୩ କୋଟିର ବ୍ରାଉନସୁଗର୍ ଜବତ

Get real time updates directly on you device, subscribe now.

ପୁରୀ,(ବି.ବି.ଆ.ପ୍ର.): ଶନିବାର ଏକ ବ୍ରାଉନ୍ସୁଗର୍ ର୍ୟାକେଟ୍ର କିଙ୍ଗ୍ପିନ୍ ସମେତ ୩ ଜଣଙ୍କୁ ବାସେଳୀ ସାହି ଥାନା ପୁଲିସ ଗିରଫ କରିଛି । ସେମାନଙ୍କ ଠାରୁ ୩ କିଲୋଗ୍ରାମ୍ ୧୦୨ ଗ୍ରାମ୍ର ବ୍ରାଉନ୍ସୁଗର୍ ଜବତ କରାଯାଇଛି । ଜବତ ବ୍ରାଉନ୍ସୁଗର୍ର ମୂଲ୍ୟ ୩ କୋଟି ୧୯ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏଥିସହ ସେମାନଙ୍କ ଠାରୁ ଏକ କାର୍ (ଓଆର୍-୦୨ଜେଡ୍-୯୮୫୫), ଟଙ୍କା ଗଣିବା ମେସିନ୍, ୪ଟି ମୋବାଇଲ୍ ଓ ୨୦ ହଜାର ନଗଦ ଟଙ୍କା ଜବତ ହୋଇଛି ।
ଗିରଫ ୩ ଜଣ ହେଲେ ସୁଶାନ୍ତ ପ;ନାୟକ ଓରଫ ନଣ୍ଡା (୨୨), ରାଜକିଶୋର ସାହୁ ଓରଫ ରାଜୁ (୨୪) ଓ ମାନସ ସାହୁ ଓରଫ ଗୁଣ୍ଠ (୨୭) । ସମସ୍ତେ କଣାସ ଥାନା ଅଧୀନ କେଶରପୁର ଗ୍ରାମର ବୋଲି ଜଣାପଡ଼ିଛି । ରାଜୁ ଓ ଗୁଣ୍ଠ ଦୁଇ ଭାଇ ହୋଇଥିବା ବେଳେ ନଣ୍ଡା ଏହି ର୍ୟାକେଟ୍ର କିଙ୍ଗ୍ପିନ୍ ବୋଲି ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍ପି କେ.ବିଶାଲ ସିଂହ । ସମସ୍ତଙ୍କୁ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି । ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି । ନଣ୍ଡାକୁ ୩ ଦିନିଆ ରିମାଣ୍ଡ୍ରେ ଆଣିବାକୁ ଅଦାଲତଙ୍କ ନିକଟରେ ପ୍ରାର୍ଥନା କରିଛି ପୁଲିସ ।
ଜବତ ହୋଇଥିବା କାର୍ ଯୋଗେ ୩ ଜଣ ଭୁବନେଶ୍ୱରରୁ ପୁରୀ ଆସୁଥିଲେ । ସକାଳ ସାଢେ ୬ଟାରେ ମଙ୍ଗଳାଘାଟଠାରେ କାର୍କୁ ଅଟକାଇଥିଲେ ବାସେଳୀ ସାହି ଥାନା ଆଇଆଇସି କୁଳମଣି ସେଠୀ ଓ ତାଙ୍କ ଟିମ୍ । କାର୍ରେ ୩ ଜଣଙ୍କ ସହ ବ୍ରାଉନ୍ସୁଗର୍, ଟଙ୍କା, ମୋବାଇଲ୍ ଓ ଟଙ୍କା ଗଣିବା ମେସିନ୍ ଥିଲା । ପରେ କାର୍ ସହ ଏହି ସମସ୍ତ ଜିନିଷ ଓ ୩ ଜଣଙ୍କୁ ଥାନାକୁ ନିଆଯାଇଥିଲା ।
ପୁଲିସ ପକ୍ଷରୁ ନିଶା କାରବାର ସମ୍ପର୍କରେ ଖବର ପାଇବାକୁ ଜାରି ନମ୍ବର (୭୭୩୫୮୪୮୮୬)ରୁ ସୁଫଳ ମିଳିଥିବା ଏସ୍ପି କହିଛନ୍ତି । ଉକ୍ତ ନମ୍ବର ଯୋଗେ ପୁଲିସ ସୁରାକ୍ ପାଇବା ପରେ ଗତ ୫ ଦିନ ଧରି ସିଟି ଡିଏସ୍ପି ଜନାର୍ଦ୍ଧନ ପାଢ଼ୀଙ୍କ ନେତୃତ୍ୱରେ ପୁଲିସ ଟିମ୍ ଏହି ର୍ୟାକେଟ୍ ପଛରେ ପଡ଼ିଥିଲା । କାର୍ ଯୋଗେ ମାଲ୍ ନେଇ ସୁଶାନ୍ତ(ନଣ୍ଡା) ପୁରୀ ଆସୁଥିବା ଖବର ପାଇବା ପରେ ଟିମ୍ ଘେରିଥିଲା । ଏହି ମାଲ୍ କେଉଁ ଠାରୁ ଆସିଥିଲା ଓ ନଣ୍ଡା ସହ ଆଉ କେଉଁମାନେ ଜଡ଼ିତ ଅଛନ୍ତି ତାହାର ତଦନ୍ତ ଜାରି ରହିଥିବା କହିଛନ୍ତି ଏସ୍ପି ।
ମାତ୍ର ୨୨ ବର୍ଷ ବୟସରେ ନଣ୍ଡା କୋଟି କୋଟି ଟଙ୍କାର ବ୍ରାଉନ୍ସୁଗର୍ କାରବାର କରୁଥିବାରୁ ପୁଲିସ ତା’ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଛି । ନିଜେ ସିଧାସଳଖ ଭାବେ ଏହି କାରବାର କରୁଥିଲା ନଣ୍ଡା । ଅନ୍ୟ ୨ ଭାଇଙ୍କ ମାଧ୍ୟମରେ ନଣ୍ଡା ଏହି ମାରାତ୍ମକ ନିଶା ବଜାରରେ ବିକ୍ରି କରୁଥିଲା ବୋଲି ପୁଲିସ କହିଛି । ତେଣୁ ନଣ୍ଡାକୁ କିଙ୍ଗ୍ପିନ୍ ବୋଲି କୁହାଯାଉଥିବା କହିଛନ୍ତି ଅତିରିକ୍ତ ଏସ୍ପି ମିହିର ପଣ୍ଡା । ଏହି କାରବାର କରି ସେ ତା’ ସମ୍ପତ୍ତି କେତେ ବଢାଇଛି ତାହାର ତଦନ୍ତ ଆରମ୍ଭ ହେବ ।
ସେପଟେ ଜାରି ହୋଇଥିବା ପୁଲିସର ସ୍ୱତନ୍ତ୍ର ମୋବାଇଲ୍ ନମ୍ବର ଯୋଗେ ଚଳିତ ବର୍ଷ ୪.୮ କିଗ୍ରା ବ୍ରାଉନ୍ସୁଗର୍ ଜବତ ହେବା ସହ ୩୩ ଜଣ ବେପାରୀ ଗିରଫ ହୋଇସାରିଲେଣି ବୋଲି ଏସ୍ପି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons