ଅକ୍ଟୋବର ୨୧ରେ ମହାରାଷ୍ଟ୍ର, ହରିଆନା ଭୋଟ

Get real time updates directly on you device, subscribe now.

ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ହରିଆନା ବିଧାନସଭା ନିର୍ବାଚନ ପାଇଁ ଭାରତର ନିର୍ବାଚନ କମିଶନ ଆଜି ତାରିଖ ଘୋଷଣା କରିଛନ୍ତି । ଉଭୟ ରାଜ୍ୟରେ ଆସନ୍ତା ଅକ୍ଟୋବର ୨୧ ତାରିଖରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ ଏବଂ ଏହାର ୩ ଦିନ ପରେ ଅର୍ଥାତ ୨୪ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ତାରିଖ ଘୋଷଣା ସହ ଉଭୟ ରାଜ୍ୟରେ ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୯ରେ ଶେଷ ହେବାକୁ ଥିଲା ବେଳେ ହରିଆନା ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨ ରେ ଶେଷ ହେବ ।
ନୂଆଦିଲ୍ଲୀରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଏହି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ସେ କହିଛନ୍ତି ନିର୍ବାଚନ ପାଇଁ ଆସନ୍ତା ୨୭ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୪ ସୁଦ୍ଧା ନାମାଙ୍କନପତ୍ର ଦାଖଲ କରାଯାଇପାରିବ । ଏହାର ଗୋଟିଏ ଦିନ ପରେ ଅର୍ଥାତ ୫ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ ଏବଂ ୭ ତାରିଖ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି । ଅକ୍ଟୋବର ୨୧ରେ ଭୋଟ ଗ୍ରହଣ କରାଯିବା ଓ ୨୪ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ଏଥିସହିତ ନିର୍ବାଚନ କମିଶନ ମଧ୍ୟ ଓଡ଼ିଶା ସମେତ ୧୭ଟି ରାଜ୍ୟର ୬୪ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଲାଗି ତାରିଖ ଘୋଷଣା କରିଛନ୍ତି । ବିହାରର ଗୋଟିଏ ଲୋକସଭା ଆସନ (ସମସ୍ତିପୁର) ରେ ଉପନିର୍ବାଚନ ତାରିଖ ଘୋଷଣା ହୋଇଛି । ଏସବୁ ଉପନିର୍ବାଚନ ପାଇଁ ସେହିଦିନ ଅର୍ଥାତ ଅକ୍ଟୋବର ୨୧ରେ ମତଦାନ ହେବ । ୨୦୧୪ରେ ଉଭୟ ମହାରାଷ୍ଟ୍ର ଓ ହରିଆନା ବିଧାନସଭା ନିର୍ବାଚନର ତାରିଖ ଏକସଙ୍ଗେ ଅର୍ଥାତ ସେପ୍ଟେମ୍ବର ୧୨ ତାରିଖରେ ଘୋଷଣା ହୋଇଥିଲା । ଉଭୟ ରାଜ୍ୟରେ ମଧ୍ୟ ଗୋଟିଏ ପର୍ଯ୍ୟାୟରେ ଅକ୍ଟୋବର ୧୫ରେ ଭୋଟ ଗ୍ରହଣ କରାଯାଇଥିଲା ଏବଂ ଅକ୍ଟୋବର ୧୯ରେ ଫଳାଫଳ ଘୋଷଣା ହୋଇଥିଲା ।
ଗତ ମେ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍ଡିଏ ଦ୍ୱିତୀୟଥର ପାଇଁ କ୍ଷମତାକୁ ଆସିବା ପରେ ଦେଶରେ ଏହା ହେବ ପ୍ରଥମ ନିର୍ବାଚନ । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଓ ୩୫-କ ଉଚ୍ଛେଦକୁ ବିଜେପି ବିଧାନସଭା ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ କରିବାର ସମ୍ଭାବନା ରହିଛି । ଏଥିସହ ଉଭୟ ରାଜ୍ୟରେ ବିଜେପି କ୍ଷମତାକୁ ଫେରିବ ବୋଲି ଦୃଢ଼ ଆଶା ମଧ୍ୟ ରଖିଛି । କାରଣ ଉଭୟ ରାଜ୍ୟରେ ବିଜେପି କ୍ଷମତାସୀନ ଅଛି । ଏଥିସହିତ ବିରୋଧୀ ଦଳର ବହୁ ନେତା ବିଜେପିରେ ସାମିଲ ହୋଇଛନ୍ତି । ତେବେ ଲୋକସଭା ନିର୍ବାଚନ ପ୍ରଚାର ବେଳେ ଯେଭଳି ସୈନ୍ୟବାହିନୀର ନାମ ନେବା ଉପରେ କଟକଣା ଲଗାଯାଇଥିଲା ଉଭୟ ରାଜ୍ୟର ବିଧାନସଭା ନିର୍ବାଚନ ପ୍ରଚାରରେ ଧାରା ୩୭୦ ପ୍ରସଙ୍ଗ ଉଠାଯିବା ଉପରେ କଟକଣା ଲଗାଯିବ କି ବୋଲି ଏକ ପ୍ରଶ୍ନର ଉତ୍ତରରେ ଆରୋରା କହିଲେ ଯେ ସଂସଦରେ ୩୭୦ ଧାରା ଉଠାଯିବା ଉପରେ ନିଷ୍ପତ୍ତି ନିଆଯାଇଛି । ତେଣୁ ଏହି ପ୍ରସଙ୍ଗ ନିର୍ବାଚନ ପ୍ରଚାରରେ ଉଠାଯିବା ମାମଲାରେ ସେ କିଛି କହିପାରିବେ ନାହିଁ । କେବଳ ସୁପ୍ରିମକୋର୍ଟରେ ଏହାକୁ ଚାଲେଞ୍ଜ କରାଯାଇପାରିବ ।
ସେହିଭଳି ଆରୋରା କହିଛନ୍ତି ଯେ ଗତ ଲୋକସଭା ନିର୍ବାଚନ ଭଳି ବିଧାନସଭା ନିର୍ବାଚନରେ ମଧ୍ୟ ଇଭିଏମ୍ ସହିତ ଭିଭିପାଟ ବ୍ୟବହାର କରାଯିବ । ଉଭୟ ରାଜ୍ୟର ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀର ୫ଟି ବୁଥରେ ଇଭିଏମ୍ରେ ପଡିଥିବା ଭୋଟ ସହିତ ଭିଭିପାଟ ଭୋଟକୁ ମିଳାଯିବ । ମହାରାଷ୍ଟ୍ରରେ ୮ କୋଟି ୯୫ ଲକ୍ଷ ଭୋଟର ଥିବା ବେଳେ ସେଠାରେ ୯୫ ହଜାର ୪୭୩ଟି ପୋଲିଂ ବୁଥ ପ୍ରତିÂା କରାଯିବ । ହରିଆନାରେ ୧ କୋଟି ୮୩ ଲକ୍ଷରୁ ଅଧିକ ଭୋଟର ଥିବାରୁ ସେଠାରେ ୧୯ ହଜାର ୪୨୫ଟି ବୁଥ ପ୍ରତିÂା କରିବାକୁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନ ପ୍ରଚାରରେ ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାରକୁ ଯଥାସମ୍ଭବ ଏଡ଼ାଇବା ସହ ପରିବେଶ ଉପଯୋଗୀ ସାମଗ୍ରୀ ବ୍ୟବହାର କରିବା ଲାଗି ମୁଖ୍ୟ ନିର୍ବାଚନ କମିଶନର ସବୁ ରାଜନୈତିକ ଦଳମାନଙ୍କୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons