୨୪ ଘଣ୍ଟାରେ ୨୦୦ ଏୟାର ଷ୍ଟ୍ରାଇକ୍

Get real time updates directly on you device, subscribe now.

କିଏଭ୍/ମସ୍କୋ: ରୁଷ-ୟୁକ୍ରେନ୍ ଯୁଦ୍ଧକୁ ୩୩ ଦିନ ବିତିଲାଣି । ଏ ପର୍ଯ୍ୟନ୍ତ ଏହା ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚି ପାରିନାହିଁ । ୟୁକ୍ରେନ୍ର ବିଭିନ୍ନ ସହରକୁ ବୋମା ଓ ମିସାଇଲ୍ ମାଡ଼ କରି ଛାରଖାର କରିଦେଲାଣି ରୁଷ । ତଥାପି ଏହାକୁ ବିଜୟ ମିଳିନାହିଁ । ଏବେ ଏହା ଖାର୍କିଭ୍, ଲୁଟ୍ଷ୍କ, ଝାଇଟୋମିର୍, ରିଭ୍ନେ ଭଳି ସହର ଉପରେ ଜୋରଦାର ହମ୍ଲା କରୁଛି । ଏମିତି କି ରାଜଧାନୀ କିଏଭ୍ର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ମଧ୍ୟ ବୋମା ମାଡ଼ କରୁଛି । ଗତ ୨୪ ଘଣ୍ଟାରେ ଖାର୍କିଭ୍ ସହର ଉପରେ ୨୦୦ରୁ ଅଧିକ ଏୟାର ଷ୍ଟ୍ରାଇକ୍ ହୋଇଥିବା ଏହାର ଗଭର୍ଣ୍ଣର ଦାବି କରିଛନ୍ତି । ଖାର୍କିଭ୍କୁ ରୁଷ ପୁଣି ଟାର୍ଗେଟ୍ କରୁଥିବା ସେ କହିଛନ୍ତି । ସେପଟେ ତୁର୍କୀର ଇସ୍ତାନବୁଲ୍ରେ ଦୁଇଦେଶ ମଧ୍ୟରେ ଶାନ୍ତି ଆଲୋଚନା ଆରମ୍ଭ ହୋଇଛି । ୩୦ ତାରିଖ ଯାଏ ଏହା ଚାଲିବ ।
ଖବର ମୁତାବକ, ରୁଷ ସେନା ଏବେ ୟୁକ୍ରେନ୍ର ରାଜଧାନୀ କିଏଭ୍ ଚାରିପଟେ ଏକ କରିଡର୍ ତିଆରି ପାଇଁ ଚେଷ୍ଟା ଚଳାଇଛନ୍ତି । ବିଶେଷକରି ସହର ସହ ଯୋଡ଼ି ହୋଇଥିବା ଯୋଗାଣ ରୁଟ୍ଗୁଡ଼ିକୁ ବନ୍ଦ କରିବା ଲାଗି ଏମାନଙ୍କର ଉଦେ୍ଧଶ୍ୟ ରହିଛି । ୟୁକ୍ରେନ୍ର ଉପ ପ୍ରତିରକ୍ଷା ମନ୍ତ୍ରୀ ହାନ୍ନା ମଲିଆର୍ କହିଛନ୍ତି, କିଏଭ୍ ଚାରିପଟେ ପରିବହନ ରୁଟ୍ଗୁଡ଼ିକୁ ବ୍ଲକ୍ ପାଇଁ ଶତ୍ରୁ ରାଷ୍ଟ୍ର ଚେଷ୍ଟା କରୁଛି । କିନ୍ତୁ କିଏଭ୍ର ସୁରକ୍ଷା ପାଇଁ ଚେଷ୍ଟା ଜାରି ରହିଛି । ସ୍ଥଳ ସେନା, ବାୟୁ ପ୍ରତିଘାତ ସେନା ଏବଂ ସ୍ୱତନ୍ତ୍ର ସେନା ଏଥିରେ ସାମିଲ ହୋଇଛନ୍ତି । ରାଜଧାନୀ ସହରର ଲୋକମାନେ ମଧ୍ୟ ବେଶ୍ ସକି୍ରୟ ଅଛନ୍ତି । ଶତ୍ରୁ ପକ୍ଷେ ରାଜଧାନୀ କବ୍ଜା ବେଶ୍ କଷ୍ଟକର ହେବ । ସେମାନେ (ରୁଷ ସେନା) କିଏଭ୍ ଉପରେ ହମ୍ଲା ପାଇଁ କୌଣସି ଉଦ୍ୟମ ବାଦ୍ ଦେଉନାହାନ୍ତି । କାରଣ କିଏଭ୍ କବ୍ଜା ଅର୍ଥ ୟୁକ୍ରେନ୍କୁ କବ୍ଜା କରିବା । ଏହି ଲକ୍ଷ୍ୟ ନେଇ ସେମାନେ ଏବେ ଏହାର ଚାରିପଟେ କରିଡର୍ ନିର୍ମାଣ କରୁଛନ୍ତି ।
ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନସ୍କିଙ୍କ ଉପଦେଷ୍ଟା ମିଖାଇଲ୍ ପୋଡୋଲିଆକ୍ କହିଛନ୍ତି, ରୁଷ ସେନା ରବିବାର ରାତିରେ ଲୁଟ୍ଷ୍କ, ଖାର୍କିଭ୍, ଝାଇଟୋମିର୍ ଓ ରିଭ୍ନେ ଉପରେ ମିସାଇଲ୍ ମାଡ଼ କରିଥିଲେ । ଆଜି ସକାଳ ପର୍ଯ୍ୟନ୍ତ ତାହା ଜାରି ରହିଥିଲା । ମାରିଉପଲ୍ ଉପରେ ସାଙ୍ଘାତିକ ବୋମା ମାଡ଼ କରାଯାଉଛି । ଏହାର ଦକ୍ଷିଣ ପଟକୁ ସେମାନେ କବ୍ଜା କରିନେଲେଣି । ରୁଷ ସେନା ପାଖରେ ଏବେ ମାନବତାର ଭାଷା ନାହିଁ । ଅଛି କେବଳ ମିସାଇଲ, ବୋମା ଏବଂ ୟୁକ୍ରେନ୍କୁ ମୂଳପୋଛ କରିବାର ଲକ୍ଷ୍ୟ । ସୋମବାର ସକାଳେ କିଏଭ୍ରେ ଏକ ବଡ଼ ବିସ୍ଫୋରଣ ଶବ୍ଦ ଏବଂ ଏୟାର ରେଡ୍ ସାଇରେନ୍ ଶୁଣିବାକୁ ମିଳିଥିବା କିଛି ଗଣମାଧ୍ୟମ କର୍ମଚାରୀ ଦାବି କରିଛନ୍ତି । ତେବେ ଅଧିକୃତ ୟୁକ୍ରେନ୍ରେ ରୁଷ ସେନା ସେତେ ଆଗେଇ ନ ଥିବା ବ୍ରିଟେନ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ୟୁକ୍ରେନ୍ର ଲିଭ୍ ସହରରେ ରୁଷର ମିସାଇଲ୍ ଆକ୍ରମଣ ଯୋଗୁ ୫ ଜଣ ଆହତ ହୋଇଛନ୍ତି । ଏଠାରେ ଥିବା ଏକ ତୈଳ ଡିପୋ ଉପରେ ରବିବାର ଆକ୍ରମଣ ହୋଇଥିଲା । ଏହାଯୋଗୁ ବ୍ୟାପକ ଭିତ୍ତିଭୂମି ନଷ୍ଟ ହୋଇଥିବା ସହରର ମେୟର ଆଣ୍ଡି୍ର ସାଦୋଭି କହିଛନ୍ତି । ସେପଟେ କିଏଭ୍ ମେୟର ଭିଟାଲି କ୍ଲିସ୍କୋ ସୋମବାର ସହରରେ କର୍ଫୁ୍ୟ କୋହଳ କରିଛନ୍ତି । ଫେସ୍ବୁକ୍ ଆକାଉଣ୍ଟରେ ଏ ନେଇ ସେ ଘୋଷଣା କରିଛନ୍ତି ।
ରାଜଧାନୀ କିଏଭ୍ ନିକଟସ୍ଥ ଇର୍ପିନ୍ ସହରରୁ ପୁଣି ତଡ଼ା ଖାଇଛି ରୁଷ ସେନା । ୟୁକ୍ରେନ୍ ସେନା ଏହାକୁ ନିଜ ନିୟନ୍ତ୍ରଣକୁ ଆଣିବାରେ ସଫଳ ହୋଇଛି । ଇର୍ପିନ୍ ମେୟର୍ ଓଲେକ୍ଜାଣ୍ଡର ମାର୍କୁସିନ୍ ସୋମବାର ଏହି ସୂଚନା ଦେଇଛନ୍ତି । ଟେଲିଗ୍ରାମ୍ରେ ଏକ ଭିଡିଓ ପୋଷ୍ଟରେ ସେ କହିଛନ୍ତି, ଦେଶବାସୀଙ୍କ ପାଇଁ ଭଲ ଖବର । ଇର୍ପିନ୍କୁ ପୁଣି ସ୍ୱାଧୀନତା ମିଳିଛି । ତେବେ ଏହା ଉପରେ ଆଗକୁ ଆହୁରି ଅଧିକ ଆକ୍ରମଣ ହେବା ଆଶଙ୍କା ରହିଛି । କିନ୍ତୁ ୟୁକ୍ରେନ୍ ସେନା ସାହସର ସହ ରୁଷ ସୈନ୍ୟଙ୍କ ମୁକାବିଲା କରିବ । ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ଏ ପର୍ଯ୍ୟନ୍ତ ୟୁକ୍ରେନ୍ର ୩୯ ଲକ୍ଷ ଲୋକ ଅନ୍ୟ ଦେଶକୁ ପଳାୟନ କରିଛନ୍ତି । ୬୫ ଲକ୍ଷ ଲୋକ ନିଜ ଦେଶରେ ବିସ୍ଥାପିତ ହୋଇଛନ୍ତି ।
ସେପଟେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ବାବଦରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଦେଇଥିବା ଟିପ୍ପଣୀକୁ ନେଇ କ୍ରେମ୍ଲିନ୍ (ପୁଟିନ୍ଙ୍କ କାର୍ଯ୍ୟାଳୟ) ପକ୍ଷରୁ ଚିନ୍ତାବ୍ୟକ୍ତ କରାଯାଇଛି । କ୍ରେମ୍ଲିନ୍ ମୁଖପାତ୍ର ଦିମିତ୍ରି ପେସ୍କୋଭ୍ କହିଛନ୍ତି, ବାଇଡେନ୍ଙ୍କ ବିବୃତିକୁ ନିୟମିତ ଭାବେ ଅନୁଧ୍ୟାନ କରାଯାଉଛି । ଏଥିରେ ତାଙ୍କର କିଛି ଉଦେ୍ଧଶ୍ୟ ରହିଛି କି ନାହିଁ, ତାହା ଉପରେ ଅବଲୋକନ ଚାଲିଛି । ପୁଟିନ୍ କ୍ଷମତାରେ ରହିପାରିବେ ନାହିଁ ବୋଲି କହିଥିଲେ ବାଇଡେନ୍ । ତାଙ୍କୁ କଂସେଇ ବି କହିଥିଲେ । ତେବେ ଏହା ଉପରେ ସଫେଇ ଦେଇ ରବିବାର ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ କହିଥିଲେ ଯେ ରୁଷରେ ସରକାର ବଦଳାଇବା ନେଇ ଆମେରିକାର କୌଣସି ରଣନୀତି ନାହିଁ ।
ଯୁଦ୍ଧ ବନ୍ଦ ପାଇଁ ରୁଷ ଓ ୟୁକ୍ରେନ୍ ମଧ୍ୟରେ ତୁର୍କୀରେ ଆଲୋଚନା ଆରମ୍ଭ ଲାଗି ଆଜି ପ୍ରକ୍ରିୟା ଆରମ୍ଭ ହୋଇଛି । ତୁର୍କୀର ଇସ୍ତାନ୍ବୁଲ୍ରେ ଆସନ୍ତାକାଲି (ମଙ୍ଗଳବାର) ଶାନ୍ତି ଆଲୋଚନା ହେବ ବୋଲି ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି । ଏଥିପାଇଁ ଦୁଇ ଦେଶର ପ୍ରତିନିଧି ଇସ୍ତାନବୁଲ୍ ଗସ୍ତ କରିଛନ୍ତି । ଏହି ଆଲୋଚନା ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ତୁର୍କୀ ମଧ୍ୟସ୍ଥତାରେ କିଛି ସକାରାତ୍ମକ ନିର୍ଯାସ ବାହାରିବା ସମ୍ଭାବନା ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons