ଅଭିନେତା ଇର୍ଫାନ୍ ଖାନ୍ ଏହି ଦୁନିଆକୁ ଅଲ୍ବିଦା କହିବାର ମାସେରୁ ଅଧିକ ସମୟ ହେଲାଣି । ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ’ରେ ଦେଖିବାକୁ ମିଳିଥିଲା । ଲକ୍ଡାଉନ୍ର କିଛି ଦିନ ପୂର୍ବରୁ ତାହା ରିଲିଜ୍ ହୋଇଥିଲା । କିନ୍ତୁ ଅନେକ ଲୋକ ଜାଣି ନ ଥିବେ ଯେ ‘ଅଂଗ୍ରେଜୀ ମିଡିୟମ୍’ ପରେ ଇର୍ଫାନ୍ ଆଉ ଏକ ଫିଲ୍ମ ପାଇଁ ସୁଟିଂ ଆରମ୍ଭ କରିଦେଇଥିଲେ । ଫିଲ୍ମଟି ହେଉଛି ‘ସପ୍ନା ଦିଦି’ । ଗ୍ୟାଙ୍ଗଷ୍ଟର ସପ୍ନା ଦିଦିଙ୍କ ଜୀବନୀକୁ ନେଇ ନିର୍ମିତ ହେଉଥିବା ସେହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ଦୀପିକା ପାଦୁକୋନ୍ଙ୍କୁ ଦେଖିବାକୁ ମିଳିଥାନ୍ତା । ଫିଲ୍ମର ନିଦେ୍ର୍ଧଶନା ଦାୟିତ୍ୱରେ ଥିଲେ ବିଶାଲ ଭରଦ୍ୱାଜ । ଇର୍ଫାନ୍ ଫିଲ୍ମ ପାଇଁ ୩ ଦିନ ଧରି ସୁଟିଂ କରିଥିଲେ । ସେଥିରେ କିଛି ଆକ୍ସନ୍ ସଟ୍ ବି ସାମିଲ ଥିଲା । ତା’ ପରେ ତାଙ୍କର ସ୍ୱାସ୍ଥ୍ୟରେ କ୍ରମଶଃ ଅବନତି ହୋଇଥିଲା । ତେଣୁ ସୁଟିଂକୁ ବାତିଲ କରାଯାଇଥିଲା । ଏହାପରେ ଏପ୍ରିଲ ୨୯ରେ କୋଲନ୍ ସଂକ୍ରମଣ ଯୋଗୁ ଇର୍ଫାନ୍ଙ୍କ ଦେହାନ୍ତ ହୋଇଥିଲା । ଏଭଳି ସ୍ଥିତିରେ ବର୍ତ୍ତମାନ ସୁଦ୍ଧା ମଧ୍ୟ ‘ସପ୍ନା ଦିଦି’ରେ ଇର୍ଫାନ୍ଙ୍କ ସ୍ଥାନରେ କିଏ ଅଭିନୟ କରିବେ ତାହା ଚୂଡ଼ାନ୍ତ ହୋଇପାରି ନାହିଁ । ସେପଟେ ପତ୍ନୀ ସୁତପା ମଧ୍ୟ ସ୍ୱାମୀଙ୍କୁ ମନେ ପକାଇ ଦୁଇଟି ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି । ଗୋଟିଏରେ ଇର୍ଫାନ୍ ଘାସ ଗାଲିଚା ଉପରେ ଶୋଇଥିବା ବେଳେ ଅନ୍ୟଟିରେ ସେମାନେ ସେଲ୍ଫି ନେଉଥିବା ଦେଖିବାକୁ ମିଳିଛି ।
Comments are closed, but trackbacks and pingbacks are open.