ଶାଶୂ-ବୋହୂଙ୍କ ଗଳାକାଟି ହତ୍ୟା

Get real time updates directly on you device, subscribe now.

ବଲାଙ୍ଗୀର,(ଗୁପ୍ତେଶ୍ୱର ପୁଷ୍ଟିଙ୍କଠାରୁ): ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ନୂଆପଡ଼ା ଗ୍ରାମରେ ଆଜି ପୂର୍ବାହ୍ନରେ ଗୋଟିଏ ପରିବାରର ଶାଶୂ-ବୋହୂଙ୍କୁ ଗଳାକାଟି ବିଭତ୍ସ ଭାବେ ହତ୍ୟା କରାଯାଇଛି । ମୃତକ ଦୁଇଜଣ ହେଲେ ଶାଶୂ ପ୍ରେମଶୀଳା ମେହେର(୭୨) ଓ ବୋହୂ ଅମ୍ବିକା ମେହେର(୫୦) । ଘରେ କେହି ନଥିବାବେଳେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇ ଫେରାର ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ କରୁଛି ।
ସୂଚନାନୁଯାୟୀ, ନୂଅାଁପଡ଼ା ଗ୍ରାମ ବସ୍ତିରେ ସୁଧାଂଶୁ ମେହେରଙ୍କ ପରିବାର ରହନ୍ତି । ଘରେ ମାଆ ପ୍ରେମଶୀଳା ଓ ପତ୍ନୀ ଅମ୍ବିକା ରହନ୍ତି । ପ୍ରତିଦିନ ଭଳି ଆଜି ସକାଳ ୭ଟାରେ ସୁଧାଂଶୁ ଘରୁ ବାହାରି ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ଦେଉଳଗୁଡ଼ି ଛକଠାରେ ଥିବା ତାଙ୍କର ଔଷଧ ଦୋକନକୁ ଯାଇଥିଲେ । ତାଙ୍କ ଘର ପାଶ୍ୱର୍ରେ ରହୁଥିବା ସୁଧାଂଶୁଙ୍କ ପୁତୁରା ଦିବ୍ୟସିଂଦେବ ଓ ତାଙ୍କ ସ୍ତ୍ରୀ ଡାହିମାଳସ୍ଥିତ ଆଦର୍ଶ ବିଦ୍ୟାଳୟରେ ଆୟୋଜିତ ମିଟିଂକୁ ଯାଇଥିଲେ । ସେମାନେ ମିଟିଂରୁ ପୂର୍ବାହ୍ନ ୧୧ଟା ୧୦ରେ ଘରକୁ ଫେରିଥିଲେ । ସେତେବେଳେ ଘରେ କାହାରି ପାଟି ଶବ୍ଦ ମଧ୍ୟ ଶୁଣାଯାଉନଥିବାରୁ ସେ ଏଣେତଣେ ବୁଲି ଆବାଜ ଦେଇଥିଲେ । ତଥାପି କେହି ଉତ୍ତର ନଦେବାରୁ ତାଙ୍କ ସନେ୍ଦହ ହେଲା । ଏହାପରେ ସେ ଘର ଭିତରକୁ ଯାଇଥିଲେ । ଉପର ଘର ବାରଣ୍ଡାରେ ପ୍ରେମଶୀଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ପଡ଼ିଥିବା ବେଳେ ଭିତର କୋଠରୀରେ ଅମ୍ବିକାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ଦିବ୍ୟସିଂଦେବ ତାଙ୍କ କାକା ସୁଧାଂଶୁଙ୍କୁ ଫୋନ କରି ଶୀଘ୍ର ଘରକୁ ଆସିବାକୁ କହିଥିଲେ । ଏହାପରେ ଶ୍ରୀ ମେହେର ଘରେ ପହଞ୍ଚି ତୁଷୁରା ଥାନାଧିକାରୀଙ୍କୁ ଫୋନ ଯୋଗେ ଜଣାଇଥିଲେ । ତୁଷୁରା ଥାନାଧିକାରୀ ସଂଜୀବ ପଧାନଙ୍କ ନେତୃତ୍ୱରେ ଏକ ଟିମ ପହଞ୍ଚି ତଦନ୍ତ କରିଥିଲେ । ପରେ ସାଇଣ୍ଟିଫିକ ଟିମ ଓ ଡଗସ୍କ୍ୱାଡ଼ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ସନ୍ଧାନୀ କୁକୁର ଘଟଣାସ୍ଥଳରୁ ବାହାରି ନୂଆପଡ଼ାର ଚାରିଛକ ପର୍ଯ୍ୟନ୍ତ ଯାଇ ପୁଣି ଫେରି ଆସିଥିଲା । ବଲାଙ୍ଗିର ଡିଏସପି ଲକ୍ଷ୍ମୀନାରାୟଣ ମାରାଣ୍ଡି ସମେତ ମାଜିଷ୍ଟେ୍ରଟ ଦାୟିତ୍ୱରେ ତୁଷୁରା ତହସିଲଦାର ରବୀନ୍ଦ୍ର ପଟେଲ, ସଦର ଆଇଆଇସି ଶ୍ରୀକାନ୍ତ ସାହୁ, ଦେଓଗାଁ ଆଇଆଇସି ବାମଦେବ ଶଙ୍ଖୁଆଳ, ତୁଷୁରା ଥାନା ଏସଆଇ ଆଲୋକ ପ୍ରସାଦ ଭୋଇ, ଏଏସଆଇ ଜ୍ୟୋତ୍ସ୍ନାରାଣୀ ମହାନନ୍ଦ ପ୍ରମୁଖ ତଦନ୍ତ ବେଳେ ଉପସ୍ଥିତ ଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ହତ୍ୟା ଘଟଣାର କୌଣସି ସୁରାଗ ମିଳିପାରିନଥିଲା । ପ୍ରକାଶ ଯେ, ପୂର୍ବରୁ କାହା ସହ ତାଙ୍କର ଶତ୍ରୁତା ନଥିବା କିମ୍ବା ଗାଳିଗୁଲଜ ହୋଇନଥିବା ସୁଧାଂଶୁ କହିଛନ୍ତି । ତେବେ କିଏ ଓ କାହିଁକି ଶାଶୂ, ବୋହୂଙ୍କୁ ଅମାନୁଷିକ ଭାବେ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନାହିଁ । ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons