ଇନ୍ଦ୍ରାବତୀ: ଦୀର୍ଘ ମାସ ହେଲା ନଳକୂଅ ଅଚଳ ହୋଇପଡ଼ିଛି । ବାରମ୍ବାର ଅଭିଯୋଗ ପରେ ବି ମରାମତି କରାଯାଉ ନାହିଁ । ଜନପ୍ରତିନିଧିଙ୍କୁ ଜଣାଇଲେ ସମସ୍ୟା ସମାଧାନ କରୁନାହାନ୍ତି । ଏହାକୁ ନେଇ ଗାଁଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ବିକଳ୍ପ ନଥିବାରୁ ବାଧ୍ୟ ହୋଇ ଅଞ୍ଚଳବାସୀ ଦୂଷିତ ପାଣିରେ ଶୋଷ ମେଣ୍ଟାଉଛନ୍ତି । ବିଶୁଦ୍ଧ ପାଣି ମୁନ୍ଦିଏ ପାଇଁ ଡହଳବିକଳ ହେଉଛନ୍ତି । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ କାମତା ପଞ୍ଚାୟତରେ ଏହି ପାନୀୟ ଜଳ ସମସ୍ୟା ଲାଗିରହିଛି । ପାଣି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଗାଁ ଲୋକେ ଦାବି କରିଛନ୍ତି ।
ଏହି ପାନୀୟ ଜଳ ସମସ୍ୟା ସମ୍ପର୍କରେ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିଛନ୍ତି । ମାତ୍ର ବ୍ଲକ୍ ପାନୀୟ ଜଳ ବିଭାଗ ଅଧିକାରୀମାନେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛନ୍ତି । ବେପାରି ସାହିରେ ନଳକୂପ ମରାମତି କାର୍ଯ୍ୟ ଶେଷ ହେବା ପରେ ୩ ନମ୍ବର ୱାର୍ଡରେ ପାନୀୟ ଜଳର ସମସ୍ୟା ମୁଣ୍ଡ ଟେକିଛି । ନଳକୂଅ ମରାମତି ପାଇଁ କାମତା ସରପଞ୍ଚକୁ ଜଣାଇଥିଲେ ବି ସରପଞ୍ଚ ସମସ୍ୟା ପ୍ରତି ଆଦୌ ଗୁରୁତ୍ୱ ଦେଉନାହାନ୍ତି । ଗାଁର ୩ ଅଚଳ ନଳକୂପ ମରାମତି ପାଇଁ ପାନୀୟଜଳ ବିଭାଗକୁ ଅବଗତ କରାଇଛନ୍ତି ବୋଲି ସରପଞ୍ଚ ସଫେଇ ଦେଇଛନ୍ତି । ଅନ୍ୟପଟେ ୪ ନମ୍ବର ୱାର୍ଡ ତାବଲା ମାଝୀଗୁଡ଼ାରେ ମାସ ମାସ ହେଲା ନଳକୂପ ଅକାମୀ ପଡ଼ିଥିବା ଲୋକେ ଅଭିଯୋଗ କରିଛନ୍ତି । ଏହି ନଳକୂଅକୁ ମରାମତି କରାଯାଉ ନ ଥିବା ଗାଁର ହରି ବେପାରୀ ଅଭିଯୋଗ କରିଛନ୍ତି । ଜନପ୍ରତିନିଧିମାନେ ନିଜ ଗାଁର ପିଇବା ପାଣି ସମସ୍ୟା ସମାଧାନ କରିବାରେ ଅସମର୍ଥ ହେଉଥିବାବେଳେ ଅନ୍ୟ ସମସ୍ୟା କିଭଳି ସମାଧାନ କରିବେ ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି । ତୁରନ୍ତ ନଳକୂଅ ମରାମତି ନ କଲେ ପଞ୍ଚାୟତ ସମ୍ମୁଖରେ ଲୋକେ ଧାରଣାରେ ବସିବେ ବୋଲି ଗାଁର ମହିଳାମାନେ ଚେତାବନୀ ଦେଇଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ


Comments are closed, but trackbacks and pingbacks are open.