ଅଜଣା ଗାଡ଼ି ଧକ୍କାରେ ଇଞ୍ଜିନିୟରିଂ ଛାତ୍ରୀ ମୃତ

Get real time updates directly on you device, subscribe now.

ତାଳଚେର,(ବି.ବି.ନ୍ୟୁଜ୍): ୧୪୯ ନମ୍ବର ଜାତୀୟ ରାଜପଥର ତାଳଚେର ଥାନା ଗୁରୁଜାଙ୍ଗୁଲି ନିକଟରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କର ମୃତ୍ୟୁ ଘଟିଛି । କୌଣସି ଅଜଣା ଗାଡ଼ି ଧକ୍କା ଦେଇ ପାର୍ ହୋଇ ଯାଇଥିବା ବେଳେ ଏହି ଦୁର୍ଘଟଣାକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଏବଂ ଜାତୀୟ ରାଜପଥ ମରାମତି ଦାବିରେ ଦିନ ୧୨ଟା ପର୍ଯ୍ୟନ୍ତ ରାସ୍ତାରୋକ କରିଥିଲେ । ଫଳରେ ରାଜପଥରେ ଗାଡ଼ିମଟର ଚଳାଚଳ ବ୍ୟାହତ ହୋଇଥିଲା । ଦୁର୍ଘଟଣାରେ ଛାତ୍ରୀଙ୍କ ଦାଦା ଶ୍ୱଶୁର ଗୁରୁତର ଆହତ ହୋଇଛନ୍ତି ।
ମୃତ ଇଞ୍ଜିନିୟରିଂ ଛାତ୍ରୀ ଜଣଙ୍କ ହେଲେ ପ୍ରୀତିମୟୀ ଭୂୟାଁ(୨୪) । ତାଙ୍କ ଘର ଭୁବନେଶ୍ୱରରେ । ସେ ଆଜି ସକାଳ ପ୍ରାୟ ୬ଟା ବେଳେ ଦାଦା ଶ୍ୱଶୁର ଛବିଳ ସାହୁଙ୍କ ସହିତ ଗୁରୁଜାଙ୍ଗୁଲି ଗ୍ରାମରୁ ସ୍କୁଟର(ଓଆର ୦୬ବି ୯୧୭୪)ରେ ଥର୍ମାଲ୍ ଷ୍ଟେସନକୁ ଆସୁଥିଲେ । ସେଠାରୁ ଟ୍ରେନ୍ରେ ଭୁବନେଶ୍ୱର ଯାଇଥାନ୍ତେ । ଗୁରୁଜାଙ୍ଗୁଲି ନନ୍ଦିରା ପୋଲ ନିକଟରେ ଏକ ଅଜଣା ଗାଡ଼ି ତାଙ୍କ ସ୍କୁଟରକୁ ଧକ୍କା ଦେଇ ପଳାଇଥିଲା । ଗାଡ଼ି ଧକ୍କାରେ ଘଟଣାସ୍ଥଳରେ ପ୍ରୀତିମୟୀଙ୍କର ପ୍ରାଣବାୟୁ ଉଡ଼ି ଯାଇଥବା ବେଳେ ଦାଦା ଶ୍ୱଶୁର ଶ୍ରୀ ସାହୁ ଗୁରୁତର ଆହତ ହୋଇଥିଲେ । ପ୍ରୀତିମୟୀ ସରାଙ୍ଗ ଇଞ୍ଜିନିୟରିଂ କଲେଜରୁ ଉତ୍ତୀର୍ଣ୍ଣ ହେବା ପରେ ଭୁବନେଶ୍ୱରରେ ବିବାହ କରିଥିଲେ । ତାଙ୍କ ସାର୍ଟିଫିକେଟ୍ ନେବା ପାଇଁ ଗତକାଲି ଆସି ଦାଦା ଶ୍ୱଶୁରଙ୍କ ଘରେ ରହିଥିଲେ । ଆଜି ସକାଳୁ ଭୁବନେଶ୍ୱର ଯିବାକୁ ବାହାରିଥିଲେ । ତାଙ୍କ ଘର ତାଳଚେର ଥାନା ଅନ୍ତର୍ଗତ ଧମରପୁର ଗ୍ରାମରେ ବୋଲି ଜଣାପଡ଼ିଛି । ପୁଲିସ ଓ ମାଜିଷ୍ଟ୍ରେଟ୍ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବା ପରେ ରାସ୍ତାରୋକ ହଟିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons