ପାରାଦୀପ : ସମୁଦ୍ର କୂଳରେ ଅଛି ସାଇକେଲ, ୟୁନିଫର୍ମ, ସ୍କୁଲ୍ ବ୍ୟାଗ୍, ଜୋତା ଓ ଆଇକାର୍ଡ। କିନ୍ତୁ ଏସବୁ ଜିନିଷ ଯାହାଙ୍କର, ତାଙ୍କର ପତ୍ତା ମିଳୁନି। ସେ ନିଖୋଜ ହୋଇଯାଇଛନ୍ତି। ସନ୍ଦେହ କରାଯାଉଛି, ସେ ସମୁଦ୍ରରେ ଭାସି ଯାଇଛନ୍ତି। ଘଟଣାଟି ଘଟିଛି ପାରାଦୀପରେ। ନିଖୋଜ ଛାତ୍ରଙ୍କ ନାଁ ପ୍ରୀତମ ଦାସ। ତାଙ୍କ ଘର ପାରାଦୀପର ମଧୁବନ ଗୋପାଳଜିଉ କଲୋନୀରେ। ସେ ଅଷ୍ଟମ ଶ୍ରେଣୀରେ ପଢ଼ନ୍ତି। ପ୍ରୀତମ ଆଜି ସ୍କୁଲ୍କୁ ଯାଇଥିଲେ। କିନ୍ତୁ ଆଉ ଫେରି ନଥିଲେ। ପରେ ଖବର ଆସିଲା ଯେ ସମୁଦ୍ରକୂଳରେ ତାଙ୍କ ୟୁନିଫର୍ମ ସହିତ ଅନ୍ୟାନ୍ୟ ଜିନିଷ ପଡ଼ିଛି। ଏ ଖବର ମିଳିବା ପରେ ସମୁଦ୍ର କୂଳରେ ପରିବାର ଲୋକଙ୍କ ସହିତ ବନ୍ଧୁବାନ୍ଧବ ଓ ଅନ୍ୟ ଲୋକଙ୍କ ଭିଡ଼ ଜମିଛି। ପୁଲିସ୍ ମଧ୍ୟ ପହଞ୍ଚିଛି। ଖୋଜାଖୋଜି ଜାରି ରହିଛି। ଅଗ୍ନିଶମ ବାହିନୀ ଓ କୋଷ୍ଟଗାର୍ଡର ମଧ୍ୟ ସହାୟତା ନିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସ୍କୁଲ୍ ସରିବା ପରେ ପ୍ରୀତମ ଆଉ କିଛି ପିଲାଙ୍କ ସହିତ ସମୁଦ୍ର କୂଳକୁ ଆସିଥିଲେ। ତେବେ କ’ଣ ଘଟିଛି, ତାହା ଜଣାପଡ଼ି ନାହିଁ। କିନ୍ତୁ ସମୁଦ୍ର କୂଳରେ ପ୍ରୀତମଙ୍କ ଜିନିଷ ପାଖରୁ ଏକ ଚଷମା ମିଳିଛି। ଏ ଚଷମାଟି ପ୍ରୀତମଙ୍କର ନୁହେଁ। ଏଥିରୁ ଜଣାପଡୁଛି, ସେ ଏକା ଆସି ନଥିଲେ। ତାଙ୍କ ସହିତ ଆଉ କେହି ଥିଲେ।
Comments are closed, but trackbacks and pingbacks are open.