ଅଙ୍ଗନବାଡ଼ିର ଶିଶୁଙ୍କ ପ୍ରତି ବିପଦ

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ): ଅଙ୍ଗନବାଡି କେନ୍ଦ୍ରର ଶିଶୁମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଉନି । ପାଚେରୀ ନଥିବାରୁ ଶିଶୁଙ୍କ ଜୀବନ ପ୍ରତି ବିବଦ ରହିଛି । ଏମିତି ଦେଖିବାକୁ ମିଳିଛି ବାରିଣିପୁଟ ଓ ଜୟପୁର ସହର ଗୋପବନ୍ଧୁ ନଗରରେ ଥିବା ଅଙ୍ଗନବାଡି କେନ୍ଦ୍ରରେ । ସବୁ ଜାଣି ମଧ୍ୟ ଆଇସିଡିଏସ୍ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅଙ୍ଗନବାଡି କେନ୍ଦ୍ରରେ ପାଚେରୀ ନିର୍ମାଣ କରି ଶିଶୁଙ୍କୁ ସୁରକ୍ଷିତ ରଖାଯାଉ ବୋଲି ଦାବି କରିଛନ୍ତି ।
ଜୟପୁର ବ୍ଲକର ବାରିଣିପୁଟ ଦେଇ ଯାଇଛି ୨୬ ନମ୍ବର ଜାତୀୟରାଜପଥ । ଏହି ଜାତୀୟରାଜପଥର ବାରିଣିପୁଟର ବୁଲାଣି ରାସ୍ତାରେ ରହିଛି ଅଙ୍ଗନବାଡି କେନ୍ଦ୍ର । ଏହି କେନ୍ଦ୍ରରୁ ଜାତୀୟରାଜପଥ ପାରି ହୋଇ ଶିଶୁମାନେ ଆସିଥାନ୍ତି । ଯିବାଆସିବା ସମୟରେ ବିପଦ ରହିଛି । ଏଥିପାଇଁ ଅଭିଭାବକମାନେ ସତର୍କତାର ସହ ଅଙ୍ଗନବାଡି କେନ୍ଦ୍ରରେ ଛାଡି ଚାଲିଯାଆନ୍ତି । ଶିଶୁମାନେ ଅଙ୍ଗନବାଡି କେନ୍ଦ୍ରରେ ଖେଳାଖେଳି କରିବା ସହ ପଢିଥାନ୍ତି । କିନ୍ତୁ ବେଳେବେଳେ ଅଙ୍ଗନବାଡି କର୍ମୀଙ୍କ ଅଜାଣତରେ ଶିଶୁମାନେ ବାହାରକୁ ଚାଲିଆସୁଛନ୍ତି । ପାଚେରୀ ନଥିବାରୁ ଲିଂ ସମସ୍ୟା ଦେଖାଦେଉଛି । ରାଜପଥ ଦେଇ ପ୍ରତିସମୟରେ ଗାଡିମୋଟର ଚଳାଚଳ କରୁଥିବାରୁ ଶିଶୁଙ୍କ ପାଇଁ ବିପଦ ରହିଛି । ଅଙ୍ଗନବାଡି କେନ୍ଦ୍ର ରାସ୍ତାର ବୁଲାଣି ସ୍ଥାନରେ ରହିଥିବାରୁ ଦୁର୍ଘଟଣାର ସମ୍ଭାବନା ରହିଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ଜାତୀୟରାଜପଥ କଡରେ ପାଚେରୀ ନିର୍ମାଣ କରାଯାଉ । ଯାହା ଫଳରେ ଶିଶୁମାନେ ସୁରକ୍ଷିତ ରହିବେ । ସେହିପରି ଗୋପବନ୍ଧୁ ନଗରରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ପାଚେରୀ ନଥିବାରୁ ଶିଶୁଙ୍କ ପାଇଁ ବିପଦ ସୃଷ୍ଟି କରିଛି । କେନ୍ଦ୍ରକୁ ଲାଗିକରି ରହିଛି ନୀଳକଣ୍ଠ ସାଗର । ପାଚେରୀ ନଥିବାରୁ ଶିଶୁମାନେ ଯେ କୌଣସି ମୁହୂର୍ତ୍ତରେ ସାଗରରେ ବୁଡିଯିବାର ସମ୍ଭାବନା ରହିଛି । ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ସମୟରେ ଏଥିପ୍ରତି ଦୃଷ୍ଟି ଦେବାର ଥିଲା ବୋଲି କହିଛନ୍ତି ସାହିବାସିନ୍ଦା । ମାତ୍ର ୧୦ରୁ ୧୫ ଫୁଟ୍ର ପାଚେରୀ କଲେ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ସେମାନେ କହିଛନ୍ତି । ଏ ସମ୍ପର୍କରେ ଜୟପୁର ବ୍ଲକ ସିଡିପିଓ ପ୍ରଭାତିରାଣୀ ତ୍ରିପାଠୀ କହିଛନ୍ତି, ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ସମୟରେ ପାଚେରୀ ନିର୍ମାଣ ପାଇଁ ବ୍ୟବସ୍ଥା ନଥିଲା । ପାଚେରୀ ନଥିବା ଦ୍ୱାରା ସମସ୍ୟା ହେଉଥିବା ଜାଣିବା ପରେ ବାରିଣିପୁଟ ଅଙ୍ଗନବାଡି କେନ୍ଦ୍ରର ପାଚେରୀ ପାଇଁ ବ୍ଲକ କର୍ତ୍ତୃପକ୍ଷ ଓ ଗୋପବନ୍ଧୁ ନଗର ଅଙ୍ଗନବାଡି କେନ୍ଦ୍ରର ପାଚେରୀ ନିର୍ମାଣ ପାଇଁ ପୌରସଂସ୍ଥାକୁ ଜଣାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons