ସମିତି ସଭ୍ୟାଙ୍କ ସ୍ୱାମୀଙ୍କୁ ଗୁଳିକରି ହତ୍ୟା:ସୁଟରଙ୍କୁ ଚାରି ଲକ୍ଷର ସୁପାରୀ

Get real time updates directly on you device, subscribe now.

ବଲାଙ୍ଗିର,(ଗୁପ୍ତେଶ୍ୱର ପୁଷ୍ଟିଙ୍କଠାରୁ): ଦୀର୍ଘଦିନରୁ ଜମି ବିବାଦ ଥିଲା । ରାଜନୈତିକ ତିକ୍ତତା ତାହାକୁ ଆହୁରି ପ୍ରଖର କଲା । ଯାହାର ପରିଣାମ ସ୍ୱରୂପ ବିଜେଡି ନେତା ଲୋକନାଥ ବିଶ୍ୱାଳଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଗାଁର ବସୁ ପଧାନ ହିଁ ଲୋକନାଥଙ୍କୁ ରାସ୍ତାରୁ ହଟାଇବା ପାଇଁ ସୁଟର୍ଙ୍କୁ ୪ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ । ବସୁଙ୍କୁ ସହଯୋଗ କରି ପାଟଣାଗଡ଼ ଥାନା ପାଣ୍ଡେଲ ଗାଁର ପୂଜକ ସନ୍ତୋଷ ଦାଶ ସମସ୍ତ ସୁଟର୍ଙ୍କୁ ଯୋଗାଯୋଗ କରିଥିଲେ । ଏହି ହତ୍ୟାକାଣ୍ଡର କୋଡୱାଡର଼୍ ସେ ଦେଇଥିଲେ ‘ଶତ୍ରୁମେଧ ହୋମଯଜ୍ଞ’ । ଯାହା କେବଳ ବସୁ ଏବଂ ପୂଜକ ସନ୍ତୋଷ ହିଁ ଜାଣିଥିଲେ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଲୋକନାଥଙ୍କୁ ହତ୍ୟା ପାଇଁ ଯୋଜନା ହୋଇଥିଲା । ହେଲେ ସୁଟରମାନଙ୍କ ପାଉଣା ନେଇ ଡିଲ ଛିଣ୍ଡୁ ନଥିବାରୁ ତାହା ବିଳମ୍ବ ହେଲା । ଶେଷରେ ଗତ ୨୮ତାରିଖ ସଂଧ୍ୟାରେ ତିନିଜଣ ସୁଟର ଲୋକନାଥଙ୍କୁ ଗୁଳିକରି ହତ୍ୟା କରିଥିଲେ ।
ବେଲପଡା ବ୍ଲକ ବାଗଦୋର ପଞ୍ଚାୟତର ସମିତିସଭ୍ୟାଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳ ହତ୍ୟା ମାମଲାରେ ଆଜି ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ହତ୍ୟା ମାମଲାରେ ବେଲପଡା ପୁଲିସ ଆଜି ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବସୁ ପଧାନ, ପୂଜକ ସନ୍ତୋଷ ଦାସ, କୁଶଧ୍ୱଜ ମାଝି ଓରଫ ରାଜା, କରୁଣା ବାଗ ରହିଛନ୍ତି । ଆଜିର ଚାରିଜଣଙ୍କୁ ମିଶାଇ ପୁଲିସ ଏହି ମାମଲାରେ ୬ଜଣଙ୍କୁ ଗିରଫ କରିଥିବା ବେଳେ ପାଟଣାଗଡ଼ ପଦ୍ମପୁର ଅଞ୍ଚଳର ନରେଶ ସାହୁ ଫେରାର ରହିଛି । ଆଜି ଚାରିଜଣ ଅଭିଯୁକ୍ତଙ୍କୁ ପାଟଣାଗଡ଼ ଏସଡ଼ିଜେଏମ କୋର୍ଟରେ ହାଜର କରାଯାଇଥିଲା ।
ସୂଚନାଅନୁସାରେ, ବସୁ ପଧାନ ଏବଂ ଲୋକନାଥ ବିଶ୍ୱାଳଙ୍କ ସହ ଦୀର୍ଘବର୍ଷ ହେଲା ମନୋମାଳିନ୍ୟ ଥିଲା । ଏକ ଜମିଜମା ମାମଲାକୁ ନେଇ ଉଭୟ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା । ଏନେଇ ୨୦୧୩-୧୪ ମସିହାରୁ କୋର୍ଟରେ ଏହି ମାମଲା ବିଚାରାଧିନ ରହିଛି । ସେହିପରି ଉଭୟଙ୍କ ମଧ୍ୟରେ ରାଜନୈତିକ ତିକ୍ତତା ମଧ୍ୟ ରହିଥିଲା । ଏଥର ଲୋକନାଥ ନିଦ୍ୱ୍ୱର୍ନ୍ଦରେ ନିଜ ସ୍ତ୍ରୀଙ୍କୁ ସମିତି ସଭ୍ୟା ଏବଂ ସରପଞ୍ଚଙ୍କୁ ବିଜୟୀ କରାଇବା ପରେ ଅସନ୍ତୋଷ ଆହୁରି ଅଧିକ ବୃଦ୍ଧି ପାଇଥିଲା । ପୂର୍ବ ଶତ୍ରୁତାକୁ ନେଇ ବସୁ ଦୀର୍ଘଦିନରୁ ଲୋକନାଥଙ୍କୁ ହତ୍ୟା କରିବେ ବୋଲି ଷଡ଼ଯନ୍ତ୍ର କରୁଥିଲେ । ଯେଉଁଥିପାଇଁ ସେ ପାଟଣାଗଡ଼ ପାଣ୍ଡେଲ ଗାଁର ସନ୍ତୋଷ ଦାଶଙ୍କ ସହଯୋଗ ନେଇଥିଲେ । ସନ୍ତୋଷ ପେସାରେ ଜଣେ ମୃତାହ କାର୍ଯ୍ୟ କରୁଥିବା ପୂଜକ । ସେ ସବୁବେଳେ ବସୁ ସହ ମିଶି ହତ୍ୟା ଷଡ଼ଯନ୍ତ୍ର କରିଥିଲେ ଏବଂ ୪ଲକ୍ଷରେ ଡିଲ୍ ସ୍ଥିର କରାଇଥିଲେ । ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ ବସୁଙ୍କ ଠାରୁ ସନ୍ତୋଷ ୩୦ହଜାର ଟଙ୍କା ଆଣି ରବି ଷାଣ୍ଡ, ସୀତାରାମ ବିନ୍ଧାଣୀ, କୁଶଧ୍ୱଜ ମାଝି ଏବଂ କରୁଣା ବାଗକୁ ୫ହଜାର ଲେଖାଏଁ ଦେଇଥିଲେ । କିନ୍ତୁ ଡିଲ ଅନୁସାରେ ଟଙ୍କା କମ ହେବାରୁ ସେମାନେ ହତ୍ୟା ପାଇଁ ରାଜି ହୋଇନଥିଲେ । ପରେ ବିଳମ୍ବ ହେବାରୁ ସନ୍ତୋଷ ପୁଣି ୫୦ହଜାର ଟଙ୍କା ଆଣି ସୁଟର ମାନଙ୍କୁ ମାତ୍ର ୨୦ହଜାର ଟଙ୍କା ଦେଇ ବଳକା ଟଙ୍କା ନିଜେ ରଖିଥିଲେ । ହେଲେ କୌଣସି କାରଣରୁ କୁଶଧ୍ୱଜ ଉକ୍ତ ଡିଲରୁ ଓହରି ଯାଇଥିଲେ । ଶେଷରେ ସନ୍ତୋଷ ପଦ୍ମପୁର ଅଞ୍ଚଳର ଆଉ ଜଣେ ପେସାଗତ ଅପରାଧିଙ୍କୁ ଯୋଗାଯୋଗ କରିଥିଲେ । ଯିଏ ପଦ୍ମପୁରରୁ ଆସି ରବି ଏବଂ ସୀତାରାମ ସହ ୨୮ତାରିଖ ସଂଧ୍ୟାରେ ବନମାଲ ଗାଁକୁ ଯାଇ ଲୋକନାଥଙ୍କୁ ହତ୍ୟା କରିଥିଲା । ସେଠାରୁ ଫେରାର ହେବା ସମୟରେ ଲାଠୋର ଜଙ୍ଗଲ ଭିତରେ ପୁଲିସ ଜିପ ସହ ଧକ୍କା ହେବାରୁ ରବି ଏବଂ ସୀତାରାମ ଧରାପଡିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ନରେଶ ଫେରାର ହୋଇଯାଇଛି । ତେଣୁ ପୁଲିସ ଏବେ ମଧ୍ୟ ଅନେକ ତଥ୍ୟ ଅସ୍ପଷ୍ଟ ରହିଛି । ଅପରପକ୍ଷେ ପୁଲିସ ସେ ବ୍ୟବହାର କରୁଥିବା ଗ୍ଲାମର ବାଇକ ଜବତ କରି ତାକୁ ଚିହ୍ନଟ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons