ସମୁଦ୍ରକୁ ଗଲେ ୨ କୋଟି କଇଁଛ ଶାବକ

Get real time updates directly on you device, subscribe now.

ରାଜନଗର,(ବି.ବି.ଆପ୍ର): ଗହୀରମଥାରେ ଏବେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳୁଛି । ବେଳାଭୂମି ବାଲି ଗାତରୁ ବାହାରି କଇଁଛ ଶାବକମାନେ ସମୁଦ୍ରକୁ ଯିବା ସହ ସମୁଦ୍ରରେ ବିଚରଣ କରୁଛନ୍ତି । ପାଞ୍ଚ ଦିନ ମଧ୍ୟରେ ୨ କୋଟି ୨ ଲକ୍ଷ ୨୪ ହଜାର କଇଁଛ ଶାବକ ସମୁଦ୍ରକୁ ଯାଇ ସାରିଲେଣି ବୋଲି ବନ ବିଭାଗ କହିଛି । ବିଭାଗର ସୂଚନା ମୁତାବକ, ୧୦ ତାରିଖ ଦିନ ୫୩ ଲକ୍ଷ ୭୬ ହଜାର କଇଁଛ ଶାବକ ଗାତରୁ ବାହାରି ସିଧା ସମୁଦ୍ରକୁ ଯାଇଥିବା ବେଳେ ୧୧ ତାରିଖ ଦିନ ୬୦ ଲକ୍ଷ ୮୦ ହଜାର, ୧୨ରେ ୫୮ ଲକ୍ଷ ୮୮ ହଜାର, ୧୩ରେ ୨୫ ଲକ୍ଷ ୬୦ ହଜାର ଏବଂ ଆଜି ସକାଳେ ୩ ଲକ୍ଷ ୨୦ ହଜାର କଇଁଛ ଶାବକ ସମୁଦ୍ରକୁ ଯାଇଛନ୍ତି । ଭୋର ସମୟ ଓ ଅପରାହ୍ନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ଏହି ସମୟରେ କଇଁଛ ଛୁଆଙ୍କୁ କୁକୁର, ବିଲୁଆ ଓ ଶିକାରୀ ପକ୍ଷୀମାନେ ଖାଇବାର ଆଶଙ୍କା ଥିବାରୁ ବନ ବିଭାଗ ପକ୍ଷରୁ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ରାଜନଗର ଡିଏଫ୍ଓ ଡ. ଯଜ୍ଞଦତ୍ତ ପତି ନିଜେ ଗହୀରମଥାର ନାସୀ-୨ରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି । କଇଁଛ ଶାବକ ଗାତରୁ ବାହାରି ଯେପରି ଏଣେତେଣେ ନ ଯାଆନ୍ତି କିମ୍ବା କୌଣସି ବନ୍ୟଜନ୍ତୁ ଏ ଅଂଚଳକୁ ନ ଆସନ୍ତି, ସେଥିପାଇଁ ୨ କିମି ୪୦୦ ମିଟର ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି । ସୂଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ଶେଷ ସପ୍ତାହରେ ଗହୀରମଥା ନାସୀ-୨ରେ ୫ ଲକ୍ଷ ୧ ହଜାର ୧୪୭ ଅଲିଭ୍ରିଡ୍ଲେ ଗଣ ଅଣ୍ଡାଦାନରେ ସାମିଲ ହୋଇଥିବା ବନ ବିଭାଗ ରେକର୍ଡ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons