ସାତଜଣଙ୍କ କନ୍ୟାଦାନ କଲେ ବିଧାୟକ

Get real time updates directly on you device, subscribe now.

ନୂଆପଡ଼ା,(ବି.ବି.ନୁ୍ୟଜ): ଆଜିର ମହଙ୍ଗା ଯୁଗରେ ଗରିବ ଯୁବକ ଯୁବତୀଙ୍କ ବିବାହ କରିବା ପରିବାର ପାଇଁ କଷ୍ଟକର ହୋଇପଡ଼ିଛି । ଏଭଳି ସ୍ଥିତିରେ ଗରିବ ଯୁବକ ଯୁବତୀଙ୍କ ବିବାହ ପାଇଁ ସାହା ହୋଇଛନ୍ତି ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢେ଼ାଲକିଆ । ବିଧାୟକ ଶ୍ରୀ ଢେ଼ାଲକିଆ ଆଜି ୭ଜଣ ଗରିବ ଯୁବତୀଙ୍କ କନ୍ୟାଦାନ କରିବା ସହ ଜାନିଯୌତୁକ ଦେଇ ବିଦାୟ ଦେଇଛନ୍ତି ।
ଖରିଆରରୋଡ଼ ନିକଟ ଆମସେନା ଗୁରୁକୁଳ ଆଶ୍ରମଠାରେ କାଞ୍ଚନବେନ ରଶିକଲାଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆଦର୍ଶ ବିବାହ ଆୟୋଜିତ ହୋଇଥିଲା । ୮ଦିନ ତଳେ ଗରିବ ଯୁବକ ଓ ଯୁବତୀଙ୍କ ବିବାହ ପାଇଁ ପଞ୍ଜିକରଣ ଆରମ୍ଭ ହୋଇଥିଲା । ଏଥିରେ ୭ଯୋଡା ବରକନ୍ୟା ବିବାହ ପାଇଁ ପଞ୍ଜିକରଣ କରିଥିଲେ । ଆଜି ସକାଳୁ ସମସ୍ତ ବରକନ୍ୟା ଯୋଡ଼ି ଖରିଆରରୋଡ଼ ସହରରେ ପହଞ୍ଚିଥିଲେ । ସେଠାରେ ବରକନ୍ୟା ଯୋଡ଼ିଙ୍କୁ ନୂତନ ପୋଷାକ ଦେଇ ବରବଧୂ ବେଶରେ ସୁସଜ୍ଜିତ କରାଯାଇଥିଲା । ପୂର୍ବାହ୍ନରେ ଗୁରୁକୁଳ ଆଶ୍ରମ ପରିସରରେ ବୈଦିକ ରୀତିନୀତିରେ ବିବାହ ଉତ୍ସବ ଆରମ୍ଭ ହୋଇଥିଲା । ଗୁରୁକୁଳର ବ୍ରହ୍ମଚାରୀମାନେ ମନ୍ତ୍ରପାଠ କରି ବିବାହ କରିଥିଲେ । ଏହି ଅବସରରେ ଭୋଜିଭାତର ଆସର ଜମିଥିଲା । ଉଭୟ ବର ଓ କନ୍ୟା ପକ୍ଷରୁ ୧୫ଜଣ ଲେଖାଏଁ ପରିବାର ସଦସ୍ୟ ଓ ବନ୍ଧୁ ପରିଜନ ନିମନ୍ତ୍ରିତ ହୋଇଥିଲେ । ବିଧାୟକ ଶ୍ରୀ ଢୋଲକିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଅତିଥି ଭାବେ ଗୁରୁକୁଳ ଆଶ୍ରମ ପ୍ରତିÂାତା ଧର୍ମାନନ୍ଦ ସରସ୍ୱତୀ, ସଦର ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଖରିଆରରୋଡ଼ ଏନଏସି ଅଧ୍ୟକ୍ଷା ସୋନିଆ ଜୈନ, ଉପାଧ୍ୟକ୍ଷା ନିଶାନ୍ତ ଡାଗା, ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଞ୍ଜନ ଯୋଶୀ, ମୁରଲୀଧର ଭୋଇ, ଉମା ଠାକୁର, ସାମାଜିକ କର୍ମୀ ଉଦୟ ପ୍ରସାଦ ସାହୁ, ଧନୀରାମ ସାହୁ, ସୁରେଶ ଅଗ୍ରୱାଲ, କାଉନସିଲର ଶେଖର ଜୈନ, ସନ୍ଦୀପ ଶର୍ମା, ରାଜେନ୍ଦ୍ରସିଂ ବଗ୍ଗା, ବିଜେପି ଜିଲ୍ଲା ଉପସଭାପତି ଗୋଲ୍ଡି ଅଗ୍ରୱାଲ, ଗୁରୁକୁଳ ଆଶ୍ରମ ସହ ପରିଚାଳକ କୁଞ୍ଜଦେବ ମୁନସୀ ପ୍ରମୁଖ ମଞ୍ଚାସୀନ ଥିଲେ । ଟ୍ରଷ୍ଟ ପରିଚାଳକ ଜୟ ଢୋଲକିଆ ଧନ୍ୟବାଦ ଦେଇଥିଲେ । ଅପରାହ୍ନରେ ଖରିଆରରୋଡ଼ ସହରରେ ୭ଯୋଡ଼ା ବରକନ୍ୟାଙ୍କୁ ନେଇ ଏକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ବାଜା, ଡିଜେ ସାଉଣ୍ଡରେ ସହର ଦୁଲୁକି ଉଠିଥିଲା । ଶୋଭାଯାତ୍ରା ସହର ପରିକ୍ରମା କରି ରାମ ମନ୍ଦିରଠାରେ ପ୍ରତି ବରକନ୍ୟାଙ୍କୁ ୫୧ ହଜାର ଟଙ୍କା ଜାନିଯୌତୁକ ଆକାରରେ ଦେଇ ବିଧାୟକ ଶ୍ରୀ ଢୋଲକିଆ ବିଦାୟ ଦେଇଥିଲେ । ଗତ ୧୧ବର୍ଷ ହେଲେ ବାପା-ମାଆଙ୍କ ସ୍ମୃତିରେ ବିଧାୟକ ଶ୍ରୀ ଢୋଲକିଆ ଏଭଳି ସାମୂହିକ ବିବାହ ଆୟୋଜନ କରୁଛନ୍ତି । ୧୧ବର୍ଷରେ ସେ ୭ଶହରୁ ଊଦ୍ଧ୍ୱର୍ ଗରିବ ଶ୍ରେଣୀର ଯୁବକଯୁବତୀଙ୍କ ବିବାହ କରାଇଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ଜିଲ୍ଲାର ଅନେକ ଦାନଦାତାଙ୍କ ସହଯୋଗ ରହିଛି । ସାମୂହିକ ବିବାହ ଆୟୋଜନ କରିବାକୁ ଚାରିଟେବୁଲ ଟ୍ରଷ୍ଟ ପରିଚାଳକ ତଥା ପୁଅ ଜୟ ଢୋଲକିଆଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ମୁଲଚନ୍ଦ ଫନେ୍ଦ, ରମେଶ ଆଚାରୀ, ଜ୍ଞାନସିଂ ମାଝି, ସନ୍ତୋଷ ଦୁବେ ସମେତ ଏକତା ମହିଳା ମଣ୍ଡଳ, ମାହାରାଷ୍ଟ୍ରୀଆନ ମହିଳା ମଣ୍ଡଳ, ରାମାୟଣ ମହିଳା ମଣ୍ଡଳ, ସାହୁ ସମାଜ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ବିଧାୟକଙ୍କ ଏଭଳି କାମକୁ ଜିଲ୍ଲାବାସୀ ଉଚ୍ଚ ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons