୭ ମାସ ହେଲା ଭତ୍ତା ପାଇନାହାନ୍ତି ରୁକୁମଣି

Get real time updates directly on you device, subscribe now.

ବୈପାରିଗୁଡା,(ବି.ବି.ଆପ୍ର): ପୂର୍ବରୁ ପ୍ରତିମାସରେ ମିଳୁଥିଲା ଭତ୍ତା । ହେଲେ ଗତ ୭ମାସ ହେଲା ଆଉ ମିଳୁନି । ମୁଣ୍ଡ ଉପରକୁ ଛାତଟିଏ ନଥିବାରୁ ପରିଣତ ବୟସରେ କଟୁଛି ଯାଯାବର ଜୀବନ । ମାସକୁ ମାତ୍ର ୫ କିଲୋ ଚାଉଳ ଦେଇ ହାତ ଟେକିଦେଛି ପ୍ରଶାସନ । ଦଣ୍ଡାବାଡି ପଞ୍ଚାୟତ କାଲିଆଅଟ୍ଟାଳ ଗାଁର ବିଧବା ରୁକୁମଣି ମାଳି(୭୪)ଙ୍କ କଥା ଆମେ କହୁଛୁ । ରୁକୁମଣିଙ୍କ ଏଭଳି ଅବସ୍ଥା ସମ୍ପର୍କରେ ଖବରପାଇ ବୈପାରିଗୁଡ଼ାଠାରୁ ୩୬ କିମି ଦୂରରେ ଥିବା ତାଙ୍କ ଗାଁରେ ପହଞ୍ଚିଥିଲୁ । ସେ ତାଙ୍କ ଦୁଃଖଭରା କାହାଣୀ କହିଥିଲେ । ସ୍ୱାମୀ ଲୁକୁ ମାଳି ୮ ବର୍ଷ ହେଲା ଅଜଣା ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଯାଇଛନ୍ତି । ୨ ପୁଅ ବଡ ହୋଇ ବିବାହ କଲା ପରେ ନିଜ ଜନ୍ମମାଟି ଓ ଜନ୍ମକଲା ମାଆକୁ ଛାଡି ଅନ୍ୟତ୍ର ଚାଲିଯାଇଛନ୍ତି । ସେହିପରି ୨ ଝିଅଙ୍କ ମଧ୍ୟରୁ କମଳା ମାଳିଙ୍କ ବର୍ଷକ ତଳେ ମୃତୁ୍ୟ ଘଟିଛି । ଅନ୍ୟ ଝିଅ ପ୍ରତୀମା ମାଳି ଖାଡାକୁଣ୍ଡ ଗାଁରେ ବିବାହ କରିଛନ୍ତି । ବର୍ତ୍ତମାନ ଏକୁଟିଆ ହୋଇଯାଇଥିବା ସେ କହିଛନ୍ତି । ମୁଣ୍ଡରେ ଧୋବ ଫରଫର ପାଚିଲା କେଶ ସାଙ୍ଗକୁ ଚମ ଧୁଡୁଧୁଡୁ ଶରୀର । ବୟସର ଅପରାହ୍ନରେ ଏବେ ସାହାରା ହେବାକୁ କେହି ନାହାନ୍ତି । ସ୍ୱାମୀଙ୍କ ଅମଳରୁ ଥିବା ଝାଟିମାଟିର ନଡାଛପର ଘର ଖଣ୍ଡିକ କେବେଠୁ ମାଟିରେ ମିଶିଗଲାଣି । ଘର ଖଣ୍ଡିକ ଭାଙ୍ଗିଯିବା ପରେ ଏବେ ମୁଣ୍ଡ ଗୁଞ୍ଜିିବାକୁ ରୁକୁମଣିଙ୍କ ପାଖରେ ଆଉ କିଛି ସାହାରା ନାହିଁ । ମାସକୁ ୫ କିଲୋ ଚାଉଳ ଓ ଭତ୍ତା ଟଙ୍କାରେ ବଞ୍ଚୁଥିବା ସେ କହିଛନ୍ତି । ତେବେ ଗତ ୭ମାସ ହେଲା ଏହା ମଧ୍ୟ ମିଳୁନାହିଁ । ଫଳରେ ଉପାସରେ ରହିବାକୁ ପଡ଼ୁଥିବା ଦୁଃଖର ସହ କହିଛନ୍ତି ରୁକୁମଣି । ପୂର୍ବପରି ଭତ୍ତାଟଙ୍କା ଯୋଗାଇ ଦେବା ସହ ଗୃହଟିଏ ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି । ଏ ସମ୍ପର୍କରେ ବିଡିଓ ଅଭିମନୁ୍ୟ କବି ଶତପଥୀଙ୍କୁ ପଚାରିବାରେ ତଦନ୍ତ ପରେ ଭତ୍ତା ଟଙ୍କା ଦେବା ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons