ଅଙ୍ଗଦାନରୁ ୬ ଜଣଙ୍କୁ ମିଳିଛି ନୂଆ ଜୀବନ :‘ସୁରଜ’ଙ୍କ ନାମରେ ଏଣିକି ସବୁ ବର୍ଷ ପୁରସ୍କାର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଦୁର୍ଘଟଣାର ଶିକାର ହୋଇ ପୁଅ ସୁରଜର ମୃତୁ୍ୟ ହୋଇଥିଲେ ମଧ୍ୟ ୬ଟିି ଜୀବନ ବଞ୍ଚାଇ ପାରିଥିଲେ ତାଙ୍କ ପରିବାର ଲୋକ । ହସ୍ପିଟାଲରେ ଡାକ୍ତର ପୁଅ ସୁରଜକୁ ବ୍ରେନ୍ ଡେଡ୍ ଘୋଷଣା ପରେ ପରିବାର ଲୋକ ଦୁଇଟି କିଡ଼ନୀ, ଯକୃତ, ହୃଦୟ ଓ ଦୁଇ ଆଖିକୁ ଦାନ କରି ଦେଇଥିଲେ । ଯାହା ଅନ୍ୟ ଆବଶ୍ୟକୀୟଙ୍କୁ ନୂଆ ଜୀବନ ଦେଇପାରିଛି । ଏହା ନିଶ୍ଚିତ ଭାବେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁରଜଙ୍କ ପରିବାରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୫ ଲକ୍ଷ ଟଙ୍କାର ସହାୟତା ଦେବାକୁ ଘୋଷଣା କରିଛନ୍ତି । କେବଳ ସେତିକି ନୁହେଁ, ସ୍ୱେଛାରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ଓ ସଂସ୍ଥାଙ୍କୁ ପ୍ରତିବର୍ଷ ଏଣିକି ସରକାର ‘ସୁରଜ ପୁରସ୍କାର’ ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁରଜଙ୍କ ପରିବାରର ଅର୍ଥିକ ଅବସ୍ଥା ସେତେଟା ସ୍ୱଚ୍ଛ ନାହିଁ । ସେମାନଙ୍କ ପାଖରେ ପକ୍କା ଘରଟିଏ ନାହିଁ । ତେଣୁ ସରକାର ସୁରଜଙ୍କ ପରିବାରକୁ ବାସଉପୋଯୋଗୀ ଜମି ସହ ବିଜୁ ପକ୍କାଘର ଯୋଗାଇବେ । ଏହାଛଡ଼ା ଅଙ୍ଗଦାନ ପ୍ରକ୍ରିୟାକୁ ଲୋକାଭିମୁଖୀ କରିବାକୁ ସୁରଜଙ୍କ ନାମରେ ଏକ ସମ୍ମାନ ମଧ୍ୟ ସବୁ ବର୍ଷ ଦିଆଯିବ ।
ସୂଚନାଯୋଗ୍ୟ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଲାଲ ସିଂ ଅଞ୍ଚଳର ବାବୁଲି ସେଠୀ ଓ ମାତା ଗୀତାଞ୍ଜଳି ସେଠୀଙ୍କ ପୁଅ ସୁରଜ ସୁରତରେ କାର୍ଯ୍ୟରତ ଥିବା ବେଳେ ଗତ ଅକ୍ଟୋବର ୨୯ରେ ରାସ୍ତା ଦୁର୍ଘଟଣାର ଶିକାର ହେଲେ । ୫/୬ ଦିନ କାଳ ଡାକ୍ତରଖାନାରେ ମୃତୁ୍ୟ ସହ ସଂଘର୍ଷ କରିବା ପରେ ତାଙ୍କୁ ନଭେମ୍ବର ୨ରେ ଡାକ୍ତର ବ୍ରେନ ଡେଡ ଘୋଷଣା କରିଥିଲେ । ଏହାପରେ ଏକ ସ୍ୱେଛାସେବୀ ସଂସ୍ଥାର ଯୋଗାଯୋଗ ପରେ ସୁରଜଙ୍କ ପିତାମାତାଙ୍କ ଅନୁମତିକ୍ରମେ ତାଙ୍କର ହୃତପିଣ୍ଡ, ଦୁଇ କିଡନୀ, ଲିଭର ଓ ଦୁଇ ଆଖିକୁ ଦେଶର ଅନ୍ୟତ୍ର ୬ ଜଣ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି । ମୁମ୍ବାଇ ଫର୍ଟିସ ହସପିଟାଲରେ ଚିକିତ୍ସିତ ଜଣେ ମହିଳାଙ୍କ ଶରୀରରେ ହୃତପିଣ୍ଡ, ଅହମ୍ମଦାବାଦର ୩ ଜଣଙ୍କ ଠାରେ ଦୁଇଟି ଯାକ କିଡନୀ ଓ ଲିଭର ଏବଂ ସୁରତରେ ଦୁଇଜଣଙ୍କ ଶରୀରରେ ଦୁଇ ଆଖିକୁ ପ୍ରତିରୋପଣ କରାଯାଇଛି ।
ଆଜି ଲୋକସେବା ଭବନରେ ସୁରଜଙ୍କ ପିତାମାତାଙ୍କୁ ଭେଟିବା ଅବସରରେ ମୁଖ୍ୟମନ୍ତ୍ରୀ ଦୁହିଁଙ୍କ ଏଭଳି ମହାନ ଚିନ୍ତାଧାରା ପାଇଁ ସମ୍ମାନିତ କରିବା ସହ ଭୂୟସୀ ପ୍ରଶଂସା କରିଥିଲେ । ଏ ଅବସରରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons