୁ ବ୍ୟାପକ କରିବାକୁ ନିଷ୍ପତ୍ତି ହୋଇଛି । କିନ୍ତୁ ରୁଷ ସେନା ପକ୍ଷରୁ ବୋମା ମାଡ଼ ଜାରି ରହିଥିବାରୁ ଏହା କିଛି ସମୟ ପାଇଁ ଅଟକିଛି ।
ଆଜୋଭ ବାଟାଲିୟନ୍ର ପ୍ରଥମ କମାଣ୍ଡର ଆଣ୍ଡି୍ର ବିଲେସ୍କିଙ୍କ ଉକ୍ତିକୁ ଉଦ୍ଧାର କରି ଟେଲିଗ୍ରାମ୍ ରିପୋର୍ଟ କହିଛି ଯେ ରାସାୟନିକ ଅସ୍ତ୍ର ପ୍ରୟୋଗ ହେବାର କିଛି କ୍ଷଣ ମଧ୍ୟରେ ୩ ଜଣ ଅସୁସ୍ଥ ହୋଇପଡ଼ିଥିଲେ । ସେମାନଙ୍କଠାରେ ଶ୍ୱାସକି୍ରୟାଜନିତ ସମସ୍ୟା ଦେଖାଦେଇଥିଲା । ମାରିଉପଲ୍ ମେୟରଙ୍କ ଉପଦେଷ୍ଟା ପେଟ୍ରୋ ଆଣ୍ଡି୍ରଉଶ୍ଚେଙ୍କୋ କହିଛନ୍ତି, ସେନା ପକ୍ଷରୁ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି । ଅଜଣା ରାସାୟନିକ ବାଷ୍ପ ନିର୍ଗତ ହେବା ନେଇ ତଦନ୍ତ ଜାରି ରହିଛି ।
ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନସ୍କି କହିଛନ୍ତି, ଯଦି ରାସାୟନିକ ଆକ୍ରମଣ କରାଯାଇଥାଏ, ତେବେ ଅନେକ ଲୋକ ମୃତାହତ ହୋଇପାରନ୍ତି । ଏହାକୁ ଗୁରୁତ୍ୱର ସହ ନିଆଯିବା ଦରକାର । ଏଥିରୁ ସଂକେତ ମିଳିଛି ଯେ ୟୁକ୍ରେନ୍ ଉପରେ ରୁଷ ଏକ ନୂଆ ପର୍ଯ୍ୟାୟର ସାଙ୍ଘାତିକ ଆକ୍ରମଣ କରିପାରେ । ସୋମବାର ବିଳମ୍ବିତ ରାତିରେ ଦେଶବାସୀଙ୍କୁ ସମ୍ବୋଧନ କରି ଜେଲେନସ୍କି କହିଥିଲେ, ରୁଷ ସେନା ୟୁକ୍ରେନ୍ ଉପରେ ଏକ ନୂଆ ତଥା ଭୟଙ୍କର ଆକ୍ରମଣ ଲାଗି ପ୍ରସ୍ତୁତି ଚଳାଇଛନ୍ତି । ମାରିଉପଲ୍କୁ ସୁରକ୍ଷା ଯୋଗାଉଥିବା ଆଜୋଭ୍ ବାଟାଲିୟନ୍ ଉପରେ ସେମାନେ ରାସାୟନିକ ଅସ୍ତ୍ର ପ୍ରୟୋଗ କରିଥିବା ନେଇ ରିପୋର୍ଟ ଆସୁଛି । ସେଥିପାଇଁ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ ।
ଅନ୍ୟପକ୍ଷରେ ମାରିଉପଲ୍ ଉପରେ ରାସାୟନିକ ଅସ୍ତ୍ର ପ୍ରୟୋଗ ହୋଇଛି କି ନାହିଁ ଆମେରିକା ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ । କିନ୍ତୁ ଦିନକ ପୂର୍ବରୁ ଏହା ରାସାୟନିକ ଆକ୍ରମଣ ନେଇ ସତର୍କ କରାଇଥିଲା । ଗୃହ ମନ୍ତ୍ରଣାଳୟ ମୁଖପାତ୍ର ନେଡ୍ ପ୍ରାଇସ୍ କହିଥିଲେ ଯେ ମାରିଉପଲ୍ ଉପରେ ରୁଷ ସେନା ବିଷାକ୍ତ ଉପାଦାନ ଥିବା ବୋମା ପ୍ରୟୋଗ କରିପାରେ । ଏହି ଘଟଣାର ତୁରନ୍ତ ତଦନ୍ତ କରାଯିବା ଆବଶ୍ୟକ ବୋଲି ବ୍ରିଟେନ୍ର ବୈଦେଶିକ ସଚିବ ଲିଜ୍ ଟ୍ରୁସ୍ ଟ୍ୱିଟ୍ କରି କହିଛନ୍ତି ।
ରୁଷ ସେନା ଆକ୍ରମଣ କରିବା ଦିନଠାରୁ ମାରିଉପଲ୍ରେ ୨୨ ହଜାର ଲୋକ ପ୍ରାଣ ହରାଇଥିବା ଡୋନେସ୍କ ଅଞ୍ଚଳର ମିଲିଟାରି ଗଭର୍ଣ୍ଣର ପାଭ୍ଲୋ କିରିଲେଙ୍କୋ କହିଛନ୍ତି । ବୋମା ବର୍ଷା ଜାରି ରହିଥିବାରୁ ପ୍ରକୃତ ମୃତୁ୍ୟ ସଂଖ୍ୟା ଜଣାପଡ଼ି ନାହିଁ । କିନ୍ତୁ ଏହା ୨୨ ହଜାର ପର୍ଯ୍ୟନ୍ତ ହେବ ବୋଲି ସେ କହିଛନ୍ତି । ଆଜକୁ ୬ ସପ୍ତାହ ହେଲା ମାରିଉପଲ୍ ଉପରେ ଆକ୍ରମଣ ଜାରି ରହିଛି । ଏବେ ବି ଏଠାରେ ୧ ଲକ୍ଷ ଲୋକ ଫସି ରହିଥିବା ରିପୋର୍ଟ ଆସୁଛି । ବାହାରକୁ ବାହାରିବା ପାଇଁ ଚେଷ୍ଟା କଲେ ରୁଷ ସେନା ଆକ୍ରମଣ କରୁଛନ୍ତି । ସହରର ୯୦ଧରୁ ଅଧିକ ଭାଗ ଧ୍ୱଂସ ହୋଇସାରିଥିବା ବେଳେ ଲୋକମାନେ ବଙ୍କର ମଧ୍ୟରେ ଅତି ଦୟନୀୟ ଜୀବନ ବିତାଉଛନ୍ତି ।
ମାରିଉପଲ୍ ସହର ଉପରେ ରୁଷ ସେନା ପ୍ରକୃତରେ ରାସାୟନିକ ଆକ୍ରମଣ କରିଛି କି ନାହିଁ, ସେ ନେଇ ଅଷ୍ଟେ୍ରଲିଆ ତଦନ୍ତ କରିବ ବୋଲି ଏହାର ବୈଦେଶିକ ମନ୍ତ୍ରୀ ମାରିସ୍ ପେନ୍ କହିଛନ୍ତି । ଟ୍ୱିଟ୍ କରି ସେ କହିଛନ୍ତି, ୟୁକ୍ରେନ୍ ସହିତ ମିଶି ଅଷ୍ଟେ୍ରଲିଆ ଏହି ତଦନ୍ତ କରିବ । ଘଟଣା ଅତ୍ୟନ୍ତ ଗୁରୁତର । ଏହାର ବ୍ୟାପକ ତଦନ୍ତ ହେବା ଆବଶ୍ୟକ । ରୁଷ ସେନା ବାରମ୍ବାର ଅନ୍ତର୍ଜାତୀୟ ଆଇନ ଉଲ୍ଲଂଘନ କରିଚାଲିଛି । ଅନ୍ତର୍ଜାତୀୟ ଶୃଙ୍ଖଳକୁ ଏହା ବିଗାଡ଼ିବାରେ ଲାଗିଛି ।
ସେପଟେ କିଏଭ୍ ଓ ଅନ୍ୟ ପ୍ରମୁଖ ସହରରୁ ରୁଷ ସେନା ଅପସାରିତ ହୋଇ ଏବେ ପୂର୍ବ ୟୁକ୍ରେନ୍ ଉପରେ ନଜର ପକାଇଛି । ଡୋନ୍ବାସ୍ ଅଭିମୁଖେ ବୃହତ୍ ସଂଖ୍ୟାର ସୈନ୍ୟ ଯାଉଥିବା ବିଭିନ୍ନ ଭିଡିଓ କ୍ଲିପ୍ରୁ ଜଣାପଡ଼ିଛି । ଏଠାରେ ଆଗକୁ ପ୍ରଚଣ୍ଡ ଆକ୍ରମଣ ହେବା ନେଇ ୟୁକ୍ରେନ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି । ସୈନ୍ୟ ସଂଖ୍ୟା ଧୀରେ ବଢୁଥିବା ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ୟୁକ୍ରେନ୍ ଆକ୍ରମଣ ପଛରେ ମହତ୍ ଉଦେ୍ଧଶ୍ୟ ରହିଥିବା ଦର୍ଶାଇବା ସହ ଏହି ଉଦେ୍ଧଶ୍ୟ ନିଶ୍ଚିତ ପୂରଣ ହେବା ନେଇ କହିଛନ୍ତି । ତେଣୁ ଆଗକୁ ଜୋରଦାର ଆକ୍ରମଣ ହେବା ନିଶ୍ଚିତ । ରୁଷ-ୟୁକ୍ରେନ୍ ଯୁଦ୍ଧ ୪୮ ଦିନରେ ପହଞ୍ଚିଛି । ଏଥିରେ ରୁଷର ୨୦ ହଜାରରୁ ଅଧିକ ସୈନ୍ୟ ପ୍ରାଣ ହରାଇ ସାରିଲେଣି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons